ବାଲେଶ୍ୱର: ୧୩ ନମ୍ବର ଜୋନ୍‌ରେ ହାଇ ଭୋଲଟେଜ୍‌ ଲଢ଼େଇ; ସାଂସଦ ପ୍ରତାପ ଏବଂ ବିଧାୟକ ସୁକାନ୍ତଙ୍କ ପାଇଁ ସମ୍ମାନର ପ୍ରଶ୍ନ

ବାଲେଶ୍ୱର : ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଏବେ ଗଳିକନ୍ଦିରେ ନେତା ଓ କର୍ମୀ। ପ୍ରତିଶ୍ରୁତି ପାହାଡ଼ ସାଙ୍ଗକୁ ନିଜ ଆଡ଼କୁ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଭିନ୍ନ ଭିନ୍ନ ପ୍ରୟାସ ଆପଣାଉଛନ୍ତି। ତେବେ ବାଲେଶ୍ବର ଜିଲ୍ଲାର ୪୫ଟି ଜିଲ୍ଲା ପରିଷଦ ଜୋନ୍ ମଧ୍ୟରୁ ୧୩ନମ୍ବର ଜୋନ୍‌କୁ ନେଇ ଏବେ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ତେବେ ନୀଳଗିରି ବ୍ଲକ ୧୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। କାରଣ ଏହି ଜୋନରେ ବାଲେଶ୍ବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ ଏବଂ ବିଧାୟକ ସୁକାନ୍ତ ନାୟକଙ୍କ ଘର ହୋଇଥିବାରୁ ଏଠାରେ ବିଜେପିକୁ ଜିତାଇବା ଉଭୟ ନେତାଙ୍କ ପାଇଁ ସମ୍ମାନ ଓ ସ୍ବାଭିମାନର ପ୍ରଶ୍ନ ହୋଇଥିବା ବେଳେ ବିଜେଡି ଏଠାରୁ ଜଣେ ହେଭିୱେଟ୍‌ ତଥା ପରିଚିତ ଚେହେରାଙ୍କୁ ମଇଦାନକୁ ଓହ୍ଲାଇଛି। ସେହିପରି କଂଗ୍ରେସର ସଂଗଠନ ନୀଳଗିରିରେ ଏତେଟା ଭଲ ନଥିଲେ ମଧ୍ୟ ଦଳ ଏଠାରେ ବିଶ୍ବଜିତ ପଣ୍ଡାଙ୍କୁ ପ୍ରାର୍ଥୀ କରିଛି।

ନୀଳଗିରି ନିର୍ବାଚନ ମଣ୍ଡଳୀ ତଥା ନୀଳଗିରି ଉପଖଣ୍ଡ ଅନ୍ତର୍ଗତ ୮ଟି ପଞ୍ଚାୟତକୁ ନେଇ ଗଠିତ ୧୩ ନମ୍ୱର୍ ଜୋନ। ଚଳିତ ତ୍ରି-ସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏହି ଜୋନରେ ୨୮ ହଜାର ୭୦୦ ଜଣ ଭୋଟର ଦଳୀୟ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଧାରଣ କରିବେ। ଗତ ପଞ୍ଚାୟତ ନିର୍ବାଚନରେ ଏଠାରେ ବିଜେପି ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା ଏବଂ ନିର୍ବାଚନ ଫଳାଫଳ ବିଜେପି ସପକ୍ଷରେ ଯାଇଥିଲା। ସେଥିଲାଗି ବିଜେପି ପୁଣିଥରେ ଏହି ଆସନକୁ ନିଜ ଅକ୍ତିଆରକୁ ନେବା ପାଇଁ ଚଳିତ ନିର୍ବାଚନରେ ଯୁବଚେହେରା ତାପସ କୁମାର ମହାନ୍ତିଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପିକୁ ହରାଇବା ପାଇଁ ବିଜେଡି ଏଠାରୁ ଦଳର ଭେଟେରାନ୍‌ ନେତା ଗତିକୃଷ୍ଣ ନନ୍ଦଙ୍କୁ ପ୍ରାର୍ଥୀ କରିଛି। ତେବେ ସିଧାସଳଖ କହିବାକୁ ଗଲେ ଏଥର ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ଏହି ଜୋନ୍‌ରେ କଡ଼ା ପ୍ରତିଦ୍ବନ୍ଦ୍ବିତା ହେଉଛି। ବିଜେପିରୁ ପ୍ରାର୍ଥୀ ହୋଇଥିବା ଶ୍ରୀ ମହାନ୍ତି ପ୍ରଥମଥର ପାଇଁ ପ୍ରତ୍ୟକ୍ଷ ରାଜନୀତିରେ ଭାଗ ନେଇଥିଲେ ହେଁ ବିଜେପିର ଜଣେ ସକ୍ରିୟ ଯୁବନେତା ଭାବେ ସେ ପରିଚିତ।

ନୀଳଗିରି କଲେଜରେ ପୂର୍ବତନ ଛାତ୍ରନେତା ଏବଂ ସ୍ଥାନୀୟ ଅଞ୍ଚଳର ଜଣେ ଉଚ୍ଚଶିକ୍ଷିତ ଯୁବକ ଭାବେ ତାଙ୍କ ପରିଚୟ ରହିଛି। ସେହିପରି ବିଜେଡି ପ୍ରାର୍ଥୀ ଶ୍ରୀ ନନ୍ଦ ସ୍ଥାନୀୟ ଅଞ୍ଚଳବାସୀଙ୍କ ପାଇଁ ଜଣେ ପରିଚିତ ଚେହେରା। ପୂର୍ବରୁ ସେ ବିଜେଡିର ଜିଲ୍ଲା ଉପସଭାପତି ଦାୟିତ୍ବ ତୁଲାଇଥିବା ବେଳେ ବର୍ତ୍ତମାନ ରାଜ୍ୟ ଯୁଗ୍ମ ସମ୍ପାଦକ ଦାୟିତବ ତୁଲାଉଛନ୍ତି। ଗତ ପଞ୍ଚାୟତ ନିର୍ବାଚନରେ ଏହି ଜୋନ୍‌ରୁ ବିଜେଡି ପଞ୍ଚାୟତସ୍ତରରେ ଭଲ ପ୍ରଦର୍ଶନ କରିଥିବା ସତ୍ତ୍ବେ ଜିଲ୍ଲା ପରିଷଦ ଭୋଟ ବିଜେପିକୁ ଯାଇଥିଲା। ସେଥିଲାଗି ଚଳିତଥର ଶ୍ରୀ ନନ୍ଦଙ୍କ ଉପରେ ଦଳ ଭରଷା କରିଛି। ସେ ମଧ୍ୟ ପ୍ରଥମଥର ପ୍ରତ୍ୟକ୍ଷ ନିର୍ବାଚନରେ ଭାଗ ନେଇଛନ୍ତି। ତେବେ ସବୁଠୁ ରୋଚକପୂର୍ଣ୍ଣ ବିଷୟ ହେଉଛି ଏହି ଜୋନରୁ ବିଜେପି ଜିତିବା କିମ୍ବା ହାରିବା ଦଳର ପ୍ରାର୍ଥୀଙ୍କ ଲୋକପ୍ରିୟତା ଉପରେ ଯେତିକି ନିର୍ଭର କରୁଛି ତା’ଠାରୁ ଅଧିକ ସମ୍ମାନ ଓ ସ୍ବାଭିମାନର ପ୍ରଶ୍ନ ଦଳର ଦୁଇ ବରିଷ୍ଠ ନେତା ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ବିଧାୟକ ସୁକାନ୍ତ ନାୟକଙ୍କ ପାଇଁ ହୋଇଛି। କାରଣ ଉଭୟଙ୍କ ଘର ୧୩ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରେ ଆସୁଛି। ନିଜ ଅଞ୍ଚଳ ହୋଇଥିବାରୁ ଉଭୟ ନେତାଙ୍କ ପାଇଁ ଏହି ଜୋନ୍‌ ଏବେ ବେଶ୍ ଗୁରୁତ୍ୱପୂର୍ଣ୍ଣ ହୋଇଛି।

ଗୋଟିଏ ପଟେ ଦଳୀୟ ଲୋକପ୍ରିୟତା ଓ ବ୍ୟକ୍ତିତ୍ବକୁ ପରଖି ଭୋଟର ତ ମତ ସାବ୍ୟସ୍ତ କରିବେ କିନ୍ତୁ ପରୋକ୍ଷରେ ସାଂସଦ ଶ୍ରୀ ଷଡ଼ଙ୍ଗୀ ଏବଂ ବିଧାୟକ ଶ୍ରୀ ନାୟକଙ୍କର ଏଠାରେ କେତେ ଦବଦବା ରହିଛି ତାହା ନିର୍ବାଚନ ପରେ ଜଣାପଡ଼ିବ।

ସମ୍ବନ୍ଧିତ ଖବର