ସାମ୍ବାଦିକଙ୍କ ପାଦରେ ବେଡ଼ି ଘଟଣା: ହୋମ୍‌ଗାର୍ଡଙ୍କୁ ଢାଲ କଲେ, ଖସିଯିବେ ଦୋଷୀ ଅଧିକାରୀ!

ବାଲେଶ୍ବର: ସାମ୍ବାଦିକଙ୍କୁ ମାଡ଼ ଓ ଗୋଡ଼ରେ ବେଡ଼ି ପକାଯିବା ଘଟଣାରେ ଜଣେ ହୋମ୍‌ଗାର୍ଡଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଫଳରେ ତାଙ୍କୁ ଢାଲ କରି ଦୋଷୀ ଅଧିକାରୀମାନେ ଖସିଯିବା ନେଇ ଉଦ୍ୟମ ହେଉଥିବା କୁହାଯାଉଛି। ଏପରି ସମୟରେ ପୂର୍ବାଞ୍ଚଳ ଦାୟିତ୍ବରେ ଥିବା କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି ଯେ ଯେଉଁ ଅଧିକାରୀମାନେ ଦୋଷୀ, ‌ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଆଗକୁ କାହା ବିରୋଧ କି କାର୍ଯ୍ୟାନୁଷ୍ଠାନ ହେବ, ସେନେଇ ଚର୍ଚ୍ଚା ଜୋର୍‌ ଧରିଛି।

ବାଲେଶ୍ବର ଜିଲ୍ଲା ‘ସମ୍ବାଦ’ ତଥା ‘କନକ ଟିଭି’ର ସାମ୍ବାଦିକ ଲୋକନାଥ ଦଳେଇଙ୍କ ପ୍ରତି ନୀଳଗିରି ପୁଲିସ ଅମାନବୀୟ ଅତ୍ୟାଚାର କରିଛି। ବିନା‌ ଦୋ‌ଷରେ ତାଙ୍କ ନାମରେ ମାମଲା ରୁଜୁ କରିଥିଲା ଏବଂ ଗିରଫ କରିଥିଲା ପୁଲିସ୍‌। ଥାନାରେ ତାଙ୍କୁ ମାଡ଼ ମରାଯାଇଥିଲା। ଲୋକନାଥ ଅସୁସ୍ଥ ହୋଇ ପଡ଼ିବାରୁ ପ୍ରଥମେ ନୀଳଗିରି ଏବଂ ପରେ ବାଲେଶ୍ବର ଡାକ୍ତରଖାନା ନିଆଯାଇଥିଲା। ତେବେ ଚିକିତ୍ସାଧୀନ ଅବସ୍ଥାରେ ମଧ୍ୟ ପୁଲିସ ତାଙ୍କୁ ଗୋଡ଼ରେ ବେଡ଼ି ପକାଇ ରଖିଥିଲା। ଏହି ଘଟଣା‌କୁ ନେଇ ରାଜ୍ୟବ୍ୟାପୀ ଅସନ୍ତୋ‌ଷ ଦେଖାଦେଇଥିବା ବେଳେ ସାମ୍ବାଦିକମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ପୁଲିସ ମାମଲାକୁ ଚପାଇ ଦେବା ପାଇଁ ଉଦ୍ୟମ କରୁଥିଲେ ବି ସେଥିରେ‌ ବିଭାଗ ସଫଳ ହୋଇପାରୁନି। ବେଡ଼ି ପକାଯିବା ନେଇ ନୀଳଗିରି ଆଇଆଇସି ଦ୍ରୌପଦୀ ଦାସ ଓ ତଦନ୍ତକାରୀ ଅଧିକାରୀ ପରସ୍ପର ଦୋଷ ଲଦାଲଦି ହେଉଛନ୍ତି। ତେବେ ପରିସ୍ଥିତି ବିଗୁଡ଼ୁ ଥିବା ଦେଖି ‌ଘଟଣାରେ ସଂପୃକ୍ତ ହାବିଲଦାର ଚିତ୍ତରଂଜନ ସିଂଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି।
ଏପରି ସମୟରେ ଏହା ଆଲୋଚନା ହେଉଛି ଯେ ଜଣେ ହୋମ୍‌ଗାର୍ଡଙ୍କୁ ଢାଲ କରି ଦୋଷୀ ଅଧିକାରୀମାନେ ଖସିଯିବାକୁ ଉଦ୍ୟମ କରିଛନ୍ତି। ‌ତେବେ ଏହି ଘଟଣାରେ ପୂର୍ବାଞ୍ଚଳ ଦାୟିତ୍ବରେ ଥିବା କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି‌; ଯେଉଁମାନେ ଦୋଷୀ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ତେବେ ଆଇଜିଙ୍କ ଏ କଥା କାମରେ କେତେ ପ୍ରତିଫଳିତ ହେବ, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର