ସୋର: ନିଜ ପରିବାରର ବୋଝକୁ ମୁଣ୍ଡକୁ ନେଇ ସ୍ୱଳ୍ପ ବୟସରୁ ଦାଦନ ଖଟିବାକୁ ଯାଇଥିବା ଜଣେ ନବଯୁବକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି। ତାଙ୍କର ଚିକିତ୍ସା ପାଇଁ ଅର୍ଥର ଅଭାବ ଥିବାରୁ ଡ଼ାକ୍ତରଖାନାର କର୍ତ୍ତୃପକ୍ଷ ମାନବିକତା ଭୁଲିଯାଇ ତାଙ୍କ ଚିକିତ୍ସା ଅଧାରୁ ବନ୍ଦ କରିବା ସହିତ ଟଙ୍କା ଦେଲେ ଯୁବକଙ୍କୁ ଓଡ଼ିଶା ଛାଡିବେ ବୋଲି କହି ବନ୍ଧକ ରଖିଛନ୍ତି। ଏପରି ଘଟଣା ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଦେଖିବାକୁ ମିଳିଛି।

Advertisment

ସୂଚନା ଅନୁସାରେ ସୋର ବ୍ଲକ ମଧୁସୂଦନପୁର ପଞ୍ଚାୟତ ବଇଞ୍ଚବାଙ୍କ ଗ୍ରାମର ଦେବେନ୍ଦ୍ର ସିଂ ଙ୍କ ପୁଅ ପ୍ରତାପ ସିଂ (୨୦)। ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସ୍ୱଳ୍ପ ବୟସରେ ପରିବାରର ବୋଝକୁ ମୁଣ୍ଡରେ ମୁଣ୍ଡାଇ ପ୍ରତାପ ଦାଦନ ଖଟିବାକୁ ହାଇଦ୍ରାବାଦ ଯାଇଥିଲେ। ସେଠାରେ ଏକ ଘରୋଇ କମ୍ପାନୀରେ କାମ କରୁଥିବା ବେଳେ ଗତ ୨୭ ତାରିଖ ରାତିରେ ତାଙ୍କର ସଡ଼କ ଦୁର୍ଘଟଣା ହୋଇଥିଲା। ଦୁର୍ଘଟଣାରେ ପ୍ରତାପଙ୍କ ହାତ ଓ ଗୋଡ଼ ଭାଙ୍ଗିଯିବା ସହିତ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା। କମ୍ପାନୀର ମାଲିକ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତି କରିବା ପରେ ମାନବିକତା ଭୁଲିଯାଇ ଉଭାନ ହୋଇଯାଇଥିଲେ।

publive-image

ଖବର ପାଇ ତାଙ୍କ ବାପା ଦେବେନ୍ଦ୍ର ଧାର କରଜ କରି କିଛି ଟଙ୍କା ନେଇ ପୁଅର ଚିକିତ୍ସା ପାଇଁ ଡାକ୍ତରଖାନାରେ ପହଞ୍ଚିଥିଲେ। ମାତ୍ର ସେତକ ଟଙ୍କା ସରିଯିବାରୁ ପ୍ରତାପଙ୍କ ମା ଛେଳି କୁକୁଡ଼ା ଘୁଷୁରୀ ଓ ଗଛ ବିକ୍ରି କରିବା ସହିତ ଗାଁରୁ ଭିକ୍ଷାବୃତ୍ତି କରି କିଛି ଟଙ୍କା ଯୋଗାଡ଼ କରି ପୁଅ ପାଖକୁ ପଠାଇଥିଲେ। ଏହା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଅଧିକ ଏକ ଲକ୍ଷ ଟଙ୍କାର ବକେୟା କାରଣରୁ ମାନବିକତା ଭୁଲିଯାଇ ପ୍ରତାପଙ୍କର ଚିକିତ୍ସା ଅଧାରୁ ବନ୍ଦ କରିବା ସହିତ ଟଙ୍କା ନଦେଲେ ପ୍ରତାପକୁ ଓଡ଼ିଶା ଛାଡିବେ ନାହିଁ ବୋଲି କହି ପ୍ରତାପକୁ ବନ୍ଧକ ରଖିଛନ୍ତି। ମାଲିକ ଜଣଙ୍କ ଧରାଛୁଆଁ ଦେଉନଥିବା ବେଳେ ବିଚରା ଗରିବ ବାପା ଅସୁସ୍ଥ ପୁଅକୁ ଧରି ଡାକ୍ତରଖାନା ବାହାରେ ଅପେକ୍ଷାରତ ଅବସ୍ଥାରେ ଅଛନ୍ତି। ଟଙ୍କା ଯୋଗାଡ଼ କରି ପଠାଗଲେ ପୁଅ ତାଙ୍କର ଚିକିତ୍ସିତ ହୋଇ ଫେରିବାର ଆଶା ରଖିଛନ୍ତି।

ସରକାର ଓ କୌଣସି ସ୍ବେଚ୍ଛାସେବୀ ସଂଗଠନ ତରଫରୁ କିଛି ଆର୍ଥିକ ସହାୟତା ମିଳିପାରିଲେ ତାଙ୍କ ପୁଅ ଓଡ଼ିଶା ଫେରିବା ସହିତ ଚିକିତ୍ସିତ ହୋଇ ଭଲ ହୋଇପାରନ୍ତା ବୋଲି ପ୍ରତାପଙ୍କ ପରିବାର ତରଫରୁ ଆକୁଳ ନିବେଦନ କରାଯାଇଛି। ତେବେ କେହି ସୁହୃଦୟ ବ୍ୟକ୍ତି ଯଦି ତାଙ୍କୁ ସାହାଯ୍ୟ କରିବାକୁ ଚାହୁଁଥିବେ ତେବେ ୭୭୫୧୯୩୪୭୧୦ ନମ୍ବରରେ ଯୋଗାଯୋଗ କରିବାକୁ ପରିବାର ଲୋକେ ନିବେଦନ କରିଛନ୍ତି।