ହଳଦିଆ ପେଟ୍ରୋକେମିକାଲ ଇଣ୍ଟିଗ୍ରେଟେଡ୍ ରିଫାଇନାରି ପ୍ଲାଣ୍ଟ ଓ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପ ବିରୋଧରେ ରାସ୍ତା ଉପରେ ମାନବ ଶୃଂଖଳ

ବାଲେଶ୍ୱର: ଭିଟାମାଟିକୁ ନିଜର କରି ରଖିବା ପାଇଁ ମାନବ ଶୃଙ୍ଖଳ । କୌଣସି ପରିସ୍ଥିତିରେ ବି କମ୍ପାନି ହାତରେ ଭିଟାମାଟିକୁ ଟେକି ଦିଆଯିବ ନାହିଁ । ମରିବୁ ପଛେ ଭିଟାମାଟି ଛାଡିବୁ ନାହିଁ । ଏମିତି କିଛି ଦାବି ନେଇ ରାସ୍ତା ଉପରେ ୨୪ କିଲୋମିଟର ବ୍ୟାପିି ମାନବ ଶୃଙ୍ଖଳ କରିଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକର ୬ଟି ପଂଚାୟତର ହଜାର ହଜାର ଲୋକ । ହଳଦିଆ ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖା ବନ୍ଦର ପ୍ରକଳ୍ପକୁ ବିରୋଧ କରୁଛନ୍ତି ଏମାନେ । ବଙ୍ଗୋପସାଗର ସଂଲଗ୍ନ ଜମ୍ବିରାଇ, ନୂଆଗାଁ, ବାଲିବିଲ, ବେତଗଡିଆ ଭଳି ୬ଟି ପଂଚାୟତର ଜାଗା ନେଇ ସେଠାରେ ଏହି ଦୁଇଟି ପ୍ରକଳ୍ପ କରିବା ପାଇଁ କେନ୍ଦ୍ର ସରକାର ସବୁଜ ସଂକେତ ଦେଇ ସାରିଛନ୍ତି ।

ପେଟ୍ରୋକେମିକାଲ ଇଂଟିଗ୍ରେଟେଡ୍ ରିଫାଇନାରୀ ପ୍ଲାଂଟ ଓ ସୁବର୍ଣ୍ଣରେଖା ବନ୍ଦର ହେଲେ ଏଠାରେ ସ୍ଥାନୀୟ ଅଂଚଳର ବହୁ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିବ ବୋଲି କୁହାଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ସୁବଜ ସଂକେତ ମିଳିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଆରମ୍ଭ ହୋଇଛି । ହେଲେ ଏହାକୁ ତୀବ୍ର ବିରୋଧ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ଉପକୂଳ ଭିଟାମାଟି ସୁରକ୍ଷା ସମିତି । ବଙ୍ଗୋପସାଗର ଉପକୂଳରେ ଥିବା ଏହି ଅଂଚଳର ଉର୍ବର ମାଟିରେ ଧାନ, ପାନ, ମୀନ, ନଡିଆ ଓ ପନିପରିବା ଚାଷ କରି ଲୋକେ ପରିବାର ପ୍ରତିପୋଷଣ କରନ୍ତି ।

ଜମିରେ କମ୍ପାନି ହେଲେ ଲୋକେ ଭିଟାମାଟି ହରାଇବା ସହ ଜୀବିକା ମଧ୍ୟ ହରାଇବେ । ତେଣୁ କୌଣସି ପରିସ୍ଥିତିରେ କମ୍ପାନି ପାଇଁ ଜମି ଦିଆଯିବ ନାହିଁ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି । ନିଜ ଦାବି ଜଣାଇବା ପାଇଁ ବାଲିଆପାଳ ପଂଚୁପାଲି ପଂଚାୟତର ଦ୍ୱାରିକାଠାରୁ କଙ୍କଡାପାଳ ମୁହାଣ ପର୍ଯ୍ୟନ୍ତ ୨୪ କିଲୋମିଟର ଯାଏଁ ମାନବ ଶୃଙ୍ଖଳା କରିଛନ୍ତି। ପ୍ରଶାସନ ଯଦି ଦାବି ନ ଶୁଣେ ତେବେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ ବୋଲି ଲୋକେ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର