ପାରିବାରିକ କଳହରୁ ସ୍ୱାମୀ ଆକ୍ରମଣରେ ସ୍ତ୍ରୀ ଗୁରୁତର

ସୋର: ବାଲେଶ୍ବର ଜିଲ୍ଲା  ଔପଦା ଥାନା ଅନ୍ତର୍ଗତ ବଡ଼ପୋଖରୀ ପଞ୍ଚାୟତ ଦୁର୍ଗାପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ପାରିବାରିକ କଳହରୁ  ସ୍ୱାମୀ ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଫଳରେ ମହିଳାଜଣଙ୍କ ଗୁରୁତର ଆହତ ହୋଇ ସୋର ଡ଼ାକ୍ତରଖାନାରେ ଭର୍ତ୍ତି ହୋଛନ୍ତି। ଏହି ଗ୍ରାମର ପଗଲା ସିଂ ଏବଂ ତାଙ୍କ ସ୍ତ୍ରୀ ମେକେଲେ ସିଂ (୨୭)ଙ୍କ ମଧ୍ୟରେ ଗତକାଲି ଅପରାହ୍ଣରେ ପାରିବାରିକ କଳହ ହେବାରୁ ପଗଲା ତାଙ୍କ ସ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଫଳରେ ମହିଳାଙ୍କର ମୁହଁ ଏବଂ ଆଖିରେ ଗୁରୁତର ଆଘାତ ଲାଗିଥିଲା। ଏହାପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କିନ୍ତୁ ଏହି ଘଟଣା ପରେ ସ୍ବାମୀ ପଗଲାକୁ ଗ୍ରାମବାସୀ ମାନେ ବାନ୍ଧିରଖି ପୁଲିସକୁ ସୂଚନା ଦେଇ ନଥିଲେ।

ରାତିରେ ଔପଦା ପୁଲିସ ଚଢ଼ାଉ କରିବାକୁ ସେହି ରାସ୍ତା ଦେଇ ଯାଉଥିବା ବେଳେ ଭିଡ଼ ଦେଖି ଅଟକିଥିଲେ। ଘଟଣା ବାବଦରେ ଅବଗତ ହେବାପରେ ଔପଦା ପୁଲିସ ମେକେଲେକୁ ୧୦୮ ଆମ୍ବୁଲାନ୍ସ ଯୋଗେ ସୋର ଡାକ୍ତରଖାନାକୁ ପଠାଇଥିବା ବେଳେ ସ୍ୱାମୀ ପଗଲାକୁ ଔପଦା ଥାନାରେ ଅଟକ ରଖିଛି। ଏପେଟେ ମେକେଲେର ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କର ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଛନ୍ତି। ଏବେ ସୁଦ୍ଧା ଔପଦା ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ ସୂତ୍ରରୁ ଖବର ମିଳିଛି।

ସମ୍ବନ୍ଧିତ ଖବର