ବାଲେଶ୍ୱର: କମର୍ଦ୍ଦା ଥାନା ଅନ୍ତର୍ଗତ ବଙ୍ଗଳା ଛକରେ ପରକୀୟା ପ୍ରୀତି ସନ୍ଦେହରେ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କୁ ହତ୍ୟା କରିଛି | ମିଳିଥିବା ସୂଚନା ମୁତାବକ କମର୍ଦ୍ଦା ବଙ୍ଗଳା ଛକରେ ଦୋକାନ କରି କମଳାକାନ୍ତ ରଣା ନାମକ ବ୍ୟକ୍ତି ରହୁଥିଲେ | ଗୁରୁବାର ବିଳମ୍ବିତ ରାତିରେ ଅନ୍ୟ ସହ ସମ୍ପର୍କକୁ ସନ୍ଦେହ କରି ନବବିବାହିତ ପତ୍ନୀ ସହ ଝଗଡା କରିଥିଲା |

Advertisment

ଝଗଡା ଏତେ ଉଗ୍ର ରୂପ ଧାରଣା କରିଥିଲା ଯେ ଅଭିଯୁକ୍ତ ଏକ ଧାରୁଆ ଛୁରୀରେ ପତ୍ନୀଙ୍କୁ ହତ୍ୟା କରିଥିଲା | କାଳେ କେହି ଜାଣିଦେବେ ବୋଲି କମଳାକାନ୍ତ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା | ସ୍ଥାନୀୟ ଲୋକ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କ ପତ୍ନୀଙ୍କୁ ଜଳେଶ୍ୱର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ| ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ |

ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ତଦନ୍ତ କରି ପୋଲିସ ଅଭିଯୁକ୍ତକୁ ପଶ୍ଚିମବଂଗର ମଦନପୁର ଗ୍ରାମରୁ ଗିରଫ କରିଥିଲା | ଘଟଣାର ସମ୍ପୂର୍ଣ୍ଣ ତଦନ୍ତ ପରେ ସଠିକ କାରଣ ଜଣାପଡିବ ବୋଲି କମର୍ଦ୍ଦା ଥାନା ଅଧିକାରୀ କହିଛନ୍ତି| ଅଭିଯୁକ୍ତ ପାଖରୁ ହତ୍ୟାକାଣ୍ଡରେ ବ୍ୟବହାର ହୋଇଥିବା ଧାରୁଆ ଛୁରୀ ସହ ମୋଟରସାଇକେଲ ପୋଲିସ ଜବତ କରିଛି |