ଜଳେଶ୍ଵର: ଗତକାଲି ବିଳମ୍ବିତ ରାତିରେ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଥାନା ଆମ୍ବଳିଅଠା ଛକ ନିକଟସ୍ଥ ଆମ୍ବଳିଅଠା-ସୋଲପଟା ରାସ୍ତା ପାର୍ଶ୍ବରେ ଥିବା ଗୋଟିଏ ଘର ଉପରକୁ ଏକ ମେଟାଲ ବୋଝେଇ ଡମ୍ପର ମାଡ଼ି ଯିବାରୁ ଘଟଣାସ୍ଥଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ମୃତକ ଦୁଇ ଜଣ ସମ୍ପର୍କରେ ସ୍ବାମୀ-ସ୍ତ୍ରୀ। ସେହିପରି ସେମାନଙ୍କ ପୁତ୍ରବଧୂ ଓ ୭ ବର୍ଷର ନାତି ଅଳ୍ପକେ ବର୍ତ୍ତି ଯାଇଛନ୍ତି।

Advertisment

ବିବରଣୀରୁ ପ୍ରକାଶ ଯେ ଗତ ମଙ୍ଗଳବାର ରାତି ପାଖାପାଖି ୨ଟା ସମୟରେ ଡବ୍ଲୁବି୩୩ଇ୪୩୩୬ ନମ୍ବରର ଏକ ୧୦ଚକିଆ ଡମ୍ପର ମେଟାଲ ବୋଝେଇ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ବେଳେ ଆମ୍ବଳିଅଠା ଛକ ନିକଟସ୍ଥ ଆମ୍ବଳିଅଠା-ସୋଲପଟା ରାସ୍ତାକଡ଼ ପାଟଣାସାହି ମୌଜାରେ ଥିବା ଏକ ଝାଟିମାଟି ଘର ଉପରକୁ ମାଡ଼ିଯିବା ସହ ଓଲଟି ପଡିଥିଲା। ସେହି ସମୟରେ ଘର ଭିତରେ ଶୋଇଥିବା ସୁଧୀର କୁମାର ଜେନା ଓ ତାଙ୍କ ପତ୍ନୀ ସବିତା ଜେନା ଡମ୍ପର ଓ ମେଟାଲ ଚାପି ହୋଇ ରହିଥିଲେ। ସ୍ଥାନୀୟ ଲୋକେ ଶବ୍ଦ ଶୁଣି ଘଟଣାସ୍ଥଳରେ ପହଞ୍ଚିବା ସହ ବହୁ କଷ୍ଟରେ ଉଭୟଙ୍କୁ ମେଟାଲ ତଳୁ ଉଦ୍ଧାର କରିଥିଲେ। ତେବେ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇ ଯାଇଥିଲା।

ସେହିପରି ସୁଧୀରଙ୍କ ପୁତ୍ରବଧୁ ରଞ୍ଜିତା (୨୬) ଓ ତାଙ୍କ ୭ ବର୍ଷର ପୁଅ ଅଳ୍ପକେ ରକ୍ଷା ପାଇ ଯାଇଛନ୍ତି ବୋଲି କୁହାଯାଇଛି। ରାତି ପ୍ରାୟ ସାଢେ ୩ ଟା ସମୟରେ ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ରାସ୍ତା ଉପରେ ଶବ ରଖି ଆମ୍ବଳିଅଠା-ସୋଲପଟା ରାସ୍ତାକୁ ଅବରୋଧ କରିଥିଲେ। ଜଳେଶ୍ୱର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଦୀର୍ଘ ସମୟ ଧରି ବୁଝାସୁଝା କରିବା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ।