ନକଲି ମଦର ଭଣ୍ଡାର ପୁରୁଣା ବାଲେଶ୍ବର : ବର୍ଷେ ପୂର୍ବରୁ ମଦ ନେଇଥିଲା ୧୦ ମୁଣ୍ଡ

ବାଲେଶ୍ବର : ମଦ କାରବାରକୁ ନେଇ ବାଲେଶ୍ବର ଜିଲ୍ଲା‌ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ସ୍ଥିତି ଏପରି ହୋଇଛି ଜିଲ୍ଲାରେ ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସବୁଠି ମଦ କାରବାରର ଅବାଧବେପାର ଚାଲିଥିବାବେଳେ କିଛି ସ୍ଥାନରେ ଘରେଘରେ ଏହି ବେଆଇନ କାରବାର ଲୋକଙ୍କର ଜୀବନଜୀବିକା ପାଲଟିଛି। ଏପରିକି କରୋନା ପାଇଁ ଲାଗୁ ହୋଇଥିବା ଲକ୍‌ଡାଉନ ବେଳେ ବି ମଦ କାରବାର ଉପରେ ଅବକାରୀ ବିଭାଗ, ପୁଲିସ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନ କେହି ରୋକ ଲଗାଇ ପାରିନାହାନ୍ତି।

ବାଲେଶ୍ବର ସହରରେ ଥିବା ପୁରୁଣା ବାଲେଶ୍ବର ଅଞ୍ଚଳ ନକଲି ମଦ କାରବାରର ସବୁଠୁ ବଡ଼ ପେଣ୍ଠସ୍ଥଳୀ ପାଲଟିଛି। ଏହି ଅଞ୍ଚଳ‌ର ଅନେକ ଲୋକ ଚୋରା ମଦ କାରବାର କରିବା ସହ ରୋଜଗାରର ମୁଖ୍ୟ ମାଧ୍ୟମ ଭାବେ ଗ୍ରହଣ କରିଛନ୍ତି। ଗଳିଗଳିରେ ରହିଛି ମଦଭାଟି। ପ୍ରତିଦିନ ଏଠାରୁ ଚୋରାରେ ଶହଶହ ଲିଟର ଦେଶୀ ଓ ନକଲି ମଦ ତିଆରି ହୋଇ ଜିଲ୍ଲାଦେଇ ବାହାର ଜିଲ୍ଲାକୁ ପଠାଯାଉଛି। ପୁରୁଣା ବାଲେଶ୍ବରରୁ ବଙ୍କାଖଜୁରୀ, ରସାଳପୁର, ଗୋପାଳପୁର, ବାହାନଗା, ଅଞ୍ଜି, ବାସୁଦେବପୁର ଦେଇ ଭଦ୍ରକ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ପ୍ରତିଦିନ ହଜାର ହଜାର ଲିଟର ମଦଚାଲାଣ କରାଯାଉଛି। ସେହିପରି ବାଲେଶ୍ବର ସହରରୁ ସିନ୍ଧିଆ, ଗୋପୀନାଥପୁର, ପରିଖି, ଛାନୁଆ, ସାର୍ଥା ଦେଇ ବିଭିନ୍ନ ଅଞ୍ଚଳକୁ ମଦ ଚାଲାଣ କରାଯାଉଥିବା ନଜିର ରହିଛି। ବସ୍ତା, ଜଳେଶ୍ବର, ନୀଳଗିରିରେ ମଧ୍ୟ ଅବାଧ ନିଶା କାରବାର ଚିନ୍ତା ବଢ଼ାଇଲାଣି। ଆଜିକୁ ଠିକ୍‌ ବର୍ଷେ ପୂର୍ବରୁ ସାଧାରଣ ନିର୍ବାଚନ ସରିବା ପରେ ଭଦ୍ରକ ଜିଲ୍ଲା ପୀରହାଟ ଓ ଚାନ୍ଦବାଲି ଅଞ୍ଚଳରେ ବିଷ‌ାକ୍ତ ମଦପିଇ ୧୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ଶତାଧିକ ଲୋକ ଗୁରୁତର ଅସୁସ୍ଥ ହୋଇଥିଲେ। ରାଜ୍ୟବ୍ୟାପୀ ନିଶା ନିବାରଣ ସଂଗଠନ, ରାଜନୈତିକ ଦଳ, ସାମାଜିକ ସଂଗଠନଗୁଡ଼ିକ ପକ୍ଷରୁ ସରକାରଙ୍କ ବିରୋଧରେ ବିକ୍ଷୋଭ, ଧାରଣା ଓ ଆନ୍ଦୋଳନ ହୋଇଥିଲା। କେଉଁଠି ଏବଂ କିପରି ଭାବେ ଏହି ମଦ ସେମାନଙ୍କ ନିକଟରେ ପହଞ୍ଚିଲା ତାର ତନାଘନା କରିବା ପାଇଁ ଦାବି ଉଠିଥିଲେ ହେଁ ପରବର୍ତ୍ତୀ ସମୟରେ ତାହା ଚାପିଯାଇଛି। ଫଳରେ ବେଆଇନ ମଦ କାରବାର ଏପରି ଭାବେ ବଢ଼ିଯାଇଛି ଯେ, ବେଳୁ ସତର୍କ ନହେଲେ ଆଗକୁ ପୁଣି ମଦମୃତ୍ୟୁ ଆଶଙ୍କାକୁ ଆଦୌ ଏଡ଼ାଇ ଦେଇ ହେବନାହିଁ।

ଏନେଇ ଜିଲ୍ଲା ଅବକାରୀ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ପଚାରିବାରୁ ନିଜ ନାମ ଗୋପନ ରଖି କହିଥିଲେ ଯେ, ଜିଲ୍ଲା ବେଆଇନ ନିଶା କାରବାରକୁ ହଟାଇବାକୁ ହେଲେ କେବଳ ଅବକାରୀ ବିଭାଗ ଚାହିଁଲେ ହେବ ନାହିଁ। ଏଥିପାଇଁ ଜିଲ୍ଲା ପ୍ରଶାସନ, ପୁଲିସର ମଧ୍ୟ ସହଯୋଗ ଆବଶ୍ୟକ। କାରଣ ଅବକାରୀ ବିଭାଗ ପାଖରେ ଆବଶ୍ୟକ ସଂଖ୍ୟକ କର୍ମଚାରୀ ନାହାନ୍ତି। ‌ଜିଲ୍ଲା ଅବକାରୀ ବିଭାଗ ଅଧୀନରେ ଯେତେବେଳେ ୫ଟି ଥାନା ରହିଥିଲା ସେତେବେଳେ ଜଣେ ସୁପରିନଟେଣ୍ଡେଟ୍‌, ଜଣେ ଡେପୁଟି ‌ସୁପରିନଟେଣ୍ଟେଟ୍‌, ୩ ଜଣ ଇନ୍ସପେକ୍ଟର, ୬ ଜଣ ଏସ୍‌ଆଇ, ୬ ଜଣ ଏଏସ୍‌ଆଇ, ୨୯ ଜଣ କନେଷ୍ଟବଳ, ଜଣେ କିରାଣି ଓ ଜଣେ ଡ୍ରାଇଭର ଥିଲେ। ଏବେ ୮ଟି ଅବକାରୀ ଥାନାକୁ ବୃଦ୍ଧି ପାଇଥିବାବେଳେ କର୍ମଚାରୀ ସଂଖ୍ୟା ବୃଦ୍ଧି କରାଯାଇନାହିଁ। ଏହାଛଡ଼ା ନିଶାମାଫିଆଙ୍କୁ ଧରିବା ଲାଗି ଅଧିକାଂଶ ସମୟରେ ସ୍ଥାନୀୟ ପୁଲିସର ସହଯୋଗ ମିଳୁନଥିବାବେଳେ ବେଆଇନ ନିଶା‌ କାରବାର ଉପରେ ଅଙ୍କୁଶ ଲଗା ଯାଇପାରୁନଥିବା ସେ କହିଥିଲେ।

ସମ୍ବନ୍ଧିତ ଖବର