ଜଳେଶ୍ୱର: ଜଳେଶ୍ୱର ଓ ଭୋଗରାଇର ଧୋୟା ଅଞ୍ଚଳରେ ଏବେ ବି ବନ୍ୟା ପରିସ୍ଥିତିରେ ସୁଧାର ଆସି ନଥିବା ବେଳେ ପୁଣି ଧାନଜମିରେ ନଳୀପୋକ ଚାଷୀଙ୍କ ଚିନ୍ତା ବଢ଼ାଇ ଦେଇଛି। ଯେଉଁ ଧାନ କିଆରିଗୁଡିକ ପାଣିରେ ବୁଡ଼ି ରହିଥିଲା, ସେହି ସବୁ କିଆରିରେ ଏହି ନଳୀପୋକ ଲାଗିଥିବା କୁହାଯାଇଛି। ଧାନଗଛର ଅଗରେ ଏହି ନଳୀପୋକ ଲାଗି ଏକର ଏକର ଜମିର ଫସଲ ଉଜୁଡି ଯିବାକୁ ବସିଛି ବୋଲି ଚାଷୀମାନେ ପ୍ରକାଶ କରିଛନ୍ତି। ଏହି ନଳୀପୋକଗୁଡିକ ମାତ୍ର ଅଢେଇରୁ ତିନି ସେଣ୍ଟିମିଟର ଲମ୍ବର ଏବଂ ଦେଖିବାକୁ ଠିକ୍‌ ସମ୍ବାଳୁଆ ପରି। ଏହାର ରଙ୍ଗ ‌ସବୁଜ ରଙ୍ଗ ପରି। ପୋକ ଧାନଗଛର ପତ୍ରର ଅଗ୍ରଭାଗରେ ପ୍ରଥମେ ଏକ ପ୍ରକାର ବସା ଦେଇଥାଏ। ଆଉ ମାତ୍ର କିଛି ଘଣ୍ଟା ମଧ୍ୟରେ ସେହି ବସାରେ ରହି ନିଜ ଦେହରୁ ବାହାର କରୁଥିବା ଏକ ଅଠା ସାହାଯ୍ୟରେ ପତ୍ରକୁ ଯେମିତି ନଳୀ ସଦୃଶ କରିଦିଏ। ସେହି ନଳୀ ଭିତରେ ରହି ପତ୍ରରୁ ରସ ଶୋଷି ଖାଇଥାଏ। ଏହାପରେ ଗଛର ଅଗପତ୍ର ଶୁଖି ଧଳା ଦେଖାଯିବା ସହ ତଳକୁ ତଳକୁ ଶୁଖିଚାଲେ। ଏବେ ଥୋଡ଼ ବାହାରିବା ସମୟରେ ଧାନଗଛ ଅଗ ଶୁଖି ଯାଉଥିବାରୁ ଗଛ ଆଉ ଖାଦ୍ୟ ନେଇ ପାରିବନି ବୋଲି କେତେକ ଅଭିଜ୍ଞ ଚାଷୀ ପ୍ରକାଶ କରିଛନ୍ତି।

Advertisment

ବନ୍ୟା ଯୋଗୁଁ ହଜାର ହଜାର ଏକର ଜମିର ଫସଲ ପାଣିରେ ବୁଡି ପଚିଯାଇଥିବା ବେଳେ ଏବେ ପୁଣି ନଳୀପୋକ ଚାଷୀଙ୍କ ମୁହଁରୁ ହସ ଛଡାଇ ନେଇଛି। ଜଳେଶ୍ୱର ବ୍ଲକ୍‌ର ସମ୍ପତ୍ତିଆ, ଖାଲିନା ଓ ଭୋଗରାଇ ବ୍ଲକ୍‌ର ନାଚିନ୍ଦା ଏବଂ ନହରା ଆଦି ପଞ୍ଚାୟତରେ ଏହି ରୋଗ ଏବେ ବ୍ୟାପିବାରେ ଲାଗିଛି। ପ୍ରତିଦିନ ଏକର ଏକର ଜମିକୁ ନଳୀପୋକ କବଳିତ କରୁଛି।

ଚାଷୀଙ୍କଠାରୁ ଖବର ପାଇ ଜଳେଶ୍ୱର କୃଷି ଓଭର୍‌ସିଅର ପଦ୍ମଲୋଚନ ବାରିକ ଏବଂ ଭିଏଡବ୍ଲ୍ୟୁ ରତିକାନ୍ତ ମହାନ୍ତି ଆଜି ବ୍ଲକ୍‌ର ସମ୍ପତ୍ତିଆ ଗାଁ’କୁ ଯିବା ସହ ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ପୋକର ନିରାକରଣ ପାଇଁ ଟାଟରାଫ୍‌ ହାଇଡ୍ରୋ କ୍ଲୋରାଇଟ୍‌, ଲାମ୍ବଡା ସାଇ ହାଲେଥ୍ରିନ୍‌ ଅଥବା ବାଇଫେନ୍‌ ଥ୍ରିନ୍‌ ନାମକ; ତିନି ପ୍ରକାର କୀଟନାଶକ ଔଷଧ ମଧ୍ୟରୁ ଯେକୌଣସି ଗୋଟିଏ ସିଞ୍ଚନ କରିବାକୁ ଚାଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଏହି ଔଷଧ ସିଞ୍ଚନ କରିବାର ମାତ୍ର ୩୬ ଘଣ୍ଟା ମଧ୍ୟରେ ପୋକ ବଂଶ ସମ୍ପୂର୍ଣ୍ଣ ଲୋପ ପାଇବ ବୋଲି ଓଭର୍‌ସିଅର୍‌ ଶ୍ରୀ ବାରିକ ପ୍ରକାଶ କରିଛନ୍ତି। ତେବେ ଅନେକ କିଆରିରେ ଏବେ ବି ଦୁଇରୁ ତିନି ଫୁଟ ଲେଖାଏଁ ବନ୍ୟା ପାଣି ଲହରି ଖେଳୁଥିବାରୁ ଚାଷୀ ଜମିରେ କିପରି ଔଷଧ ସିଞ୍ଚନ କରିବେ, ସେହି ଚିନ୍ତାରେ ପଡ଼ିଛନ୍ତି।