ଜଳେଶ୍ଵର: ଦକ୍ଷିଣ ପୂର୍ବ ରେଳବାଇର ଖଡଗପୁର ସ୍ଥିତ ଡିଆରଏମ୍ ଅଫିସ ଅଧୀନରେ ଥିବା ପଶ୍ଚିମବଙ୍ଗର ହିଜଲି ଷ୍ଟେସନରେ ଆଜି ଏକ ନିଆରା ଢଙ୍ଗରେ ମହିଳା ଦିବସ ପାଳିତ ହୋଇଯାଇଛି। ଆଜି ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଏହି ଷ୍ଟେସନଟି କେବଳ ମହିଳା କର୍ମଚାରୀଙ୍କ ଦ୍ୱାରା ପରିଚାଳିତ ହୋଇଥିଲା। ଖଡ଼ଗପୁର ଡିଆରଏମ୍ କେଆର ଚୌଧୁରୀ ଅନ୍ୟ ଅଧିକାରୀଙ୍କ ସହ ଆଜି ପୂର୍ବାହ୍ନରେ ହିଜଲି ଷ୍ଟେସନରେ ପହଞ୍ଚିଥିଲେ। ହିଜଲି ଷ୍ଟେସନର ମହିଳା କର୍ମଚାରୀମାନେ ଡିଆରଏମଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।
ଏହି ଅବସରରେ ସମ୍ପୂର୍ଣ୍ଣ ମହିଳାମାନଙ୍କ ଦ୍ବାରା ପରିଚାଳିତ ୦୦୬୩୧ ନମ୍ବରର ଏକ ପାର୍ସଲ ଟ୍ରେନ ହିଜଲି ଷ୍ଟେସନରୁ ଖଡଗପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା।ଡିଆରଏମ୍ ଏହି ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କରିକରିଥିଲେ। ଟ୍ରେନକୁ ଲୋକୋ ପାଇଲଟ ଭାବେ ତନୁଲେଖା ପାଲ,ସହକାରୀ ଲୋକ ପାଇଲଟ ଭାବେ ତାନିଆ ବୈତାଲିକ,ଟ୍ରେନ ମ୍ୟାନେଜର ଭାବୁ ଦେବଶ୍ରୀ ଦାସ ପରିଚାଳନା କରିଥିଲେ। ସେହିପରି ଷ୍ଟେସନ ଅଧୀକ୍ଷକ ଭାବେ ଗୀତା କୁମାରୀ ଦାସ ଏବଂ ଷ୍ଟେସନ ମ୍ୟାନେଜର ଶତାବ୍ଦୀ ରାୟ ଷ୍ଟେସନକୁ ପରିଚାଳିତ କରିଥିଲେ। ଏହି ଗସ୍ତ ଅବସରରେ ଡିଆରଏମ ପ୍ୟାନେଲ ରୁମକୁ ଯାଞ୍ଚ କରିବା ସହ ଷ୍ଟେସନ ପରିସରକୁ ବୁଲି ଦେଖିଥିଲେ।