ଈଶ୍ୱର ବେହେରା ଆତଙ୍କବାଦୀ ଲିଙ୍କ୍‌ ମାମଲା

ବାଲେଶ୍ୱର : ୨୦୧୫ ମସିହା ଜାନୁଆରି ୨୪ ତାରିଖରେ ଡିଆରଡିଓର ବାଲେଶ୍ବର ଚାନ୍ଦିପୁର ସ୍ଥିତ ଆଇଟିଆର ପରିସରରୁ ଈଶ୍ବର ଚନ୍ଦ୍ର ବେହେରା ନାମକ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଥିଲା। ସମ୍ପୃକ୍ତ ଯୁବକ ସେଠାରେ ଜଣେ ଚୁକ୍ତିଭିତ୍ତିକ କ୍ୟାମେରାମ୍ୟାନ ଭାବେ ନିଯୁକ୍ତି ପାଇଥିଲେ।

ଚାନ୍ଦିପୁର ଆଇଟିଆର ଉପରେ ପାକିସ୍ତାନର ଗୁପ୍ତଚର ଏଜେନ୍ସି ଆଇଏସଆଇର ସମ୍ଭାବ୍ୟ ଆକ୍ରମଣ ଆଶଙ୍କା ରହିଥିବାବେଳେ ଈଶ୍ବର ସେମାନଙ୍କୁ ଆଇଟିଆର ବିଷୟରେ ସୂଚନା ବାଣ୍ଟୁଥିବା ଅଭିଯୋଗ ହୋଇଥିଲା। ଦୀର୍ଘ ୮/୧୦ ମାସ ଧରି ସେ ଆଇଏସ୍‌ଆଇ ପାଇଁ ଗୁପ୍ତଚର କାମ କରିଥିଲେ। ତାଙ୍କର ସନ୍ଦେହଜନକ କାର୍ଯ୍ୟକଳାପ ବିଷୟରେ ଗୁଇନ୍ଦା ବିଭାଗ ସୂଚନା ଦେବା ପରେ ରାଜ୍ୟ ଗୁଇନ୍ଦା ବିଭାଗ ତାର ଗତିବିଧି ଉପରେ ନଜର ରଖିଥିଲେ। ଗିରଫ ପରେ ଈଶ୍ବର ନିଜେ ସ୍ବୀକାର କରିଥିଲା ଯେ, ସେ କ୍ଷେପଣାସ୍ତ୍ର ପରୀକ୍ଷା ସମ୍ବନ୍ଧରେ ସମ୍ବେଦନଶୀଳ ତଥ୍ୟ ଏଏସ୍‌ଆଇକୁ ପଠାଉଥିଲେ। ଏଥି ସହ ସେମାନଙ୍କ ସହ ନିରନ୍ତର ଯୋଗାଯୋଗରେ ଥିଲେ। କୋଲକାତା ଯାଇ ଆଇଏସ୍‌ଆଇ ଏଜେଣ୍ଟମାନଙ୍କୁ ବାରମ୍ବାର ସାକ୍ଷାତ କରିଥିଲେ। ୬ଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟକୁ ପ୍ରାୟ ୫୦ହଜାର ଟଙ୍କା ଟ୍ରାନ୍ସଫର କରାଯାଇଥିଲା। ଆବୁଧାବି, ମୁମ୍ବାଇ, ମିରଟ, ଆନ୍ଧ୍ରପ୍ରଦେଶ ଏବଂ ବିହାର ସମେତ ବିଭିନ୍ନ ସ୍ଥାନରୁ ଇଣ୍ଟରନେଟ ବ୍ୟାଙ୍କିଂ ମାଧ୍ୟମରେ ତାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା। ଚାନ୍ଦିପୁର ଥାନାରେ ଧାରା ୧୨୦ବି(ଅପରାଧିକ ଷଡଯନ୍ତ୍ର) ଏବଂ ୧୨୧ଏ(ଦେଶଦ୍ରୋହ)ରେ ମାମଲା ରୁଜୁ କରାଯାଇ ଈଶ୍ବରକୁ ଗିରଫ କରାଯାଇଥିଲା। ଈଶ୍ବରର ଘର ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା କଣ୍ଟିପୁର ଅଞ୍ଚଳରେ।

ସମ୍ବନ୍ଧିତ ଖବର