ଆଇଟିଆର୍‌ରେ ଉଦ୍‌ଘାଟିତ ହେଲା ଆନ୍ତର୍ଜାତିକ ସମ୍ମିଳନୀ:ଯୁବଶକ୍ତିକୁ ଅଧିକ କ୍ଷମତା ଦିଆଯିବା ଦରକାର: ଡ.କିରନ୍ କୁମାର

୧୮ଟି ଦେଶର ବୈଜ୍ଞାନିକଙ୍କ ଯୋଗଦାନ

ବାଲେଶ୍ବର:  ଦିନରେ ଜ୍ଞାନକୌଶଳ(ଟେକ୍ନୋଲୋଜି) ବହୁତ ଆଗକୁ ଯାଇଛି। ଭାରତରେ ଇସ୍ରୋ ବର୍ତ୍ତମାନ ସୁଦ୍ଧା ୪୯ଟି ସାଟେଲାଇଟ୍‌ ଉତ୍‌କ୍ଷେପଣ କରିଛି। ସାଧାରଣ ଲୋକଟିଏ ଆଜି ଲେଖିବା ଓ ପଢିବା ଜାଣିନଥିଲେ ବି ଜ୍ଞାନକୌଶଳକୁ ବ୍ୟବହାର କରିପାରୁଛି। ଜ୍ଞାନକୌଶଳରେ ଯୁବଶକ୍ତିକୁ ଆହୁରି ଅଧିକ କ୍ଷମତା ଦିଆଯିବା ଦରକାର। କାରଣ ସେମାନେ ଆଗାମୀ ଭବିଷ୍ୟତର ନେତୃତ୍ବ ନେବେ। ଚାନ୍ଦିପୁରସ୍ଥିତ ଆଇଟିଆର୍‌ ଡିଆର୍‌ଡିଏ ଅଡିଟୋରିଅମ୍‌ରେ କ୍ଷେପଣାସ୍ତ୍ର ଓ ମହାକାଶକୁ ନେଇ ଆଜିଠାରୁ ଆରମ୍ଭ ହୋଇଥିବା ଆନ୍ତର୍ଜାତିକ ସମ୍ମିଳନୀରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଇସ୍ରୋର ପୂର୍ବତନ ଅଧ୍ୟକ୍ଷ ଖ୍ୟାତନାମା ବୈଜ୍ଞାନିକ ଡ. କିରନ କୁମାର ଏଭଳି ମତ ରଖିଛନ୍ତି।
ତିନି ଦିନ ବ୍ୟାପୀ ହେବାକୁ ଥିବା ଏହି ଆନ୍ତର୍ଜାତିକ ସମ୍ମିଳନୀକୁ ମୁଖ୍ୟ ଅତିଥି ଉଦ୍‌ଘାଟନ କରିଥିଲେ। ପ୍ରଥମେ ପୁଲୱାମାଠାରେ ସହିଦ ହୋଇଥିବା ବୀର ଯବାନଙ୍କ ଉଦ୍ଦେଶ୍ୟରେ ଦୁଇ ମିନିଟ୍‌ ନିରବ ପ୍ରାର୍ଥନା କରାଯାଇଥିଲା। ଆଇଟିଆର୍‌ ନିର୍ଦ୍ଦେଶକ ଡ. ବିନୟ କୁମାର ଦାସ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ। ଏହି ଅବସରରେ ଉଦ୍‌ବୋଧନ ଦେଇ ଡ.କିରନ କୁମାର ଆଇଟିଆର୍‌ ଯେଉଁସବୁ ଟେକ୍ନୋଲୋଜି ବାହାର କରିଛି ତାକୁ ପ୍ରଂସଶା କରିବା ସହିତ କ୍ଷେପଣାସ୍ତ୍ର ପରୀକ୍ଷଣ କ୍ଷେତ୍ରରେ ଚାନ୍ଦିପୁର ଆଜି ବହୁ ଅଗ୍ରଣୀ ଭୂମିକା ହାସଲ କରିଛି ବୋଲି କହିଥିଲେ। ଆଇଟିଆର୍‌‌ରେ ସବୁ ମିସନ୍‌ ସଫଳ ହେବାର କାରଣ ହେଉଛି ଏଠାରେ ଏକ ଶୃଙ୍ଖଳିତ ପରିବେଶରେ କାମ କରାଯାଉଛି। ବାଲେଶ୍ବର ଭଳି ଏତେ ଦୂରରେ ଥିବା ଏକ ଛୋଟ ସହରକୁ ଆଜି ୧୮ରୁ ଅଧିକ ଦେଶର ବୈଜ୍ଞାନିକମାନେ ଆସି ପାରିଛନ୍ତି ଏବଂ ବିଶ୍ବର ସବୁଠାରୁ ଅତି ସୁନ୍ଦର ସମ୍ମିଳନୀଟିଏ ବାଲେଶ୍ବରରେ ‌ଆୟୋଜନ କରାଯାଉଛି ବୋଲି ସେ କହିଥିଲେ।
ସମ୍ମାନିତ ଅତିଥି ଭାବେ ଡିଆରଡିଓର ପୂର୍ବତନ ସେକ୍ରେଟେରି ଡ. ଅବିନାଶ ଚନ୍ଦର ଯୋଗଦେଇ ବିଗତ ତିନି ବର୍ଷ ଭିତରେ ଆଇଟିଆର୍‌ ନିଜ ଜ୍ଞାନକୌଶଳରେ ବହୁତ ବଡ଼ ବଡ଼ ସଫଳତା ହାସଲ କରି ପାରିଛି। ଯାହାଦ୍ବାରା ଆମେ ବିଦେଶରୁ ଟେକ୍ନୋଲୋଜିର ସାହାଯ୍ୟ ନେବା ଦରକାର ହେଉନାହିଁ। ଆମେ ପୃଥିବୀର ସର୍ବଶ୍ରେଷ୍ଠ ହୋଇପାରିଛୁ। କିଛି ବର୍ଷରେ ଆଇଟିଆର୍‌ର କାୟା ପରିବର୍ତ୍ତନ ହୋଇଛି ବୋଲି କହିଥିଲେ। ଏହି ସମ୍ମିଳନୀରେ ଅନ୍ୟତମ ଅତିଥି ଭାବେ ଯୋଗ ଦେଇ ମିସାଇଲ ଡାଇରେକ୍ଟର ଜେନେରାଲ ଏମ୍‌ଏସ୍‌ଆର୍‌ ପ୍ରସାଦ କହିଲେ ଯେ ଆଇଟିଆର ହେଉଛି ସବୁଠୁ ବ୍ୟସ୍ତବହୁଳ ରେଞ୍ଜ। ଏଠାରେ ବର୍ଷକୁ ୫୦ରୁ ୬୦ ମିସନ ହୋଇଥାଏ ।
ବରିଷ୍ଠ ବୈଜ୍ଞ‌ାନିକ ନୀଲମ କୁମାର ପାଲ ମଞ୍ଚ ପରିଚାଳନା କରିଥିଲେ। ସମ୍ମିଳନୀର ଆବାହକ ତଥା ବୈଜ୍ଞାନିକ ବି ସୁଚରିତା ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ଏକ ସମ୍ମିଳନୀର ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା। ବାଲୁକା ଶିଳ୍ପୀ ଟୁନାଙ୍କ ଦ୍ବାରା ଡ. କଲାମ୍‌ଙ୍କ ମୂର୍ତ୍ତି ସହିତ ଅନେକ କ୍ଷେପଣାସ୍ତ୍ର ବାଲୁକାରେ ତିଆରି କରାଯାଇଥିଲା। ଏହି ବାଲୁକା ମାଧ୍ୟମରେ ‘ଗୋଟିଏ ଦଳ ଏବଂ ଅସଂଖ୍ୟ ପ୍ରଶ୍ନ’ର ଗୋଟିଏ ମିସନ୍‌ ଦିଆଯାଇଥିଲା। ଏହାକୁ ଦେଖି ଅତିଥିମାନେ ବହୁ ପ୍ରଂଶସା କରିଥିଲେ। ବିଭିନ୍ନ ଦେଶରୁ ଆସିଥିବା ଅତିଥିମାନେ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଆଇଟିଆରର ପୂର୍ବତନ ନିର୍ଦ୍ଦେଶକ ଏମ୍‌ଭିକେଭି ପ୍ରସାଦ, ସୁବାସ ଚନ୍ଦ୍ର ନାରଙ୍ଗ, ଏକେ ଚେକ୍‌ର, ଏସ୍‌ପି ଦାସ ପ୍ରମୁଖ ଏହି ସମ୍ମିଳନୀରେ ଯୋଗଦେଇଥିଲେ। ବୈଜ୍ଞାନିକ ନୀଳାଦ୍ରି ରୟ, ଚିତ୍ତରଂଜନ ଓଝା ଓ ଆଇଟିଆର୍‌ର ଅନ୍ୟାନ୍ୟ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ କାନାଡ଼ା, ଆମେରିକା, ଇଟାଲୀ, ଜର୍ମାନୀ, ଇସ୍ରାଏଲ, ସିଙ୍ଗାପୁର, ନ୍ୟୁଜିଲାଣ୍ଡ, କାତାର, ଦକ୍ଷିଣ କୋରିଆ, ଫ୍ରାନ୍‌ସ ଆଦି ୧୮ଟି ଦେଶରୁ ବୈଜ୍ଞାନିକମାନେ ଏହି ସମ୍ମିଳନୀ‌ରେ ଯୋଗ ଦେଇଛନ୍ତି। ସେହିପରି ବିଭିନ୍ନ ଦେଶରୁ ୨୦୦ରୁ ଅଧିକ ସନ୍ଦର୍ଭ ଆସିଥିବା ବେଳେ ସେଥିରୁ ଚୟନ ହୋଇଥିବା ୭୭ଟି ସନ୍ଦର୍ଭକୁ ଏହି ସମ୍ମିଳନୀ‌ରେ ଆଳୋଚନା ଓ ତର୍ଜମା କରାଯିବ।

ସମ୍ବନ୍ଧିତ ଖବର