ଜଳେଶ୍ବର(ସତ୍ୟବ୍ରତ ପ୍ରଧାନ): କଳା ମଚମଚ ଅନ୍ଧାରିଆ ଘର।ଘର ଭିତରେ ବୟସର ସାୟାହ୍ନ ରେ ପାଦ ଥାପି ଥିବା ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ମାକଡିଆ ଗାଁର ର ସୁରେନ୍ଦ୍ର ଓ ତାରାମଣି।ସୁରେନ୍ଦ୍ର ଙ୍କ ବୟସ ୯୦ ଟପିଲାଣି। ପତ୍ନୀ ତାରାମଣି ଙ୍କୁ ବି ୮୫। ଦିନେ ନୁହେଁ କି ସପ୍ତାହେ ନୁହେଁ ଗତ ତିନି ବର୍ଷ ଧରି ଏହି ଦମ୍ପତି ଆଜବେଷ୍ଟ ଛପର ଥିବା ଏକ ନୁଆଁଳିଆ ଘର ଭିତରେ ରହିଛନ୍ତି। ନିହାତି ଦରକାର ପଡିଲେ କେତେବେଳେ ପିଣ୍ଡା ଯାଏ ଘୁଷୁରି ଘୁଷୁରି ବହୁ କଷ୍ଟ ରେ ଆସନ୍ତି। ଚାଲିବାକୁ ତ ଶକ୍ତି ନାହିଁ।ଉଠିବାକୁ ଅଣ୍ଟା ରେ ବି ବଳ ନାହିଁ। ଆଖି ଦୁଇଟା ବି କୋରଡ ଭିତରକୁ ପଶି ଗଲାଣି।ଦେହର ଚମ ସବୁ ଧୁଡୁଧୁଡୁ ପଡିଯାଇଛି। ନିପୁତ୍ରିକ ଥିବା ଏହି ଦୁଇ ପ୍ରାଣୀ ଙ୍କ ପାଇଁ ଏବେ ବୟସ ପାଲଟିଛି ଅଭିଶାପ। ଜୀବନ ଅଛି ବୋଲି ତ ନିଜ ଜୀବନ ନୌକା ରେ ଏମାନେ ସାଜିଛନ୍ତି ନିଜେ ନାଉରି।
ମାକଡିଆ ର ସୁରେନ୍ଦ୍ର ଓ ତାରାମଣି ଙ୍କ ପରିବାର ଏଇ କିଛି ବର୍ଷ ଆଗରୁ ଥିଲା ହସଖୁସିର ପରିବାର। କୌଣସି ପିଲାପିଲି ନ ଥିବାରୁ ବନ୍ଧୁ ବାନ୍ଧବ ଆତ୍ମିୟସ୍ବଜନ ସମସ୍ତଙ୍କର ଯିବା ଆସିବା ଥିଲା ସୁରେନ୍ଦ୍ରଙ୍କ ଘରକୁ। ପୈତୃକ ୪ ମାଣ ସମ୍ପତ୍ତି ରେ ସୁରଖୁର ରେ ଚଳିଯାଉଥିଲେ। ହେଲେ ବୟସ ବଢିବା ସାଙ୍ଗକୁ ସୁରେନ୍ଦ୍ର ଓ ତାରାମଣି ଙ୍କ ଦୁଖଃ ବଢିଲା। ମୃତ୍ୟୁ ପର୍ଯ୍ୟନ୍ତ ଚଳିବା ପାଇଁ ନିଜ ଜମି ସହ ଘରଡିହ କୁ ବି ବିକ୍ରି କରିଦେଲେ ସୁରେନ୍ଦ୍ର।ଟଙ୍କା ସବୁ ବ୍ୟାଙ୍କ ରେ ଜମା ରଖିଲେ। ଏହି ଟଙ୍କା ପାଇବା ପାଇଁ ତାଙ୍କର ଜଣେ ଆତ୍ମିୟ ବି ଉଭୟଙ୍କ ସେବାସୁଶୃଶା ଦାୟିତ୍ୱ ନେଲେ। ହେଲେ ଟଙ୍କା ହାତେଇବା ପରେ ଛାଡି ପଳେଇଲେ। କିନ୍ତୁ ତିନି ବର୍ଷ ତଳେ ହଠାତ ତାରାମଣି ପକ୍ଷାଘାତ ରୋଗରେ ପଡିବା ପରେ ଏହି ଦମ୍ପତି ଙ୍କ ଭାଗ୍ୟ ଆକାଶକୁ କଳାବାଦଲ ମାଡି ଆସିଲା। ନିଜ ପତିଙ୍କ ସେବା କରୁଥିବା ତାରାମଣି ଙ୍କ ସେବା ଯତ୍ନନେବା ସୁରେନ୍ଦ୍ରଙ୍କ ଦ୍ବାରା ସମ୍ଭବ ନଥିଲା। ଗ୍ରାମର ଚଣ୍ଡୀଚରଣ ଓ ଶିବଚରଣ ନିଜ ଘରଡିହ ବିକିଥିବା ବେଳେ ଏବେ ସେହି ଜମି ଖଣ୍ଡିକ ପାଲଟିଛି ତାଙ୍କ ଆଶ୍ରୟସ୍ଥଳୀ। ଅଧଡେସମିଲ ରୁ ଅଧା ସ୍ଥାନ ଉପରେ ଛୋଟ ଅଣଓସାରିଆ ଆଜବେଷ୍ଟ ଛପର ର ଘରଟିଏ। ମାଟିକାନ୍ଥ ନାହିଁ। କାନ୍ଥ କହିଲେ କେଇଖଣ୍ଡ ଝାଟି ପୋତା ଯାଇଛି। ବର୍ଷା ପବନ ହେଲେ ଘରଭିତରକୁ ପାଣି ପଶି ଯାଉଛି। ତାରିଭିତରେ ଏକ ଖଟ ଉପରେ ପତି ପତ୍ନୀ ଙ୍କ ଆଶ୍ରୟସ୍ଥଳ। ଝାଡା ପରିଶ୍ରା ସବୁ ତାରିଭିତରେ। ଦୁର୍ଗନ୍ଧରେ ଘର ଭିତରଟା ଫାଟି ପଡୁଛି। କେତେବେଳେ କେତେବେଳେ ପିଣ୍ଡା ଯାଏ ଘୁଷୁରୀ ଘଷୁରି ଆସନ୍ତି ସୁରେନ୍ଦ୍ର। ତାଙ୍କ ଦେଖାଦେଖି ତାରାମଣି ବି ଆସନ୍ତି। କେତେବେଳେ ଏମାନଙ୍କ ଦେହରେ କେତେବେଳେ ଲୁଗା ଥାଏ ଆଉ କେତେବେଳେ ସମ୍ପୂର୍ଣ୍ଣ ଉଲଗ୍ନ। ପଡିଶା ଲୋକ ଙ୍କ ସହାୟତା ରେ ଢୋକେ ପିଇ ଦଣ୍ଡେ ଜିଇ ଏମାନେ ବଞ୍ଚିଛନ୍ତି। ପଡିଶା ମାନେ କିଏ ପାଣି ତ ଆଉ କିଏ ଖାଇବା,କେଉଁଦିନ ଥରେ ତ ଆଉ କେଉଁଦିନ ଦୁଇଥର ଏହିପରି ବର୍ଷ ବର୍ଷ ଧରି ସହାୟତା ଯୋଗାଇ ଚାଲିଛନ୍ତି। ରାତିରେ ରେ ଖାଡା ଉପାସ ରହିବାକୁ ପଡେ।ଦୁଇ ପ୍ରାଣୀ ସରକାରୀ ଭତ୍ତା ଓ ରେସନ ବି ପାଆନ୍ତି। ହେଲେ ସେସବୁ ତାଙ୍କ କାମରେ ଆସେନି।ସମ୍ବାଦ ରେ ରାଇବଣିଆ ବୁକି ବୁଢୀ ଙ୍କ ଖବର ପ୍ରକାଶନ ପରେ ବାଲେଶ୍ବର ର ଅମୃତସୁଧା ଚାରିଟେବଲ ଟ୍ରଷ୍ଟ ବୁକି କୁ ଆପଣେଇ ଥିଲା। ଏବେ ସେହି ଖବର ପଢି ମାକଡିଆ ଗ୍ରାମବାସୀ ଉକ୍ତ ଟ୍ରଷ୍ଟ କୁ ନିବେଦନ କରିଛନ୍ତି ଏହି ନିପୁତ୍ରିକ ଦମ୍ପତି ଙ୍କୁ ଆପଣେଇବା ପାଇଁ।