ବାଲେଶ୍ବର : ବିଭୀଷଣ ସତ୍ୟ ପାଇଁ ରାବଣକୁ ବିରୋଧ କରି ରାମଙ୍କ ଶରଣକୁ ଯାଇଥିଲେ। ମୁଁ ତ ବିଭୀଷଣ ହୋଇପାରିଲି ନାହିଁ। କାରଣ ମୋ ପ୍ରତି ଯେଉଁ ଅନ୍ୟାୟ ହେଲା ମୁଁ ତାର ପ୍ରତିବାଦ କରିପାରିଲି ନାହିଁ । ୟା ଛଡ଼ା ମୁଁ ଯଦି ବିଭୀଷଣ ସାଜିଥିଲି, ତାହେଲେ ବିଜେଡିରେ ରାବଣ କିଏ?

Advertisment

ତେଣୁ ଏଠି ବିଭୀଷଣର କାମ କରାଯାଇନାହିଁ କି ରାବଣ କେହି ନାହାନ୍ତି। ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମୁଁ ସମ୍ମାନ କରେ ବୋଲି ଆଜି ବିଜେଡିରୁ ନିଲମ୍ବନ ହେବା ପରେ ଏମିତି ବିଷ ଓଗାଳିଛନ୍ତି ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ।

ଚଳିତ ଉପନିର୍ବାଚନରେ ଜୀବନପ୍ରଦୀପ ଦଳ ବିରୋଧୀ କାର୍ଯ୍ୟ କରିଥିବା ଅଭିଯୋଗ ପାଇବା ପରେ ଦଳ ତରଫରୁ ତାଙ୍କୁ ଆଜି ନିଲମ୍ବନ କରାଯାଇଥିଲା। ଏହାପ‌େର ସେ ଗଣମାଧ୍ୟମରେ ନିଜ ପ୍ରତିକ୍ରିୟା ରଖି କହିଥିଲେ, ‘ମୁଁ କୌଣସି ଦଳବିରୋଧୀ କାମ କରିନାହିଁ। ୨୦୦୯ରେ ବିଜେଡିକୁ ଆସିବା ପରେ କେବଳ ଦଳର ହିତ ପାଇଁ କାମ କରିଛି। ମୋ ନେତୃତ୍ବରେ ଉଭୟ ବାଲେଶ୍ବର ପୌରପାଳିକା ଏବଂ ପଞ୍ଚାୟତ ନିର୍ବାଚନରେ ସଦର ବ୍ଲକର ଅଧ୍ୟକ୍ଷ ପଦ ବିଜେଡି ଅକ୍ତିଆରକୁ ଆସିଛି। ଏଥିସହ ଚଳିତ ଉପନିର୍ବାଚନରେ ମୁଁ ପ୍ରାର୍ଥୀ ହେବା ପାଇଁ ଆଶାୟୀ ରଖିଥିିଲି ସତ, କିନ୍ତୁ ଦଳ ଯେତେବେଳେ ମୋତେ ଟିକେଟ ନଦେଲା ସେଥିରେ ମୁଁ ବିରୋଧ କରିନଥିଲି କି ବିଚଳିତ ହୋଇନଥିଲି। ବରଂ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ସ୍ବାଗତ କରିବା ସହିତ ଦଳ ମୋତେ ଯେଉଁ ଦାୟିତ୍ବ ଦେଇଥିଲା ତାହା ମୁଁ ଶୃଙ୍ଖଳାର ସହ ତୁଲାଇଥିଲି। ସଂଗଠନ କରିବା, ବୈଠକ, ରାଲି, ସମାବେଶରେ ଯୋଗଦେବା ସହ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବା ଏପରିକି ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁଆଲ ରାଲି ଆଦି ଦଳର ପ୍ରତ୍ୟେକ କାର୍ଯ୍ୟକ୍ରମରେ ସକ୍ରିୟ ଭୂମିକା ତୁଲାଇ ଥିଲି। ୟା’ ପରେ ବି ଯଦି କୁହାଯାଉଛି, ଦଳ ବିରୋଧୀ କାର୍ଯ୍ୟ କରିଛି, ମୋର ସେଥିରେ କିଛି କହିବାର ନାହିଁ, ମୁଁ ଦଳବିରୋଧୀ କାମ ଆଦୌ କରିନାହିଁ। ମୁଖ୍ୟମନ୍ତ୍ରୀଙ୍କୁ ଯିଏ ମୋ ବାବଦରେ ରିପୋର୍ଟ ଦେଇଥିବେ ତାଙ୍କର ଏଥିରେ କିଛି ଅଭିସନ୍ଧି ରହିଛି।’