ଅଡିଓକୁ ନେଇ ଜୀବନ ପ୍ରଦୀପ ଦାଶଙ୍କ ପ୍ରତିକ୍ରିୟା, ବ୍ୟବହାର କରିଥିବା ଭାଷା ପାଇଁ ଅନୁତପ୍ତ

ବାଲେଶ୍ୱର: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ନିଲମ୍ବନ ପରେ ନିଜର ଭାଇରାଲ୍‌ ଅଡିଓକୁ ନେଇ ଭୁଲ ମାଗିଛନ୍ତି ବାଲେଶ୍ବରର ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ। ନିର୍ବାଚନ ପ୍ରଚାର ବେଳେ ଦଳ ପକ୍ଷରୁ ତାଙ୍କୁ ଯେଭଳି ଭାବେ ଅବହେଳା କରାଗଲା, ସେଥିରେ ଅଭିମାନ କରି କହୁ କହୁ ଏପରି କହିଦେଇଥିବା ସେ ସ୍ବୀକାର କରିଛନ୍ତି। କଥା ହେବାବେଳେ ଯେଉଁ ଅଶୋଭନୀୟ ଶବ୍ଦ ସେ ପ୍ରୟୋଗ କରିଛନ୍ତି, ସେଥିପାଇଁ ମଧ୍ୟ ସେ ଅନୁତପ୍ତ ବୋଲି କହିଛନ୍ତି। ତେବେ ଫୋନ୍‌ରେ ତାଙ୍କର ବାର୍ତ୍ତାଳାପକୁ କାଣ୍ଟଛାଣ୍ଟ୍‌ କରି ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ୍‌ କରାଯାଇଥିବା ସେ ଅଭିଯୋଗ କରିଛନ୍ତି।

ଚଳିତ ବାଲେଶ୍ୱର ସଦର ଉପନିର୍ବାଚନରେ ତାଙ୍କୁ ପ୍ରାର୍ଥୀ କରାନଯିବା ପ୍ରସଙ୍ଗରେ ଜୀବନପ୍ରଦୀପ ଜଣେ କର୍ମୀଙ୍କ ସହ ଫୋନ୍‌ରେ କଥା ହେଉଥିବାର ଅଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ ହୋଇଥିଲା। ଉକ୍ତ ଅଡିଓରେ ସେ ବିଜେପିକୁ ସିଧାସଳଖ ଭୋଟ୍‌ ଦେବାକୁ କହିବା ସହିତ ଦଳର ନେତାଙ୍କ ବିରୋଧରେ କିଛି କଟୁ ଶବ୍ଦ ପ୍ରୟୋଗ କରିଥିଲେ। ଗତ ଗୁରୁବାର ଦିନ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଏହି ଅଡିଓ ଆଧାରରେ ତାଙ୍କୁ ବିଜେଡି ସୁପ୍ରିମୋ ନିଲମ୍ବନ କରିଥିବା କୁହାଯାଉଛି। ଶୁକ୍ରବାର ଦିନ ଶ୍ରୀ ଦାଶ ନିଜ ତରଫରୁ ସାମ୍ବାଦିକ ସମ୍ମିଳନୀ ଡାକି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ଘୋଷଣା କରିଥିଲେ। ତେବେ ଉକ୍ତ ଭାଇରାଲ ଅଡିଓ ସମ୍ପର୍କରେ ସେ କିଛି ଜାଣିନଥିବା ସଫେଇ ଦେଇଥିବାବେଳେ ଆଜି ତାହା ସତ ବୋଲି ମାନିଛନ୍ତି। ନିଜ କଥା ପାଇଁ ସେ ଦୁଃଖିତ ବୋଲି ସ୍ବୀକାର କରିବା ସହ ପ୍ରଚାରବେଳେ ତାଙ୍କୁ ଅଣଦେଖା କରାଯିବାରୁ ଅଭିମାନରେ ସେ ଏମିତି କହିଥିଲେ ବୋଲି ସ୍ପଷ୍ଟ କରିଛନ୍ତି।

ଅନ୍ୟପକ୍ଷରେ ସେ ବିଜେପିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା ସମ୍ପର୍କରେ କହିଛନ୍ତି, ଏବେ କିଛିଦିନ ନିଜ ଭୁଲର ପ୍ରାୟଶ୍ଚିତ କରିବି ଏବଂ ତା ପରେ ପରବର୍ତ୍ତୀ ପଦକ୍ଷେପ କଥା ଚିନ୍ତା କରିବି। ସେହିପରି ବାଲେଶ୍ୱର ସଦର ଉପନିର୍ବାଚନର ଫଳାଫଳ ବିଜେଡି ସପକ୍ଷରେ ଯିବ ବୋଲି ସେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର