ନିଲମ୍ବନ ପରେ ବିଜେଡି ଛାଡ଼ିଲେ ଜୀବନ ପ୍ରଦୀପ ଦାଶ

ବାଲେଶ୍ବର: ଆସନ୍ତା ୧୦ ତାରିଖରେ ବାଲେଶ୍ବର ସଦର ଉପନିର୍ବାଚନର ଫଳାଫଳ ପ୍ରକାଶ ପାଇବ। ତେବେ ଏହା ପୂର୍ବରୁ ଜିଲ୍ଲା ବିଜେଡି ରାଜନୀତି ସରଗରମ ହୋଇଉଠିଛି। ଗତକାଲି ଦଳ ଆକସ୍ମିକ ଭାବେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଦାଶଙ୍କୁ ନିଲମ୍ବନ କରିଥିବା ବେଳେ ଶୁକ୍ରବାର ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିବା ସୂଚନା ଦେଇଛନ୍ତି।

ଆଜି ଅପରାହ୍‌ଣ ସାଢ଼େ ୪ଟା ବେଳେ ରାଣୀପାଟଣାସ୍ଥିତ କଲ୍ୟାଣମଣ୍ଡପରେ ଶ୍ରୀ ଦାଶ ସାମ୍ବାଦିକ ସମ୍ମିଳନୀ ଡକାଇ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖି ପ୍ରଥମେ ସେ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ କହିଥିଲେ, ଗତ କିଛିଦିନ ଧରି ସେ ଦଳର ନେତୃମଣ୍ଡଳୀଙ୍କ ଦ୍ବାରା ବହୁ ଅପମାନିତ ଓ ନିର୍ଯାତନାର ଶିକାର ହେଉଥିଲେ। ବିଶେଷ କରି ଗତ ଉପନିର୍ବାଚନ ସମୟରେ ଦଳ ତରଫରୁ ପରିଚାଳନା ଦାୟିତ୍ବରେ ଥିବା ନେତାମାନେ ଅପମାନିତ କରୁଥିବା ବେଳେ ଅତ୍ୟନ୍ତ ଦୁଃଶ୍ଚିନ୍ତାରେ ଦିନ କଟୁଥିଲା। ତେଣୁ ଏବେ ତାଙ୍କୁ ନିଲମ୍ବନ କରାଯାଇଥିବା‌ରୁ ସେ ଦୁଶ୍ଚିନ୍ତାରୁ ମୁକ୍ତି ପାଇଛନ୍ତି। ଏଥିସହ ୨୦୦୯, ୨୦୧୪ ଏବଂ ୨୦୧୯ ମସିହାରେ ତାଙ୍କୁ ବିଧାୟକ ପାଇଁ ଦଳୀୟ ଟିକେଟ ଦେଇଥିବାରୁ ସେ ମୁଖ୍ୟମନ୍ତ୍ରୀଙ୍କ ଧନ୍ୟବାଦ ଜଣାଇଛନ୍ତି।

ଏହାଛଡ଼ା ସେ ଆହୁରି ମଧ୍ୟ କହିଥିଲେ ଯେ, ଗତ ଉପନିର୍ବାଚନରେ ହାରିଯାଇଥିବା ପ୍ରାର୍ଥୀକୁ ଟିକେଟ ଦିଆଯିବନାହିଁ ନ୍ୟାୟରେ ମୋର ପୂରା ସଂଗଠନକୁ ଏକଜୁଟ କରି କାମ କରିବା ପାଇଁ ନିର୍ଦେଶ ଦେଇଥିଲି। ହେଲେ ନିର୍ବାଚନ ପ୍ରକ୍ରିୟାରେ କିଛି ସଭାସମିତି ଛାଡ଼ିଦେଲେ ନିର୍ବାଚନମଣ୍ଡଳୀର ପ୍ରଚାରରେ ଦଳର ଅଧିକାଂଶ କାର୍ଯ୍ୟକ୍ରମରେ ତାଙ୍କୁ ଉଚିତ୍‌ ଭାବେ ଉପଯୋଗ କରାଗଲା ନାହିଁ। ପ୍ରଚାରରେ ଆସିଥିବା ଦଳର ମନ୍ତ୍ରୀ ଓ ବିଧାୟକମାନଙ୍କୁ ନିର୍ବାଚନ ମଣ୍ଡଳୀ ସମ୍ପର୍କରେ ଉଚିତ ପରାମର୍ଶ ଦେଇଥିବା ବେଳେ ତାଙ୍କ ଏକଘରକିଆ କରିଦିଆଯାଇଥିଲା। ହେଲେ ଦଳର ମୁଖିଆ ତଥା ସଭାପତିଙ୍କ ମୁହଁକୁ ଚାହିଁ ଶୃଙ୍ଖଳିତ ଭାବେ କାମ କରିଥିଲେ ବୋଲି ସେ ସଫେଇ ଦେଇଛନ୍ତି। ତେବେ ଯେଉଁ କାରଣ ଦର୍ଶାଇ ତାଙ୍କ ଦଳରୁ ନିଲମ୍ବିତ କରାଗଲା ତା ପୂର୍ବରୁ ତାଙ୍କୁ ପକ୍ଷ ରଖିବାକୁ ସୁଯୋଗ ଦିଆଯାଇନଥିବାରୁ ସେ ଇସ୍ତଫା ଦେଇଥିବା କହିଥିଲେ। ଶ୍ରୀ ଦାସଙ୍କ ନାଁରେ ବୁଲୁଥିବା ଦଳବିରୋଧୀ ଅଡିଓ ସମ୍ପର୍କରେ ମଧ୍ୟ ସେ ମତ ରଖି କିଛି ଜାଣିନଥିବା କହିଛନ୍ତି।

ସମ୍ବନ୍ଧିତ ଖବର