ବେଳାଭୂମିରୁ ଉଠାଦୋକାନୀଙ୍କୁ ଉଚ୍ଛେଦ, ଫଟୋ ଉଠାଇବାରୁ ସାମ୍ବାଦିକଙ୍କୁ ମାଡ଼

ଭୋଗରାଇ : ପଶ୍ଚିମବଙ୍ଗ ଦୀଘା ବେଳାଭୂମିରୁ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯିବା ସମୟରେ ଭୋଗରାଇ ବ୍ଲକର ୨ ଜଣ ସାମ୍ବାଦିକ ଫଟୋ ଉଠାଇବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଏହାକୁ ନେଇ ବେଳାଭୂମି ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ଅନ୍ୟପକ୍ଷରେ ଆହତ ସାମ୍ବାଦିକମାନେ ଜଣେ ଆକ୍ରମଣକାରୀଙ୍କୁ ଧରି ନିକଟସ୍ଥ ତାଳସାରି ମେରାଇନ୍ ଥାନା ଜିମା ଦେବା ସହ ସେମାନଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। କିନ୍ତୁ ତାଳସାରି ମେରାଇନ୍‌ ଥାନା ପୁଲିସ ଏତଲା ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି ।

ସୂଚନା ମୁତାବକ, ଆଜି ଭୋଗରାଇ ବ୍ଲକ ଉଦୟପୁର ବେଳାଭୂମି ସଂଲଗ୍ନ ଦୀଘା ବେଳାଭୂମିରେ ବେଆଇନ ଭାବେ ବସିଥିବା ଉଠା ଦୋକାନୀମାନଙ୍କୁ ଦୀଘା-ଶଙ୍କରପୁର ପ୍ରାଧିକରଣ କର୍ତ୍ତୃପକ୍ଷ ଓ ଦୀଘା ଥାନା ପୁଲିସ ଉଚ୍ଛେଦ କରିଥିଲା। ଖବର ପାଇ ଭୋଗରାଇ ବ୍ଲକର ଦୁଇଜଣ ସାମ୍ବାଦିକ ଭଗବାନ ବେହେରା ଓ ଜଗନ୍ନାଥ ଗିରି ଉଦୟପୁର ବେଳାଭୂମିକୁ ଯାଇ ସେହି ଘଟଣାର ଫଟୋ ଓ ଭିଡିଓ ଉତ୍ତୋଳନ କରିବା ସହ ଖବର ସଂଗ୍ରହ କରିଥିଲେ। ପରେ ସେମାନେ ଉଦୟପୁର ରାସ୍ତାରେ ଫେରୁଥିବା ବେଳେ ଦୀଘା ଥାନା ଦତ୍ତପୁର ଗାଁର ଖଗେନ୍ଦ୍ର ବେରାଙ୍କ ପତ୍ନୀ ପ୍ରମିଳା ବେରା, ପଶ୍ଚିମବଙ୍ଗ ରାମନଗର ଥାନା ବାଲିସାହି ଗାଁର ନୟନା ବେହେରା, ଝରଣା ବେହେରା, ତାଳସାରି ମେରାଇନ ଥାନା ସାହାପୁର ଗାଁର ରେଣୁ ଜେନା, ଦେବଶ୍ରୀ ବେହେରା, ବାବାଜୀ ବେହେରା, ଗେଟୁ ବେହେରା, ବାସୁଦେବ ବେହେରାଙ୍କ ସହିତ ପ୍ରାୟ ୨୫ ଜଣ ଦୋକାନୀ ସଂଘବଦ୍ଧ ଭାବେ ଦୁଇ ସାମ୍ବାଦିକଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ବାଉଁଶ ଠେଙ୍ଗାରେ ଆକ୍ରମଣ କରିଥିଲେ। ତେବେ ସ୍ଥାନୀୟ ଲୋକେ ଆକ୍ରମଣକାରୀଙ୍କ ମଧ୍ୟରୁ ଜଣକୁ ଧରି ନିକଟସ୍ଥ ତାଳସାରି ମେରାଇନ୍‌ ଥାନା ଜିମା ଦେଇଥିଲେ। ଏ ସଂପର୍କରେ ସାମ୍ବାଦିକ ଶ୍ରୀ ବେହେରା ଆକ୍ରମଣକାରୀଙ୍କ ବିରୋଧରେ ଲିଖିତ ଅଭିଯୋଗ ନେଇ ଥାନାକୁ ଯାଇଥିବା ବେଳେ ପୁଲିସ ଏତଲା ନ ରଖି ଦୀଘା ଥାନାରେ ଅଭିଯୋଗ କରିବାକୁ କହିଥିବା ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର