ସୋର: ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ମହୁମୁହାଣ ପଞ୍ଚାୟତ ଖଞ୍ଜାମାହାଲ ପଥର ଖାଦାନରୁ ବେଆଇନ ପଥରଚାଲାଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ନିଲାମ ଦିଆଯାଇଥିବା ହାତଗଣତି ପଥର ଖାଦାନକୁ ଛାଡ଼ିଦେଲେ ବାକି ଖାଦାନଗୁଡ଼ିକରୁ ମନଇଚ୍ଛା ଚୋରା ଚାଲାଣ ହେଉଛି। ଖଞ୍ଜାମାହାଲ ପାହାଡ଼ରେ ମୋଟ ୫୬ଟି ପଥର ଖାଦାନ ରହିଛି। ସେଥିମଧ୍ୟରୁ ଚଳିତ ବର୍ଷ ମାତ୍ର ୪ଟି ଖାଦାନକୁ ତହସିଲ ପ୍ରଶାସନ ନିଲାମ ଦେଇଥିବା ବେଳେ ବାକି ୫୨ଟି ଖାଦାନରୁ ମାଫିଆମାନେ ଚୋରାରେ ପଥର ଲୁଟ୍‌ କରୁଥିବା ଦେଖିବାକୁ ମିଳୁଛି। ୫୨ଟି ଖାଦାନରେ ପ୍ରଶାସନ ୧୪୪ ଧାରା ଜାରି କରି ମଧ୍ୟ ପଥର ମାଫିଆମାନେ ରାତିଅଧିଆ କାରବାର ଚଳାଇଛନ୍ତି। ଚୋରି ରୋକିବା ପାଇଁ ସ୍ଥାନୀୟ ପୁଲିସ ବାରମ୍ବାର ଚଢ଼ଉ କରୁଛି। ହେଲେ ସୋର ତହସିଲ କର୍ମଚାରୀମାନେ କିନ୍ତୁ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି।

Advertisment

ଗତ ୪ ମାସ ମଧ୍ୟରେ ସୋର ପୁଲିସ ଖଞ୍ଜାମାହାଲ ପଥର ଖାଦାନରେ ଅନେକଥର ଚଢ଼ଉ କରି ପଥର ଖନନରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶ ଜବତ କରିବା ସହ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ତହସିଲ ପ୍ରଶାସନ କିନ୍ତୁ ଚୋରା କାରବାର ନେଇ ଟେର୍‌ ପାଉନି। ଗତ ଅଗଷ୍ଟ ୧୬ ତାରିଖରେ ୭୩ ନମ୍ବର ଖାଦାନରୁ ବେଆଇନ ପଥର ଉତ୍ତୋଳନ ବେଳେ ଜଣେ ଶ୍ରମିକଙ୍କର ମୃତ୍ୟୁ ହେବା ସହ ୫ ଜଣ ଗୁରୁତର ଆହତ ହୋଇଥିଲେ। ଏହି ଘଟଣାରେ ଜିଲ୍ଲା ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ସ୍ଥାନୀୟ ରାଜସ୍ୱ ନିରୀକ୍ଷକଙ୍କୁ ମଧ୍ୟ ନିଲମ୍ବନ କରିଥିଲା। କିନ୍ତୁ ଘଟଣାର ମାତ୍ର ୬ ଦିନ ପରେ ପୁଣି ବେଆଇନ ପଥର ଚାଲାଣ ଆରମ୍ଭ ହୋଇଥିଲା। ଏପରିକି ଗତ ୧୧ ତାରିଖ ଦିନ ସନ୍ଧ୍ୟାରେ ସୋର ଥାନା ଏସ୍‌ଆଇ ବିଜୟ ବାରିକ ଓଆର୍‌-୦୯-କେ-୭୪୨୫ ନମ୍ବରର ଏକ ବେଆଇନ ପଥର ବୋଝେଇ ଡମ୍ପର ଜବତ କରିବା ସହ ଡ୍ରାଇଭରଙ୍କୁ କୋର୍ଟ ଚାଲାଣ କରିଥିଲେ। ସେହିପରି ଆଜି ଓଆର୍‌-୦୧-ଏମ୍‌-୭୦୩୦ ଏବଂ ଓଡି-୦୧-ଏବି-୦୬୪୫ ନମ୍ବରର ଦୁଇଟି ଡମ୍ପର ଧରାପଡ଼ିଛି।

ତେବେ ପ୍ରଶ୍ନ ଉଠୁଛି ସୋର ତହସିଲ କର୍ତ୍ତୃପକ୍ଷ ବେଆଇନ ଚାଲାଣର ଟେର୍‌ ପାଉନାହିଁ କିପରି? ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ଲୋକେ ପଥର ମାଫିଆଙ୍କ ସହ ତହସିଲ କର୍ମଚାରୀଙ୍କ ମଧୁଚଦ୍ରିକା ଥିବା ଅଭିଯୋଗ କରୁଛନ୍ତି। ଏନେଇ ସୋର ଅତିରିକ୍ତ ତହସିଲଦାର ଅତନୁ ପ୍ରଧାନଙ୍କୁ ପଚାରିବାରୁ ସେ ଅଭିଯୋଗକୁ ଖଣ୍ଡନ କରିବା ସହ ତହସିଲ ପକ୍ଷରୁ ନିୟମିତ ଚଢ଼ଉ କରାଯାଉଛି। ଆଗାମୀ ଦିନରେ ଚଢ଼ଉକୁ ଆହୁରି ଯୋରଦାର କରାଯିବା ସହ ଅଭିଯୁକ୍ତଙ୍କ ବି‌ରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି। ଖଞ୍ଜାମାହାଲରେ ହେଉଥିବା ବେଆଇନ ଖନନ ବେଳେ ବହୁ ଲୋକଙ୍କର ଜୀବନ ଯାଇଥିବା ଏବଂ ବହୁ ଲୋକ ଆହତ ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ଘଟଣାକୁ ଗୁରୁତ୍ବ ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଭିନ୍ନ ମହଲରେ ଦାବି ହେଉଛି।