ନୀଳଗିରି: ନୀଳଗିରି ବ୍ଲକ୍ ସିଆଡ଼ିମାଳ ପଞ୍ଚାୟତ ବାବନ୍ଧ ଗ୍ରାମର ବୁଗାଳି ବନ୍ଧରେ ବେଆଇନ ଭାବରେ ଚାଲିଥିବା କୁମ୍ଭକ୍ଷେତ୍ର ବନ୍ଦ କରିବାକୁ ସ୍ଥାନୀୟ ତହସିଲଦାର ଦୀପ୍ତିମୟୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି। ଗତକାଲି ନବବର୍ଷ ଉପଲକ୍ଷେ ହାଣ୍ଡି ଓ ବାଉଁଶ ଭେଳାରେ ନୌବିହାର ଚାଲିଥିବା ବେଳେ ଅଘଟଣ ଘଟିଥିଲା। ଭେଳା ବୁଡ଼ିଯିବାରୁ ୧୫ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ବନ୍ଧ ପାଣିରେ ବୁଡ଼ିଯାଇ ଉବୁଟୁବୁ ହୋଇଥିଲେ। ଏଥିରେ ୬ ଜଣ ଶିଶୁ ଓ ୭ ଜଣ ମହିଳା ଥିଲେ। ଏହି ଘଟଣା ପରେ କୁମ୍ଭକ୍ଷେତ୍ରର ପୃଷ୍ଠପୋଷକ ଶିଳ୍ପୀ କେଶୁ ଦାସଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଥିଲା।
ତଦନୁଯାୟୀ, ଆଜି ସକାଳେ କେଶୁ ଦାସ ତହସିଲ କାର୍ଯ୍ୟାଳୟରେ ହାଜର ହୋଇ କୁମ୍ଭକ୍ଷେତ୍ର ଚଳାଇବା ନେଇ କୌଣସି କାଗଜପତ୍ର ଦେଖେଇ ପାରି ନଥିଲେ। ଫଳରେ ଅନିର୍ଦ୍ଦିଷ୍ଟ କାଳ ପାଇଁ କୁମ୍ଭକ୍ଷେତ୍ରକୁ ବନ୍ଦ ରଖିବାକୁ ତହସିଲଦାର ଶ୍ରୀମତୀ ବେହେରା ନିର୍ଦ୍ଦେଶ ଦେଇଛନ୍ତି।
ତେବେ ସରକାରଙ୍କ ବିନା ଅନୁମତିରେ କେମିତି ନୌବିହାର ଚାଲିଥିଲା? ବିନା ଲାଇଫ୍ ଜାକେଟ୍ରେ କେମିତି ଚାଲିଥିଲା? ସରକାରୀ ବନ୍ଧରେ କେମିତି ଚାଲିଥିଲା? ଏମିତି ଅନେକ ପ୍ରଶ୍ନ ଉଠିଛି। ସୂଚନାଯୋଗ୍ୟ, ଗତକାଲି ଦିନ ପ୍ରାୟ ୩ଟା ବେଳେ କିଛି ଲୋକ ହାଣ୍ଡି ଓ ବାଉଁଶ ଭେଳାରେ ବନ୍ଧ ପାର୍ ହେଉଥିବା ସମୟରେ ହଠାତ ଭେଳାଟି ଭାଙ୍ଗିଯାଇଥିଲା। ଫଳରେ ୧୫ରୁ ଊର୍ଦ୍ଧ୍ବ ପର୍ଯ୍ୟଟକ ବୁଡ଼ିଯାଥିଲେ। ଘଟଣାସ୍ଥଳରେ ନୀଳଗିରି ପୁଲିସ, ଅଗ୍ନିଶମ ବାହିନୀ ଓ ତହସିଲଦାର ପହଞ୍ଚି ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରିଥିଲେ। ସମସ୍ତେ ସୁରକ୍ଷିତ ଭାବେ ଉଦ୍ଧାର ହୋଇଥିଲେ। ଏହି ଘଟଣା ପରେ କୁମ୍ଭକ୍ଷେତ୍ରର ପୃଷ୍ଠପୋଷକ ଶ୍ରୀ ଦାସ ମୋବାଇଲ୍ ସୁଇଚ୍ ଅଫ୍ କରି ଘଟଣାସ୍ଥଳରୁ ଫେରାର୍ ହୋଇଯାଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp