ଅଦମ୍ୟ ଆତ୍ମବିଶ୍ବାସର ଅନ୍ୟ ନାମ ‘ମମତା’ : ରେଳବାଇ ଲୋକୋ ପାଇଲଟ୍‌ (ଟ୍ରେନ୍ ଚାଳକ) ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି

ବାଲିଆପାଳ, (ଅମିତରାୟ ବେହେରା): ପ୍ରତିଭା କିମ୍ବା ଦକ୍ଷତା ଥିଲେ ଅଭାବ, ବାଧାବିଘ୍ନ ପ୍ରତିବନ୍ଧକ ସାଜିପାରେନା। ଏ କଥାକୁ କାମରେ କରି ଦେଖାଇଛନ୍ତି ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଳକର ମମତା ସାହୁ (୨୫)। ଆର୍ଥିକ ତାଡ଼ନା ସତ୍ତ୍ବେ ଜୀବନଯୁଦ୍ଧରେ ହାରିନାହାନ୍ତି ସେ। ସମସ୍ତ ପ୍ରତିବନ୍ଧକକୁ ଦୃଢ଼ତାର ସହ ସାମ୍‌ନା କରିଛନ୍ତି। ଆଉ ନିଜର ପରିଶ୍ରମର ଫଳ ବି ପାଇଛନ୍ତି। ସର୍ବଭାରତୀୟ ରେଳବାଇ ଲୋକୋ ପାଇଲଟ୍‌ (ଟ୍ରେନ୍ ଚାଳକ) ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।

ମମତାଙ୍କ ଘର ବାଲିଆପାଳ ବ୍ଲକ ବେତଗଡିଆ ପଞ୍ଚାୟତ ନାରାୟଣପୁର ଗାଁରେ। ବାପା ଅଜୟ କୁମାର ସାହୁ ଜଣେ କ୍ଷୁଦ୍ର ଚାଷୀ। ଯଦିଓ ପିଲାଟି ଦିନରୁ ସେ ଭଲପାଠ ପଢୁଥିଲେ, ଅର୍ଥାଭାବ କିନ୍ତୁ ତାଙ୍କ ଭବିଷ୍ୟତ ଉପରେ ପ୍ରଶ୍ନଚିହ୍ନଟିଏ ଆଙ୍କି ଦେଇଥିଲା। ସୀମିତ ସମ୍ବଳରେ ବହୁକୁଟୁମ୍ବୀ ପରିବାରକୁ ଚଳାଉଥିବା ବାପା ମଧ୍ୟ ଝିଅର ଉଚ୍ଚଶିକ୍ଷା ପାଇଁ ନିଜର ଅକ୍ଷମତା ପ୍ରକାଶ କରିଥିଲେ। ତଥାପି ହତୋତ୍ସାହିତ ହୋଇନଥିଲେ ମମତା। ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାସ ପରେ ଯୁକ୍ତ ଦୁଇ ବିଜ୍ଞାନ ଏବଂ ପରେ ଝାରସୁଗୁଡା ଇଞ୍ଜିନିୟରିଂ ସ୍କୁଲରେ ଭର୍ତ୍ତି ହୋଇ ୨୦୧୧ରେ ଇଲେକ୍ଟ୍ରିକାଲ ବିଭାଗରେ ଡିପ୍ଲୋମା ପାସ୍‌ କରିଥିଲେ। ୨୦୧୩ ମସିହାରେ ରେଳ ବିଭାଗର ଖଡଗପୁର ଡିଭିଜନରେ ସେ ଟ୍ରେନ୍‌ ଚାଳକ (ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍‌) ତାଲିମ ପାଇଁ ମନୋନୀତ ହେଲେ। ଏତିକିରେ ସରିନଥିଲା ତାଙ୍କ ସମସ୍ୟା। ଝିଅଟିଏ ରେଳ ଗାଡି ଚଳାଇବା ଏତେ ସହଜ ନୁହେଁ। ଅନେକ ଏହି ତାଲିମ ଆରମ୍ଭ କରି ଅଧାରୁ ଛାଡି ଦିଅନ୍ତି, ଏମିତି କେତେ କଥା ଶୁଣିବାକୁ ପଡ଼ିଲା ତାଙ୍କୁ। କିନ୍ତୁ ନିଜ ଲକ୍ଷ୍ୟରେ ଅଟଳ ଥିଲେ ମମତା। ୨ ବର୍ଷର କଠିନ ତାଲିମ ପରେ ପ୍ରଥମେ ମାଲବାହୀ ଟ୍ରେନ୍‌ ଓ ଏବେ ବାଲେଶ୍ବର-ଖଡଗପୁର ଡିଏମ୍‌ୟୁ ପାସେଞ୍ଜର ଟ୍ରେନ୍‌ ଚଳାଉଛନ୍ତି ସେ।

ସମ୍ବନ୍ଧିତ ଖବର