ବରିଷ୍ଠ ଆଇନ‌ଜୀବୀ ତଥା ବାଲେଶ୍ବର ବାର ଆସୋସିଏସନର ପୂର୍ବତନ ସଭାପତି ନିରଞ୍ଜନ ପଣ୍ଡାଙ୍କ ଦେହାନ୍ତ

ବାଲେଶ୍ବର: ବରିଷ୍ଠ ଆଇନ‌ଜୀବୀ ତଥା ବାଲେଶ୍ବର ବାର ଆସୋସିଏସନର ପୂର୍ବତନ ସଭାପତି ନିରଞ୍ଜନ ପଣ୍ତା(୭୩)ଙ୍କର ଶୁକ୍ରବାର ସକାଳେ ପରଲୋକ ଘଟିଛି। ଏହି ସୂଚନା ପାଇବା ପରେ ବାଲେଶ୍ବର ବିଚାର ବିଭାଗ ଓ କଚେରୀ ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ବେଳେ ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇ ତାଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଛି।
ସ୍ବର୍ଗତ ନିରଞ୍ଜନ ପଣ୍ଡା ଦୁଇମାସ ପୂର୍ବରୁ କରୋନାରେ ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିଲେ। ଏହାପରେ ସେ ନିଜ ଘରେ ହୋମ ଆଇସୋଲେସନରେ ଥିବାବେଳେ ଦେହ ପୁଣିଥରେ ଅସୁସ୍ଥ ହୋଇଥିଲା। ପରିବାର ଲୋକ ତାଙ୍କୁ ଭୁବନେଶ୍ବର ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି ‌କରିଥିଲେ। ସେଠାରୁ ସୁସ୍ଥ ହୋଇ ଭୁବନେଶ୍ବରରେ ଥିବା ତାଙ୍କ ଝିଅଘରେ ରହିଥିବା ବେଳେ ଆଜି ସକାଳେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ଖବର ଶୁଣିବା ପରେ ବାଲେଶ୍ବର ଜିଲ୍ଲାର ବିଭିନ୍ନ ମହଲରୁ ଶୋକ ପ୍ରକାଶ କରାଯାଇଛି।

କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ଭୋଗରାଇ ବିଧାୟକ ଅନନ୍ତ ଦାସ, ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି, ଜିଲ୍ଲା ବିଜେଡି ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା, ପୂର୍ବତନ ବିଧାୟକ ଜୀବନପ୍ରଦୀପ ଦାଶ, ଓକିଲ ସଂଘର ପୂର୍ବତନ ସମ୍ପାଦକ ସମ୍ବିତ ନନ୍ଦୀ, ଆଇନଜୀବୀ ନିରଞ୍ଜନ ପରିଡ଼ା, ମନୋଜ ନାୟକଙ୍କ ସମେତ ବିଭିନ୍ନମହଲରୁ ‌ଗଭୀର ଶୋକ ପ୍ରକାଶ କରାଯିବା ସହ ତାଙ୍କ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ଆଜି ତାଙ୍କ ମରଶରୀରକୁ ବାଲେଶ୍ବରକୁ ଅଣାଯାଉଛି। ପ୍ରଥମେ ସୋରଠାରେ ତାଙ୍କ ମରଶରୀରକୁ ଓକିଲ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବାଲେଶ୍ବର ଅଦାଲତ ଓ କଚେରି ପରିସରରେ ଶେଷ ସମ୍ମାନ ଜଣାଇବାର କାର୍ଯ୍ୟକ୍ରମ ରହିଛି। ସ୍ବର୍ଗତ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଜିଲ୍ଲା ଅଦାଲତ ଓ କଚେରୀ ପରିସରକୁ ଆଜି ବନ୍ଦ ରଖାଯାଇଛି। ସଂଧ୍ୟାରେ ବାଲିଘାଟ ଠାରେ ଶେଷକୃତ୍ୟ ସମ୍ପନ୍ନ ହେବ।

ପୂର୍ବରୁ ନିରଞ୍ଜନ ସରକାରୀ ଓକିଲ ଭାବେ ଦାୟିତ୍ବ ତୁଲାଇବା ସହ ବାଲେଶ୍ବର ଜିଲ୍ଲା ଓକିଲ ସଂଘର ଦୀର୍ଘ ୨୦ ବର୍ଷ ଧରି ସଭାପତି ଦାୟିତ୍ବ ତୁଲାଇଥିଲେ। ୯ ଥର ଏହି ପଦ ପାଇଁ ସେ ନିର୍ବାଚିତ ହୋଇଥିଲେ। ଏଥିସହ ରାଜ୍ୟ ଆଇନ ପରିଷଦରେ ୪ଥର ସଦସ୍ୟ ଏବଂ ରାଜ୍ୟ ଆଇନଜୀବୀ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ପଦରେ ରହିଥିଲେ। ଜଣେ ଅତ୍ୟନ୍ତ ମେଳାପୀ, ସରଳ, ନିଷ୍କପଟ ତଥା ନିବିର୍ବାଦୀୟ ବ୍ୟକ୍ତିତ୍ବ ଭାବେ ସେ ସମସ୍ତଙ୍କର ପ୍ରିୟଭାଜନ ଥିଲେ।

ସମ୍ବନ୍ଧିତ ଖବର