ଟିଉସନ ବାହାନାରେ ଛାତ୍ରୀଙ୍କୁ ଅସଦାଚରଣ ମହଙ୍ଗା ପଡ଼ିଲା, ଅଧ୍ୟାପକଙ୍କୁ ବିଦ୍ୟାଳୟ‌ରେ ପୂରାଇ ତାଲା ପକାଇଲେ ଗ୍ରାମବାସୀ

ବାଲେଶ୍ବର: ବାଲେଶ୍ବର ଜିଲ୍ଲାର ଭୋଗରାଇରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଟିଉସନ ନାମରେ ଛାତ୍ରୀଙ୍କୁ ଅସଦାଚରଣ କରିବା ଅଧ୍ୟାପକଙ୍କୁ ମହଙ୍ଗା ପଡ଼ିଛି। ଅଭିଯୁକ୍ତ ଅଧ୍ୟାପକଙ୍କୁ ବିଦ୍ୟାଳୟ ଭିତରେ ଗ୍ରାମବାସୀ ଅଟକ ରଖିଛନ୍ତି ବୋଲି ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ, ଭୋଗରାଇ ଥାନା ଅଧୀନସ୍ଥ ଭୋଗରାଇ ମହିଳା ମହାବିଦ୍ୟାଳୟର ଅଧ୍ୟାପକ ରାମଚନ୍ଦ୍ର ଭଞ୍ଜ ପିଲାଙ୍କୁ ଟିଉସନ କରନ୍ତି।  କିଛିଦିନ ଆଗରୁ ଅଧ୍ୟାପକ ଜଣକ ସ୍ଥାନୀୟ ଜଣେ ଛାତ୍ରୀଙ୍କୁ ନୋଟ ବୁକ ଦେବାକୁ ଘରକୁ ଡାକି ତାଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।  ଏ ବାବଦରେ ଛାତ୍ରୀ ଜଣକ ନିଜ ଘର ଲୋକଙ୍କୁ କହିବା ପରେ ଏହି ଘଟଣାକୁ ନେଇ ଗତକାଲି କିଛି ଭଦ୍ରବ୍ୟକ୍ତିଙ୍କ ଦ୍ଵାରା ସ୍ଥାନୀୟ ମାଟିଖଣା ପ୍ରାଥମିକ ବିଦ୍ୟାଳୟ ପରିସରରେ ବିଚାର ଚାଲିଥିଲା। ସେହି ସମୟ‌ରେ କଥା କଟାକଟି ହେବା ସହ ଉତ୍ତେଜନା ଉପୁଜିଥିଲା। ଫଳରେ ଗ୍ରାମବାସୀ ଅଧ୍ୟାପକଙ୍କୁ ବିଦ୍ୟାଳୟ ଭିତରେ ଚାବି ପକାଇ ଅଟକ ରଖିଥିଲେ।  ପରେ ଶହ ଶହ ଲୋକେ ରୁଣ୍ଡ ହୋଇ ଅଧ୍ୟାପକଙ୍କୁ ଟଣା ଘୋଷରା କାଟିଥିଲେ। ଖବର ପାଇ ଭୋଗରାଇ ପୁଲିସ୍‌ ଓ ଲକ୍ଷ୍ମୀପାଟଣା ଫାଣ୍ଡି ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଧ୍ୟାପକଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖିଛନ୍ତି । ପୀଡ଼ିତା ଛାତ୍ରୀଙ୍କ ମାଆ ଅଧ୍ୟାପକଙ୍କ ନାମରେ ଅଭିଯୋଗ କଲା ପରେ ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ତେବେ ଅଭିଯୁକ୍ତ ଅଧ୍ୟାପକଙ୍କ ନାମରେ ପୂର୍ବରୁ ମଧ୍ୟ ବହୁ ଅଭିଯୋଗ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର