ଗଞ୍ଜାମ ଓ ବାଲେଶ୍ବରରେ ବନ୍ଧୁକ ମୁନରେ ୯ ଲକ୍ଷ ଟଙ୍କା ଲୁଟି ନେଲେ ଲୁଟେରା

ବ୍ରହ୍ମପୁର/ ବାଲେଶ୍ବର: ଦୁଇଟି ଭିନ୍ନ ଘଟଣାକ୍ରମରେ ଗଞ୍ଜାମ ଓ ବାଲେଶ୍ବର ଜିଲ୍ଲାରେ ବନ୍ଧୁକ ଦେଖାଇ ଦୁର୍ବୃତ୍ତମାନେ ୯ ଲକ୍ଷରୁ ଅଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି। ଗଞ୍ଜାମରୁ ୬ ଲକ୍ଷ ଲୁଟ୍ ହୋଇଥିବା ବେଳେ ବାଲେଶ୍ବରରୁ ୩.୨ ଲକ୍ଷ ଟଙ୍କା ଲୁଟିଛନ୍ତି ସଶସ୍ତ୍ର ଲୁଟେରା।

ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭେଜିପୁଟ ଗ୍ରାମ ସ୍କୁଲ ନିକଟରୁ ବନ୍ଧୁକ ଦେଖାଇ ୬ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି ଦୁର୍ବୃତ୍ତ। ସ୍ୱସ୍ତି ରିସର୍ଟର ଜଣେ କର୍ମଚାରୀ କାର୍‌ରେ ୬ଲକ୍ଷ ଟଙ୍କା ନେଇ ବ୍ୟାଙ୍କ୍‌ ଯାଉଥିବା ବେଳେ ମୁକ୍ତେଶ୍ଵର ମନ୍ଦିର ନିକଟରେ ୩ଜଣ ଦୁର୍ବୃତ୍ତ କଳା ପଲସରରେ ଆସି ବନ୍ଧୁକ ଦେଖାଇ ସମସ୍ତ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ଗତ ଦୁଇ ଦିନ ତଳେ ମଧ୍ୟ ବ୍ରହ୍ମପୁରର ଏକ ୱେବ ଚ୍ୟାନେଲର ସାମ୍ବାଦିକଙ୍କ ଠାରୁ ୨ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଲଗାତାର ଖଲିକୋଟ ଥାନା ଅଞ୍ଚଳରେ ଲୁଟ ହେଉଥିବାରୁ  ସମସ୍ତେ ଆତଙ୍କିତ ହୋଇପଡ଼ିଛନ୍ତି।

ଅନ୍ୟପଟେ ବାଲେଶ୍ୱର ସଦର ଥାନା ଅନ୍ତର୍ଗତ ଖାନନଗର ନିକଟରେ ଶ୍ୟାମ ଏଜେନ୍ସିର ଆକାଉଣ୍ଟାଣ୍ଟ ଅଶୋକ ଜେନା(୪୫) ସୁରକ୍ଷାକର୍ମୀଙ୍କ ସହିତ ବାଇକରେ ନିକଟସ୍ଥ ବ୍ୟାଙ୍କକୁ ଟଙ୍କା ଜମା କରିବାକୁ ଯାଉଥିବା ବେଳେ ବ୍ୟାଙ୍କଠାରୁ କିଛି ଦୂରରେ ଦୁଇ ଜଣ ଲୁଟେରା ବାଇକରେ ଆସି ଶ୍ରୀ ଜେନାଙ୍କୁ ଟଙ୍କା ବ୍ୟାଗକୁ ମାଗିଥିଲେ। ଶ୍ରୀ ଜେନା ଟଙ୍କା ନ ଦେବାରୁ ତାଙ୍କ ଗୋଡ଼କୁ ଗୁଳି ମାରି ଟଙ୍କା ବ୍ୟାଗ ଛଡ଼ାଇ ନେଇ ଯାଇଥଲେ। ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେବା ସହ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର