ଦର୍ଶନ ସିନା ହୋଇପାରିଲାନି, ଆମକୁ ବଞ୍ଚାଇଦେଲା ଜଗା

ବାହାନଗା ଟ୍ରେନ୍‌ ଟ୍ରାଜେଡି

ବାଲେଶ୍ବର: ଭୋଗରାଇ ବ୍ଲକ ନାଫରାଇ ପଞ୍ଚାୟତର ଦେବକୀ ପାତ୍ର। ତାଙ୍କ ସ୍ବାମୀ ନୀଳାମ୍ବର ପାତ୍ର ଏବଂ ଦୁଇପୁଅ ସ୍ନାନପୂର୍ଣ୍ଣିମାରେ ଜଗାଦର୍ଶନ କରିବାକୁ ପୁରୀ ଯାଉଥିଲେ। ସଂଧ୍ୟା ୬ଟା ସମୟରେ ସେମାନେ ବାଲେଶ୍ବର ଷ୍ଟେସନରୁ କରମଣ୍ଡଳରେ ଉଠିଥିଲେ। ଟ୍ରେନ୍‌ ପ୍ରବଳ ଭିଡ଼ ଥିଲା, ସେଥିଲାଗି ପୁରା ପରିବାର ଦିବ୍ୟାଙ୍ଗମାନଙ୍କ ପାଇଁ ଉଦ୍ଦିଷ୍ଟ ବଗିରେ ଚଢ଼ିଥିଲେ। ଟ୍ରେନ୍‌ଟି କିଛିବାଟ ଗଡ଼ିବା ପରେ ହଠାତ୍‌ କେହି କିଛି ବୁଝିବା ଆଗରୁ ବଗିଗୁଡ଼ିକ ଜୋରରେ ଦୋହଲି ଉଠିଲା। ତା’ ପରେ ଭୟଙ୍କର ଶବ୍ଦ ସହ ଉପରତଳ ହୋଇ ‌କିଏ କେଉଁଠି ପିଟିହେଲେ ତ କିଏ ବଗି ଭିତରୁ ବାହାରି ବାହାରକୁ ଛିଟିକି ପଡ଼ିଲେ। ସ‌ଙ୍ଗେସଙ୍ଗେ କିଟିମିଟି ଅନ୍ଧକାର ସହ ଚାରିଆଡ଼େ ଲୋକଙ୍କ କାନ୍ଦବୋବାଳି, ଯନ୍ତ୍ରଣାଦାୟକ ଚିତ୍କାର ଶୁଭିଥିଲା।

ଚେତା ଫେରିପାଇବା ପରେ ପାଖରେ ସ୍ବାମୀ ଓ ଦୁଇପୁଅଙ୍କୁ ନପାଇ ଖୋଜିଥିବା ବେଳେ ସେମାନେ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡିକାଲରେ ଏବଂ ସେ ବାଲେଶ୍ବର ଜିଲ୍ଲା ହସ୍ପିଟାଲରେ ଚିକିତ୍ସା ହେଉଥିବା ଦେବକୀ ଜାଣିବାକୁ ପାଇଥିଲେ। ଦେବକୀଙ୍କର ଦେହସାରା କ୍ଷତବିକ୍ଷତ ଦାଗ ଓ ଆଖିରେ ଭୀଷଣ ଆଘାତ ଲାଗିଥିବା ଦେଖାଯାଇଛି। ଏତେ ବଡ଼ ଦୁର୍ଘଟଣାରେ ଶହଶହ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ପୁରୀ ଯାଇ ଜଗା ଦର୍ଶନ ସିନା ହୋଇପାରିଲାନି, କିନ୍ତୁ ତାଙ୍କ ପରିବାରକୁ ଜଗା ଉଦ୍ଧାର କରିଦେଲେ ବୋଲି ଦେବକୀ କହିଛନ୍ତି।

ସମ୍ବନ୍ଧିତ ଖବର