ବାଲେଶ୍ବର ସମ୍ବାଦ କାର୍ଯ୍ୟାଳୟରେ ପାଳିତ ହେଲା ମଧୁ ଜୟନ୍ତୀ

ବାଲେଶ୍ବର: ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପବିତ୍ର ଜୟନ୍ତୀ ଆଜି ରାଜ୍ୟ ସାରା ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ସମ୍ବାଦ ଓ ଆମ ଓଡ଼ିଶା ପକ୍ଷରୁ ବାଲେଶ୍ବର ଉତ୍ତର ଓଡ଼ିଶା ସଂସ୍କରଣ କାର୍ଯ୍ୟାଳୟରେ ଏକ ସଭାର ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଫକୀରମୋହନ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏବଂ ମୁଖ୍ୟବକ୍ତା ଭାବେ ଶିକ୍ଷାବିତ୍‌ ତଥା ବିଶିଷ୍ଟ ସ୍ତମ୍ଭକାର ଡ. ସୁବାସ ଚନ୍ଦ୍ର ପାତ୍ର ଯୋଗ ଦେଇ ଓଡ଼ିଆ ଜାତି ପାଇଁ ମଧୁସୂଦନ ଦାସଙ୍କ ଅତୁଳନୀୟ ଅବଦାନକୁ ଓଡ଼ିବାସୀ ସବୁଦିନ ମନେରଖିବେ ବୋଲି କହିଥିଲେ।
ଉତ୍ତର ଓଡ଼ିଶା ସଂସ୍କରଣ ମୁଖ୍ୟ ‌ଗୌତମ ଶଙ୍କର ସ୍ବାଇଁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ସଂପାଦନା ବିଭାଗ ମୁଖ୍ୟ ସୁଦାମବନ୍ଧୁ ଭଟ୍ଟମିଶ୍ର ଅତିଥି ପରିଚୟ ପ୍ରଦାନ ଓ ମଧୁ କବିତା ପାଠ କରିଥିଲେ। ବାଲେଶ୍ବର ଜିଲ୍ଲା ପ୍ରତିନିଧି ମନୋଜ କୁମାର ରାଉଳ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଶିଷ୍ଟ ଲେଖକ ଡ. ହରିଶ୍ଚନ୍ଦ୍ର ବେହେରା ମଧୁବାବୁଙ୍କ ଉପରେ ସ୍ବରଚିତ କବିତା ପାଠ କରିଥିଲେ।
ଉତ୍ତର ଓଡ଼ିଶା ସଂସ୍କରଣ କାର୍ଯ୍ୟାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ସହରର ବହୁ ବୁଦ୍ଧିଜୀବୀ, କବି, ଲେଖକ ଓ ସମାଜସେବୀ ଯୋଗ ଦେଇ ମଧୁସୂଦନ ଦାସଙ୍କଜୀବନୀ ଓ କୀର୍ତି ବିଷୟରେ ଆଲୋଚନା କରିଥିଲେ। ସଂସ୍କରଣର ସମସ୍ତ କର୍ମଚାରୀଙ୍କ ଦ୍ବାରା କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।

ସମ୍ବନ୍ଧିତ ଖବର