ବାଲେଶ୍ବର: ପାଦରୁ ଅଳତା ଲିଭିନି, ମଥାରୁ ସିନ୍ଦୂର ଲିଭିଗଲା

ବାଲେଶ୍ବର: ଲିଭିନି ପାଦରୁ ଅଳତା, ଲିଭିଗଲା ମଥାରୁ ସିନ୍ଦୂର । ବାହାଘରର ଗୋଟିଏ ମାସ ଭିତରେ ଲିଭିଗଲା ଜୀବନଦୀପ । ସ୍ବପ୍ନ ହୋଇ ରହିଗଲା ପୁରୀ ଜଗନ୍ନାଥ ମନ୍ଦିର ବୁଲିବା । ଏମିତି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ମାଟିଆଲପଦା ଅଞ୍ଚଳରେ।

ବାଲେଶ୍ଵର ଜିଲ୍ଲା ଖଇରା ଥାନା ମାଟିଆଳପଦା ଗ୍ରାମରେ ଗତ ଜୁନ ମାସ ୧୮ ତାରିଖରେ ଶତୃଘ୍ନ ଜେନାଙ୍କର ବଡ଼ ଝିଅ ମାମିନା ଜେନା ସହିତ ମାଟିଆଳପଦା ଗ୍ରାମର ମହେନ୍ଦ୍ର ଗିରିଙ୍କର ବଡ଼ପୁଅ ପ୍ରଦୀପ ଗିରିଙ୍କ ସହିତ ଗଣ୍ଡିବେଡ଼ ଜଗନ୍ନାଥ ମନ୍ଦିରରେ ହିନ୍ଦୁରୀତି ଅନୁସାରେ ବାହାଘର ହୋଇଥିଲା। ଏକ ମାସ ଚାରି ଦିନ ବାହାଘର ଭିତରେ ଦୁହେଁ ଦେଖିଥିଲେ ଅନେକ ସ୍ୱପ୍ନ। କଥା ହୋଇଥିଲେ ବିଲ କାମ ସରିଲେ ପୁରୀ ଯାଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ । ହେଲେ ସବୁ ସ୍ୱପ୍ନ ଓ ଆଶା ଆଶାରେ ରହିଗଲା ମାମିନାଙ୍କର। ବାହାଘରର ୧ ମାସରେ ସନ୍ଦେହଜନକ ଭାବେ ପ୍ରଦୀପଙ୍କର ଆଜି ମୃତ୍ୟୁ ହୋଇଯାଇଛି । କାନ୍ଥରେ ଶୁଭ ବିବାହର ଲେଖା ଏବେବି ଦାଉ ଦାଉ ଦେଖାଯାଉଛି । ହେଲେ ମାମିନାଙ୍କ ହାତ ଶଙ୍ଖା ଓ ମଥା ସିନ୍ଦୂର ଲିଭିଯାଇଛି ।
ସବୁଦିନ ପରି ଗତକାଲି ବି ପ୍ରଦୀପ ମାଲିକର ଟ୍ରାକ୍ଟର ନେଇ ହଳ କରିବା ପାଇଁ ବିଲକୁ ଯାଇଥିଲେ। କାମସାରି ରାତିରେ ଘରକୁ ଫେରି ଖାଦ୍ୟ ଖାଇ ଶୋଇଥିଲେ। ବିଳମ୍ବିତ ରାତିରେ ଛାତିରେ ଯନ୍ତ୍ରଣା ଓ ଦେହ ହାତ ଜଳାପୋଡା ହେବାରୁ ପ୍ରଦୀପ ତାଙ୍କ ସ୍ତ୍ରୀକୁ ଜଣାଇଥିଲେ । ପରେ ଘରେ ଜାଣିବା ପରେ ତାଙ୍କୁ ପ୍ରଥମେ ଖଇରା ଓ ପରେ ସୋର ମେଡ଼ିକାଲକୁ ନେଇଥିଲେ । ସେଠାରେ ପ୍ରଦୀପଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ସୂଚନା ଦେଇଥିଲେ।

ମୃତ୍ୟୁ ଖବରପାଇ ପାଦତଳୁ ମାଟି ଖସି ପଡ଼ିଥିଲା ମାମିନାଙ୍କର । ଅନ୍ୟ ପଟେ ମୃତ୍ୟୁ ର କାରଣ ଜଣାପଡିନଥିବା ବେଳେ ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକ ପକ୍ଷରୁ ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର