ସୋର: ଅଧା ରହିଗଲା ଝିଅର ଜନ୍ମଦିନ । ଝିଅ ପରୀର ଜନ୍ମଦିନରେ ହିଁ ଚାଲିଗଲା ବାପାର ଜୀବନ । ନା କେକ୍ କଟା ହେଲା ନା ଜନ୍ମଦିନର ସେ ଖୁସି, ଖୁସି ହେଇ ରହିଲା । ଝିଅର ଜନ୍ମଦିନରେ ବାପାର ଜୀବନ ଦୀପ ଲିଭିଗଲା । ହସଖୁସିର ମାହୋଲଟା ଦୁଃଖରେ ପରିଣତ ହୋଇଗଲା । ଆଉ କିଛି ଘଣ୍ଟା ପରେ ଯେଉଁ ଘରୁ ‘ହାପି ବାର୍ଥ ଡେ ଟୁ ୟୁ’ ବୋଲି ଶୁଣିବାକୁ ମିଳିଥାନ୍ତା ଏବେ ସେହି ଘରୁ ଶୁଭୁଛି ହୃଦୟଫଟା ଚିତ୍କାର… କାନ୍ଦବୋବାଳିର କରୁଣ ସ୍ବର… ଦୁର୍ଘଟଣା ଯେ ଏମିତି ଦାଗ ଦେଇପାରେ ତାହା ସୋରରୁ ଆସିଥିବା ଛାତିଫଟା କାହାଣୀ ବଖାଣୁଛି…

Advertisment

ବାପା ଜଣଙ୍କ କେତେ ଖୁସି ଥିଲେ, ଝିଅର ଜନ୍ମଦିନ ପାଇଁ ବନାରସରେ କାମ କରୁଥିବା ବେଳେ ଛୁଟି ନେଇ ଘରକୁ ଫେରିଥିଲେ । ଝିଅର ଜନ୍ମଦିନ ଥିବାରୁ ଦୁଇଦିନ ତଳେ ଘରକୁ ଆସିଥିଲେ ଯୁବକ। ଆଜି ଜନ୍ମଦିନ ଥିବାରୁ ଘରେ ରଙ୍ଗବେରଙ୍ଗର ବେଲୁନ ବି ସଜାଇଥିଲେ । ଘରେ ବନ୍ଧୁବର୍ଗଙ୍କ ଭିଡ ଜମି ଥିଲା । ଝିଅର ଜନ୍ମଦିନ ସେଲିବ୍ରେସନ ପାଇଁ ଖାଲି କେକ୍ ଆଣିବା ବାକି ଥିଲା । ସଞ୍ଜରେ ସେଲିବ୍ରେସନ ଥିବାରୁ ବାପା ବାଇକ୍ ଧରି କେକ୍ ଆଣିବାକୁ ବାହାରିଯାଇଥିଲେ । ହେଲେ କିଏ ଜାଣିଥିଲେ ବାଟରେ ଯମ ଜଗି ଥିବ ବୋଲି… 

New Project

ଡମ୍ଫର ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ । ମୃତ ଯୁବକ ଜଣଙ୍କ ହେଲେ ବାଲେଶ୍ୱର ଜିଲ୍ଲା ସୋର ଥାନା ମଙ୍ଗଳପୁର ଗ୍ରାମର ଉମାକାନ୍ତ ପାଢ଼ୀ । ବୟସ ପାଖାପାଖି ୩୫ ବର୍ଷ ହେବ । ଉମାକାନ୍ତ ବନାରସର ଏକ ଘରୋଇ କମ୍ପାନୀରେ କାମ କରନ୍ତି।  ଆଜି ତାଙ୍କର ଏକମାତ୍ର ୩ ବର୍ଷର ଝିଅ ପରୀର ଜନ୍ମଦିନ ଥିବାରୁ ଉମାକାନ୍ତ ଦୁଇଦିନ ତଳେ ବନାରସରୁ  ଘରକୁ ଆସିଥିଲେ। ଆଜି   ଅପରାହ୍ଣରେ ଜନ୍ମଦିନ କେକ ଆଣିବାକୁ ଓଡ଼ି ୦୧ ସି ୧୨୧୧ ନମ୍ବର ବିଶିଷ୍ଟ ପେସନ ପ୍ରୋ ବାଇକ ଯୋଗେ ସୋର ଅଭିମୁଖେ ଆସୁଥିବା ବେଳେ  ସୋର ଥାନା ବାଗୁଡି ବଜାର ନିକଟ ଭଗବତୀ ଟ୍ରେଡ଼ର୍ସ ସମ୍ମୁଖରେ ପଛରୁ ଆସୁଥିବା ଏକ ପଥର ବୋଝେଇ ଡ଼ମ୍ଫର ତାଙ୍କୁ ଧକା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଉମାକାନ୍ତଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିବା ସହିତ ପରିବାର ଲୋକଙ୍କୁ ଓ ସୋର ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଡାକ୍ତର ଖାନାରେ ପହଞ୍ଚି ଶବ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ପଥର ବୋଝେଇ ଡମ୍ଫରଟି ଫେରାର ହୋଇଯାଇଥିବା ଜଣାପଡିଛି।

New Project (23)

ସେପଟେ ପୁଅର ମୃତ୍ୟୁରେ ମାଆ ଭାଙ୍ଗି ପଡିଥିବା ବେଳେ ଛାତିପିଟି ରାସ୍ତାରେ କାନ୍ଦୁଛି ମାଆ । ପରିବାର ଲୋକ ଉମାକାନ୍ତଙ୍କ ଆକସ୍ମିକ ମୃତ୍ୟୁକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ସମସ୍ତେ ସ୍ତବ୍ଧ ପାଲଟିଯାଇଛନ୍ତି । ଝିଅର ଜନ୍ମଦିନରେ ବାପାର ମୃତ୍ୟୁ ସ୍ଥାନୀୟ ଅଞ୍ଚଳରେ ଲୁହଭିଜା ପରିବେଶ ସୃଷ୍ଟି କରିଛି । ଠିକ୍ ଏମିତି ଏକ ଘଟଣା ୩-୪ ବର୍ଷ ତଳେ ଉକ୍ତ ସ୍ଥାନରେ ହିଁ ଘଟିଥିଲା । ହୋଲି ଦିନ ବାପା ଝିଅକୁ ମେସରୁ ଆଣିବାକୁ ଯାଉଥିବା ବେଳେ ବାଗୁଡିର ଉକ୍ତ ସ୍ଥାନରେ ହିଁ ଟ୍ରକ୍ ଚକା ତଳେ ଜଣେ ବାପାଙ୍କର ଜୀବନ ଯାଇଥିଲା । ଆଉ ଏବେ ପୁଣି ସେମିତି ଏକ ଘଟଣା ବାପା-ଝିଅ ଓ ମୃତ୍ୟୁ ନେଇ ଘଟିଥିବା ବେଳେ ଉକ୍ତ ଦୁର୍ଘଟଣାପ୍ରବଣ ସ୍ଥାନକୁ ନେଇ ଲୋକେ ବିଭିନ୍ନ ଚର୍ଚ୍ଚା କରୁଛନ୍ତି ।

vlcsnap-2025-09-01-18h59m26s348

ସୋରରୁ ଅଭୟ ପତ୍ରିଙ୍କ ରିପୋର୍ଟ