ଅସମୟରେ ଆଖି ବୁଜିଲେ ସ୍ବାମୀ: ଆବାସ ​ଘର ପାଇଁ ଗୁହାରି କରି କରି ଥକିଲେଣି ମଞ୍ଜୁଲତା

ବସ୍ତା-୨: ସରକାରୀ ଆବାସର ଅନେକ ଗୁମର କଥା ରହିଛି। ଯାହାଫଳରେ ଥିଲାବାଲାଙ୍କୁ ମିଳୁଛି, ନଥିଲାବାଲା ହତାଶ। ଏମିତି ବିଡ଼ମ୍ବିତ ଚିତ୍ର ସାମ୍ନାକୁ ଆସିଛି ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ୍‌ ଭେଲୋରା ପଞ୍ଚାୟତ ବାଇତପଡ଼ା ଗ୍ରାମରୁ। ୨୦୨୨ ମସିହା ଜୁନ୍‌ ମାସ ୨୨ ତାରିଖ ଦିନ ଗ୍ରାମର ବଳରାମ ଦାସ କୌଣସି କାମରେ ଘରୁ ବାହାରିଯାଇଥିବା ବେଳେ ଆଉ ଫେରି ନଥିଲେ। ପରଦିନ ନିକଟସ୍ଥ ଏକ ପରିତ୍ୟକ୍ତ ଜାଗାରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା। ସ୍ବାମୀଙ୍କ ମୃତ୍ୟୁ ପରେ ୧୬ ବର୍ଷ ବୟସ୍କ ନାବାଳକ ପୁଅ ମନୋରଂଜନ ସହ ରହୁଛନ୍ତି ମଞ୍ଜୁଲତା। ଗରିବୀ ପାଇଁ ପୁଅର ପାଠପଢ଼ାରେ ଡୋରି ବନ୍ଧା ହୋଇଛି। ମଞ୍ଜୁଲତା ପାଖ ବିଦ୍ୟାଳୟରେ ରୋଷେୟା ଭାବେ କାମ କରନ୍ତି। ଏହା ସହିତ ଦିନମଜୁରି କରନ୍ତି। ମନୋରଂଜନ ମଧ୍ୟ ମାଆ ସହ କାମ କରିବାକୁ ଯାଆନ୍ତି।

ସମ୍ବଳ ମାତ୍ର ୨ ଡେସିମିଲ୍‌ ଘରଡ଼ିହ। ସରକାରୀ ସାହାଯ୍ୟ କହିଲେ ୧୦ କିଲୋ ଚାଉଳ। ତେବେ ମଞ୍ଜୁଲତାଙ୍କ ଭଲ ଘର ଖଣ୍ଡେ ନାହିଁ। ପାଲ ପକା କୁଡ଼ିଆରେ ମାଆପୁଅଙ୍କ ଦିନ ବିତୁଛି। ହିତାଧିକାରୀ ତାଲିକାରେ ନାମ ଥିଲା। ହେଲେ ପରେ ତାଲିକାରୁ ନାମ କଟିଗଲା। ସରକାରୀ ଆବାସ ପାଇଁ ବାରମ୍ବାର ସରପଞ୍ଚ, ବିଡିଓ ଓ ଜିଲ୍ଲାପାଳଙ୍କଠାରେ ଗୁହାରି କରିଥିଲେ ବି କିଛି ଫଳ ମିଳିନି ବୋଲି ବାଷ୍ପରୁଦ୍ଧ କଣ୍ଠରେ କହନ୍ତି ମଞ୍ଜୁଲତା। ତେବେ ଏନେଇ ବିଡିଓ ମୋହିନୀ ମୋହନ ନାୟକଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ଘଟଣାର ତଦନ୍ତ କରିବା​ ସହ ସରକାରୀ ନିୟମ ଅନୁଯାୟୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର