ଜନ୍ମମାଟି ଶଙ୍ଖାରୀ ସ୍ତବ୍ଧ

ଚାଲିଗଲେ ଓଡ଼ିଆ ସାହିତ୍ୟର ମଉଡ଼ମଣି

ଭୋଗରାଇ : ଚାଲିଗଲେ ଓଡ଼ିଆ ସାହିତ୍ୟର ମଉଡ଼ମଣି। ବିଶିଷ୍ଟ କଥାକାର, ପ୍ରଥିତଯଶା ସାରସ୍ବତ ସାଧକ ପଦ୍ମଭୂଷଣ ମନୋଜ ଦାସଙ୍କ ଦେହାନ୍ତରେ ଜନ୍ମଭୂମି ଭୋଗରାଇ ଆଜି କାନ୍ଦୁଛି। ମାଟି ମାଆର ପୁଅକୁ ହରାଇ ସମଗ୍ର ଭୋଗରାଇବାସୀ ହତବାକ୍‌ ହୋଇ ଯାଇଛନ୍ତି। ଝୁରୁଛନ୍ତି ପ୍ରଜ୍ଞାଦୀପ୍ତ ପୁରୁଷଙ୍କୁ। କର୍ମଭୂମି ପୁଡୁଚେରୀଠାରେ ତାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜନ୍ମମାଟି ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ ଶଙ୍ଖାରୀରେ ଶୋକର ଛାୟା ଖେଳିଯାଇଛି। ସାହିତ୍ୟ ସର୍ଜନା କ୍ଷେତ୍ରରେ ସମଗ୍ର ଭାରତବର୍ଷରେ ଅତ୍ୟୁଚ୍ଚ ନିପୁଣତା, ପରାକାଷ୍ଠା ଅର୍ଜନ କରିଥିବା ଏହି ମହାନ୍ ସାରସ୍ବତ ସାଧକ ଶଙ୍ଖାରୀ ଭଳି ଏକ ନିପଟ ମଫସଲୀ ଗାଁରେ ଭୂମିଷ୍ଠ ହୋଇଥିଲେ।

ପିତା ମଧୁସୂଦନ ଦାସ, ମାତା କାଦମ୍ବିନୀ ଦେବୀଙ୍କର ଥିଲେ ଦୁଇପୁଅ ଓ ତିନି ଝିଅ। ବଡ଼ପୁଅ ସ୍ବର୍ଗତ ମନ୍ମଥନାଥ ଦାସ ଭାରତର ଜଣେ ବିଶିଷ୍ଟ ଐତିହାସିକ ଭାବେ ପରିଚିତ ଥିବାବେଳେ ସାନପୁଅ ମନୋଜ ଥିଲେ ବିଶ୍ୱ ସାହିତ୍ୟ ଜଗତର ଏକ ଉଜ୍ଜ୍ୱଳତମ ନକ୍ଷତ୍ର। ତିନି ଭଉଣୀ ସୁରବାଳା, ସ୍ନେହବାଳା ଓ ଶାନ୍ତିବାଳା ମଧ୍ୟ ନିଜ ନିଜ କ୍ଷେତ୍ରରେ ପ୍ରତିଷ୍ଠା ଅର୍ଜନ କରିଥିଲେ। ମନୋଜ ଦାସଙ୍କ ଖଡ଼ିଛୁଆଁ ଆରମ୍ଭ ହୋଇଥିଲା ନିଜ ଗାଁ ଶଙ୍ଖାରୀ ନିମ୍ନ ପ୍ରାଥମିକ ବିଦ୍ୟାଳୟରେ। ଦକ୍ଷିଣ ତେଘରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀରେ ପଢ଼ୁ୍‌ଥିବାବେଳେ ତାଙ୍କର ପ୍ରଚଣ୍ଡ ପ୍ରତିଭା ଏବଂ ସାରସ୍ୱତ ସାଧନାର ଦୀପ୍ତି ଦେଖିବାକୁ ମିଳିଥିଲା। ତେବେ ସେ ସମୟରେ ଉଚ୍ଚଶିକ୍ଷା ନିମନ୍ତେ ସୁବିଧା ସୁଯୋଗ ନ ଥିବାରୁ ଜଳେଶ୍ବର ଜମାଳପୁରସ୍ଥିତ ବିଶ୍ୱନାଥ ଏକାଡେମିରେ ଅଷ୍ଟମ, ଜଳେଶ୍ବରପୁର ହାଇସ୍କୁଲରେ ନବମ ଏବଂ ବାଲେଶ୍ୱର ଜିଲ୍ଲା ହାଇସ୍କୁଲରୁ ମାଟ୍ରିକ୍‌ ପାସ କରିଥିଲେ। ପରେ ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟରୁ ଇଣ୍ଟର ମିଡିଏଟ୍‌, ରେଭେନ୍ସା ମହାବିଦ୍ୟାଳୟରୁ ସ୍ନାତକ ଓ ସ୍ନାତକୋତ୍ତର, ମଧୁସୂଦନ ଆଇନ ମହାବିଦ୍ୟାଳୟରୁ ଆଇନରେ ସ୍ନାତକ ପାସ କରିଥିଲେ। ତାଙ୍କର କର୍ମମୟ ଜୀବନ ଆରମ୍ଭ ହୋଇଥିଲା କଟକ ଷ୍ଟିୱାର୍ଟ କଲେଜରେ ଅଧ୍ୟାପକ ଭାବରେ।

ସମଗ୍ର ଭୋଗରାଇ ମାଟିକୁ ବିଶ୍ୱ ଦରବାରରେ ପରିଚିତ କରାଇଥିବା ମନୋଜ ଦାସଙ୍କୁ ଆଜି ସଭିଁଏ ଝୁରୁଛନ୍ତି। ତାଙ୍କ ଦେହାନ୍ତ ଖବର ପାଇବା ପରେ ଜନ୍ମମାଟି ଶଙ୍ଖାରୀ ଗାଁର ଆବାଳବୃଦ୍ଧବନିତା ଦୁଃଖରେ ମ୍ରିୟମାଣ ହୋଇ ପଡ଼ିଥିବା ବେଳେ ମାଟିର ପୁଅକୁ ହରାଇ ସମଗ୍ର ଭୋଗରାଇ ଶୋକରେ ଡୁବିଛି। ପ୍ରଜ୍ଞାଦୀପ୍ତ ପୁରୁଷଙ୍କ ବିୟୋଗରେ ଭୋଗରାଇ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅନନ୍ତ ଦାସ, ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ଜଳେଶ୍ବର ବିଧାୟକ ଅଶ୍ବିନୀ ପାତ୍ର, ବସ୍ତା ବିଧାୟକ ନିତ୍ୟାନନ୍ଦ ସାହୁ, ବାଲେଶ୍ବର ବିଧାୟକ ସ୍ବରୂପ ଦାସ, ରେମୁଣା ବିଧ‌ାୟକ ସୁଧାଂଶୁ ଶେଖର ପରିଡ଼ା, ନୀଳଗିରି ବିଧାୟକ ସୁକାନ୍ତ ନାୟକ, ସୋର ବିଧାୟକ ପର୍ଶୁରାମ ଧଡ଼ା, କଂଗ୍ରେସର ବାଲେଶ୍ବର ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି।

ମୁଁ ପୁଣି ଆସିବି ଫେରି ସମୟର ଶୁଭ୍ର ବାଲୁଚରେ
ବାରି ବାରି ପଦଚିହ୍ନ, ଏ ବିସ୍ମୃତ ତିମିର – ଶିବିରେ
ବେନିକରେ ଆଣିଥିବି ସେଦିନ ମୁଁ ଆବୋରି ଯତନେ
ପ୍ରଥମ ପ୍ରଦୀପ ଏଇ ଅଭିଶପ୍ତ ତମସା ସଦନେ…

 

ଉପନ୍ୟାସ
ଦ ଏସ୍କେପିଷ୍ଟ, ତନ୍ଦ୍ରାଲୋକର ପ୍ରହରୀ, ଆକାଶର ଇସାରା, ଅମୃତ ଫଳ, ଏ ଟାଇଗର ଆଟ୍‌ ଟ୍ବିଲାଇଟ୍‌, ବୁଲ୍‌ଡୋଜର୍‌ସ ଆଣ୍ଡ ଫେବ୍‌ଲେସ୍‌ ଆଣ୍ଡ ଫାଣ୍ଟାସିଜ୍‌ ଫର୍‌ ଆଡଲ୍ଟସ୍‌, ସାଇକ୍ଲୋନ୍‌ସ, ପ୍ରଭଞ୍ଜନ, ଗୋଧୂଳିର ବାଘ, କନକ ଉପତ୍ୟକାର କାହାଣୀ, ଶେଷ ତାନ୍ତ୍ରିକର ସନ୍ଧାନରେ।

କ୍ଷୁଦ୍ରଗଳ୍ପ
ଉପକଥା ଶତକ, ଆବୁପୁରୁଷ, ଶେଷ ବସନ୍ତର ଚିଠି, ମନୋଜ ଦାସଙ୍କ କଥା ଓ କାହାଣୀ, ଧୂମାଭ ଦିଗନ୍ତ ଓ ଅନ୍ୟାନ୍ୟ କାହାଣୀ, ଦ କ୍ରୋକୋଡାଇଲ୍ସ ଲେଡି: ଏ କଲେକ୍‌ସନ୍ସ ଅଫ୍‌ ଷ୍ଟୋରିଜ୍‌, ମନୋଜ ପଞ୍ଚବିଂଶତି, ଦ ସବ୍‌ମର୍ଜଡ୍‌ ଭ୍ୟାଲି ଆଣ୍ଡ ଅଦର ଷ୍ଟୋରିଜ୍‌, ଫେୟାରୱେଲ୍‌ ଟୁ ଏ ଘୋଷ୍ଟ: ସର୍ଟ ଷ୍ଟୋରିଜ୍‌ ଆଣ୍ଡ ନଭେଲିଟି, ଲିଜେଣ୍ଡ ଅଫ୍‌ ଦ ଗୋଲ୍‌ଡେନ୍‌ ଭ୍ୟାଲି, ଆରଣ୍ୟକ, ଭିନ୍ନ ମଣିଷ ଓ ଅନ୍ୟାନ୍ୟ କାହାଣୀ, ଆବୁପୁରୁଷ ଓ ଅନ୍ୟାନ୍ୟ କାହାଣୀ, ଲକ୍ଷ୍ମୀର ଅଭିସାର, ଅବୋଲକରା କାହାଣୀ, ଅରଣ୍ୟ ଉଲ୍ଲାସ, ସିଲେକ୍ଟେଡ୍‌ ଫିକ୍‌ସନ୍‌, ଚେଜିଂ ଦ ରେନ୍‌ବୋ: ଗ୍ରୋଇଂ ଅପ୍‌ ଇନ୍‌ ଆନ୍‌ ଇଣ୍ଡିଆନ୍‌ ଭିଲେଜ୍‌। ସମୁଦ୍ର କୂଳର ଏକ ଗ୍ରାମ (ବାଲ୍ୟ ସ୍ମୃତିକଥା)।

ଭ୍ରମଣ କାହାଣୀ
କେତେ ଦିଗନ୍ତ (ପାର୍ଟ ୧ ଓ ୨), ଅନ୍ତରଙ୍ଗ ଭାରତ (ପାର୍ଟ ୧ ଓ ପାର୍ଟ ୨), ଦୂର-ଦୂରାନ୍ତର, ଅଦୂର ବିଦେଶ।

କବିତା
ଶତାବ୍ଦୀର ଆର୍ତ୍ତନାଦ, ତୁମ ଗାଁ ଓ ଅନ୍ୟାନ୍ୟ କବିତା, କବିତା ଉତ୍କଳ

ଇତିହାସ ଓ ସଂସ୍କୃତି
ଭାରତର ଆତିଥ୍ୟ: ଶତେକ ପ୍ରଶ୍ନର ଉତ୍ତର, ଉପକଥା ଶତକ, ମହାକାଳର ପ୍ରହେଳିକା ଓ ଅନ୍ୟାନ୍ୟ ଜିଜ୍ଞାସା, ଜୀବନ ଜିଜ୍ଞାସା ଓ ସ୍ମରଣିକା ସ୍ତାବକ, ପ୍ରଜ୍ଞା ପ୍ରଦୀପିକା।

ସମ୍ବନ୍ଧିତ ଖବର