ରାଜମିସ୍ତ୍ରୀକୁ ପଥରରେ ଛେଚି ହତ୍ୟା ଘଟଣା:ଅଭିଯୁକ୍ତଙ୍କ ରହସ୍ୟଜନକ ମୃତ୍ୟୁ

ଘର ଭିତରୁ ମିଳିଲା ଶବ ପୁଲିସ ତଦନ୍ତ ବିଳମ୍ବକୁ ନେଇ ପ୍ରଶ୍ନବାଚୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଚାନ୍ଦିପୁର ଥାନା ଗୁଡୁ ଅଞ୍ଚଳରେ ସୋମବାର ସପନ ଦଳେଇ ନାମକ ଜଣେ ରାଜମିସ୍ତ୍ରୀଙ୍କ ହତ୍ୟା ଘଟଣାକୁ ୪୮ ଘଣ୍ଟା ନପୂରୁଣୁ ସେହି ସ୍ଥାନରେ ଆଉ ଏକ ଅଭାବନୀୟ ଘଟଣା ଘଟିଛି। ରହସ୍ୟଜନକ ଭାବେ ହତ୍ୟାକାଣ୍ଡରେ ସଂପୃକ୍ତି ସନ୍ଦେହ କରାଯାଉଥିବା ଗୁଡୁରା ଓରଫ୍‌ କୃଷ୍ଣଚନ୍ଦ୍ର ମାରାଣ୍ଡି (୩୫)ଙ୍କ ମୃତଦେହ ତାଙ୍କ ଘରୁ ମିଳିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। କୃଷ୍ଣଚନ୍ଦ୍ର ଆତ୍ମହତ୍ୟା କରିଛନ୍ତି ନା ତାଙ୍କୁ ହତ୍ୟା କରାଯାଇଛି, ସେ ଗୁମର ଖୋଲିବା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୋମବାର ସଦର ଥାନା ଅଧୀନ ଇଞ୍ଚୁଡିଆ ଗ୍ରାମର ସପନ ଦଳେଇ (୩୦) ଗୁଡୁ ଅଞ୍ଚଳକୁ ସାଇକଲ୍‌ ନେଇ ନିଜ କାମରେ ଯାଇଥିଲେ। ତେବେ ଅପରାହ୍ନରେ ତାଙ୍କୁ ସେଠାରେ ପଥରରେ ଛେଚି କେହି ହତ୍ୟା କରାଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଂଚି ଏକ ରକ୍ତଭିଜା ପଥରଖଣ୍ଡ ଜବତ କରିଥିଲା। ତେବେ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଏକ ମଦଭାଟିର ମାଲିକ କୃଷ୍ଣଚନ୍ଦ୍ର, ତାଙ୍କ ପତ୍ନୀ ମେନକା ଓ ଶାଶୂ ଲକ୍ଷ୍ମୀ ଭାଟିରେ ଚାବି ପକାଇ ଫେରାର୍‌ ହୋଇଯାଇଥିଲେ। ଫଳରେ ହତ୍ୟାକାଣ୍ଡରେ କୃଷ୍ଣଚନ୍ଦ୍ରଙ୍କ ସହ ଶାଶୂ ଓ ପତ୍ନୀଙ୍କ ସଂପୃକ୍ତି ଥିବା ସପନଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ଏଥିରେ ପୁଲିସ ୮୫/୧୮ନମ୍ବରରେ ଏକ ମାମଲା ରୁଜୁ ତଦନ୍ତ ଚଳାଇଥିଲା। ହେଲେ ଫେରାର ଅଭିଯୁକ୍ତଙ୍କୁ ଧରିବାରେ ପୁଲିସ ସକ୍ଷମ ନ ହେବାରୁ ମଙ୍ଗଳବାର ଦିନ ଉତ୍ତ୍ୟକ୍ତ ପରିବାର ଓ ଗାଁ ଲୋକ ବାଲେଶ୍ବର-ଚାନ୍ଦିପୁର ପ୍ରୁଫ୍‌ରୋଡ୍‌ର ସୁନହଟଠା‌େର ସପନଙ୍କ ଶବ ରଖି ରାସ୍ତାରୋକ କରିଥିଲେ।
ଫଳରେ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବା ନେଇ ପୁଲିସ ପ୍ରତିଶ୍ରୁତି ଦେଇଥିଲା।
ହେଲେ ଆଜି ରହସ୍ୟଜନକ ଭାବେ ଅଭିଯୁକ୍ତ କୃଷ୍ଣଚନ୍ଦ୍ରଙ୍କ ମୃତଦେହ ତାଙ୍କ ଘରୁ ମିଳିଛି। ମଧ୍ୟାହ୍ନ ପ୍ରାୟ ୧୨ଟା ବେଳେ କୃଷ୍ଣଚନ୍ଦ୍ର ନିଜ ମଦଭାଟି ନିକଟରେ ଥିବା ଘର ଭିତରେ ଯନ୍ତ୍ରଣାରେ ଛାଟିପିଟି ହେଉଥିବା ଶୁଣି ପଡ଼ୋଶୀ ଆମ୍ବୁଲାନ୍ସ ଓ ପୁଲିସକୁ ଖବର ଦେଇଥିଲେ। ଆମ୍ବୁଲାନ୍ସ ଓ ପୁଲିସ ପହଞ୍ଚିବା ବେଳକୁ କୃଷ୍ଣଚନ୍ଦ୍ରଙ୍କ ମୃତ୍ୟୁ ହୋଇ ସାରିଥିଲା। ଏନେଇ ଚାନ୍ଦିପୁର ଥାନାରେ ୧୯/୧୮‌‌‌ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।
ତେବେ ଗୋଟିଏ ପଟେ ମୃତ କୃଷ୍ଣଚନ୍ଦ୍ରଙ୍କ ପାଟିରୁ ଫେଣ ବାହାରୁଥିବା ବେଳେ ପୁଲିସ ତାଙ୍କୁ ଧରିବା ଭୟରେ ହେଉ କି ଅନ୍ୟ କୌଣସି କାରଣରୁ ହେଉ, ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଅନ୍ୟପଟେ ତାଙ୍କୁ କେହି ହତ୍ୟା କରିଥାଇପାରେ ବୋଲି ମଧ୍ୟ ଆଲୋଚନା ହେଉଛି। ସେହିପରି ପୁଲିସ ଠିକ୍‌ ସମୟରେ ଯଦି କୃଷ୍ଣଚନ୍ଦ୍ରଙ୍କୁ ଧରିବାରେ ସକ୍ଷମ ହୋଇଥାନ୍ତା, ତେବେ ହୁଏ ତାଙ୍କର ମୃତ୍ୟୁ ହୋଇନଥାନ୍ତା ବୋଲି ମଧ୍ୟ ସ୍ଥାନୀୟ ଲୋକ ଅଭିଯୋଗ କରିବା ସହ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠାଇଛନ୍ତି।

ସମ୍ବନ୍ଧିତ ଖବର