ଛାତ୍ରଙ୍କୁ ପୁଣି ପଛରେ ପକାଇଲେ ଛାତ୍ରୀ
ଗୌତମ ଦାସ ଉତ୍ତର ଓଡ଼ିଶା ଟପର
ବାଲେଶ୍ବର: ମାଧ୍ୟମିକ ଶିକ୍ଷା ବୋର୍ଡ ଦ୍ବାରା ପରିଚାଳିତ ୨୦୧୯ ମାଟ୍ରିକ୍ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି। ପାସ୍ ହାରରେ ସମଗ୍ର ରାଜ୍ୟରେ ଝାରସୁଗୁଡ଼ା ଜିଲ୍ଲା ଶୀର୍ଷରେ ଥିଲାବେଳେ ବାଲେଶ୍ବର ଜିଲ୍ଲା ଦ୍ବିତୀୟ ସ୍ଥାନରେ ରହିଛି। ଗତ ବର୍ଷ ତୁଳନାରେ ଏଥର ଜିଲ୍ଲାରେ ପାସ୍ହାର ଓ ଏ-୧ଗ୍ରେଡ୍ ଛାତ୍ରଛାତ୍ରୀଙ୍କ ସଂଖ୍ୟା ଆଶନୁରୂପକ ହୋଇ ନାହିଁ। ଗତବର୍ଷ ଜିଲ୍ଲାର ପାସହାର ୮୮.୧୫ ପ୍ରତିଶତ ଥିବା ବେଳେ ଚଳିତବର୍ଷ ତାହା ୮୫.୨୧କୁ ଖସିଆସିଛି। ସଫଳତାରେ ଆନୁପାତିକ ଭାବେ ଛାତ୍ରୀମାନେ ଆଗରେ ରହିଛନ୍ତି। ବାଲେଶ୍ବର ସଦର ମହକୁମାସ୍ଥିତ ମାଣିଖମ୍ବ ସରସ୍ବତୀ ଶିଶୁବିଦ୍ୟାମନ୍ଦିରର ଛାତ୍ର ଗୌତମ ଦାସ ସର୍ବାଧିକ ୫୭୬ ନମ୍ବର ରଖି କେବଳ ବାଲେଶ୍ବର ଜିଲ୍ଲାରେ ନୁହେଁ, ଉତ୍ତର ଓଡ଼ିଶାରେ ଶୀର୍ଷ ସ୍ଥାନ ଅଧିକାର କରିଛନ୍ତି।
ଆଜି ସକାଳଠାରୁ ମାଟ୍ରିକ ପରୀକ୍ଷାଫଳକୁ ନେଇ ପରୀକ୍ଷାର୍ଥୀ, ଅଭିଭାବକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କ ମଧ୍ୟରେ ଉତ୍କଣ୍ଠା ଲାଗି ରହିଥିଲା। ନିର୍ଦ୍ଧାରିତ ସମୟରେ ଫଳ ଘୋଷଣା ହେବା ପରେ ଧୀରେ ଧୀରେ ବିଭିନ୍ନ ସ୍କୁଲରେ ଛାତ୍ରଛାତ୍ରୀଙ୍କ ଭିଡ଼ ଜମିଥିଲା। ତେବେ କେତେକ ସ୍କୁଲରେ ଛାତ୍ରଛାତ୍ରୀମାନେ ନିଜ ଫଳାଫଳକୁ ସନ୍ତୁଷ୍ଟ ଥିଲେ ହେଁ ଆଉ କେତେକ ସ୍କୁଲ ଛାତ୍ରଛାତ୍ରୀମାନେ ଆଶାନୁରୂପ ନମ୍ବର ପାଇ ନ ଥିବାରୁ ନିରାଶ ହୋଇଥିବା ଦେଖିବାକୁ ମିଳିଥିଲା।
ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାରେ ବାଲେଶ୍ବର ଜିଲ୍ଲାର ୧୬୮ଟି ପରୀକ୍ଷା କେନ୍ଦ୍ରରେ ୫୧୫ଟି ହାଇସ୍କୁଲର ୩୨,୮୫୭ ଛାତ୍ରଛାତ୍ରୀ ଫର୍ମ ପୂରଣ କରିଥିବା ବେଳେ ୩୨, ୩୮୬ ଜଣ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୩୨,୩୬୩ ଜଣଙ୍କର ଫଳାଫଳ ପ୍ରକାଶ ପାଇଛି। ସେଥିରେ ଏ-୧ ଗ୍ରେଡ୍ରେ ୯୨ ଜଣ, ଏ-୨ ଗ୍ରେଡ୍ରେ ୧୨୫୩ ଜଣ, ବି-୧ ଗ୍ରେଡ୍ରେ ୩୪୨୯ ଜଣ, ବି-୨ ଗ୍ରେଡ୍ରେ ୪୯୭୦ ଜଣ, ସି ଗ୍ରେଡ୍ରେ ୬୧୧୧ ଜଣ, ଡି ଗ୍ରେଡ୍ରେ ୬୬୫୩ ଜଣ, ଇ ଗ୍ରେଡ୍ରେ ୫୦୬୭ ଜଣ କୃତକାର୍ଯ୍ୟ ହୋଇଛନ୍ତି।
ରାଜ୍ୟରେ ଲଗାତର ତିନିବର୍ଷ ଧରି ବାଲେଶ୍ବର ଜିଲ୍ଲା ଏ-୧ ଗ୍ରେଡ୍ରେ ଆଗରେ ରହିଥିବା ବେଳେ ଚଳିତ ବର୍ଷ ୪ ନମ୍ବର ସ୍ଥାନରେ ରହିଛି। ସେହିପରି ପାସ୍ହାରରେ ଛାତ୍ରୀମାନେ ପୂର୍ବ ବର୍ଷଗୁଡ଼ିକ ଭଳି ଛାତ୍ରମାନଙ୍କୁ ପଛରେ ପକାଇଛନ୍ତି। ଚଳିତବର୍ଷ ୧୩,୯୭୨ ଜଣ ଛାତ୍ରୀ ମାଟ୍ରିକ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଛାତ୍ରଙ୍କ ସଂଖ୍ୟା ୧୩,୬୦୩ ରହିଛି। ପରୀକ୍ଷାରେ ଖରାପ ପ୍ରଦର୍ଶନ କରିଥିବା ୪୭୮୮ ଜଣ ପରୀକ୍ଷାର୍ଥୀଙ୍କୁ ଏଫ୍ ଗ୍ରେଡ୍ ତାଲିକାରେ ରଖାଯାଇଛି।
ସେହିପରି ଜିଲ୍ଲାର ୩୭୪ ଜଣ ଛାତ୍ରଛାତ୍ରୀ ଏଥର ଏକ୍ସ-ରେଗୁଲାର ପରୀକ୍ଷା ଦେଇଥିଲେ। ସେଥିରେ ପାସହାର ୪୬.୭୯ ପ୍ରତିଶତ ଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ବୋର୍ଡ ଦ୍ୱାରା ପରିଚାଳିତ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷାରେ ଜିଲ୍ଲାର ପାସହାର ୭୬.୯୨ ପ୍ରତିଶତ ରହିଥିବା ଜଣାପଡ଼ିଛି। ଜିଲ୍ଲା ଶିକ୍ଷାଧିକାରୀ ପ୍ରମୋଦ ଷଡ଼ଙ୍ଗୀ ଓ ଜୋନାଲ ବୋର୍ଡର ଭାରପ୍ରାପ୍ତ ଉପସଚିବ ରାମଚନ୍ଦ୍ର ନାୟକ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କ ସହ ସ୍କୁଲର ପ୍ରଧାନଶିକ୍ଷକ ଓ ଶିକ୍ଷକଶିକ୍ଷୟିତ୍ରୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ମାଟ୍ରିକ ପରୀକ୍ଷା ଫଳ ପାସ୍ ହାରରେ ବାଲେଶ୍ବର ରାଜ୍ୟରେ ଦ୍ବିତୀୟ
୮୫.୨୧ ପ୍ରତିଶତ ପରୀକ୍ଷାର୍ଥୀ କୃତକାର୍ଯ୍ୟ:ଏ-୧ ଗ୍ରେଡ୍ରେ ଜିଲ୍ଲାରୁ ୯୨ ଛାତ୍ରଛାତ୍ରୀ

Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)