ବସ୍ତା-୨: ବସ୍ତା ଥାନା କଦଳୀହେଣ୍ଡା ଗ୍ରାମରେ ଛାତ ଉପରେ ଦୁଇଦିନଧରି ଉତ୍ପାତ କରିଥିଲେ ମାନସିକ ବିକାରଗ୍ରସ୍ତ ଯୁବକ। ଶେଷରେ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କରିଛି ବସ୍ତା ଅଗ୍ନିଶମ ବାହିନୀ ଓ ପୁଲିସ। ଏହି ଗ୍ରାମର ସ୍ବର୍ଗତ ସୁରେନ୍ଦ୍ର ପଣ୍ଡାଙ୍କ ପୁଅ ଧୀରେନ (୪୦) ବିଭିନ୍ନ ସ୍ଥାନରେ ଶ୍ରମିକ ଭାବେ କାର୍ଯ୍ୟକରୀ ଗୁଜୁରାଣ ମେଣ୍ଟାନ୍ତି। ଧୀରେନଙ୍କ ସ୍ତ୍ରୀ, ବୁଢ଼ୀ ମା ଦୁଇପୁଅଙ୍କୁ ନେଇ ପରିବାର ହୋଇଥିବା ବେଳେ କିଛିବର୍ଷ ପୂର୍ବରୁ ହଠାତ୍ ଧୀରେନ ମାନସିକ ରୋଗର ଶିକାର ହୋଇ ପ୍ରଥମେ କଟକ ଓ ପରେ ବାଲେଶ୍ୱରରେ ଚିକିତ୍ସାଧୀନ ଥିଲେ। ଆର୍ଥିକ ଅବସ୍ଥା ସଙ୍କଟାପନ୍ନ ହେବାରୁ ଦୁଇ ତିନି ବର୍ଷଧରି ମାନସିକ ରୋଗ ପାଇଁ ଔଷଧ ଖାଇ ନଥିଲେ। ହଠାତ୍ ଦୁଇଦିନ ପୂର୍ବରୁ ଧୀରେନଙ୍କ ସ୍ଵଭାବ ବିଗିଡ଼ିଥିଲା। ସେ ପିଲାମାନଙ୍କୁ ଗାଳିଗୁଲଜ କରିବା ସହିତ ସ୍ତ୍ରୀ ଓ ବୁଢ଼ୀ ମାଙ୍କୁ ଗାଳିଗୁଲଜ କରିଥିଲେ।

Advertisment

ଗତକାଲି ରାତିରେ ହଠାତ୍ ଧୀରେନ୍ ଏକ ଖଣ୍ଡାଧରି ପରିବାର ସହିତ ଗ୍ରାମଲୋକଙ୍କୁ ହାଣିବାକୁ ଗୋଡ଼ାଇଥିଲେ। ଘରେ ଥିବା ଧାନ ଚାଉଳ ଓ ଆସବାବପାତ୍ର ନିକଟରେ ଥିବା ଗଡ଼ିଆକୁ ଫିଙ୍ଗିଥିଲେ। ଗ୍ରାମ ଲୋକ ଅଟକାଇବାକୁ ଚେଷ୍ଠା କରିବାରୁ ଧୀରେନ ଘର ଛାତ ଉପରକୁ ଉଠି ଛାତରେ ଥିବା ଇଟାକୁ ଲୋକଙ୍କ ଉପରକୁ ଫିଙ୍ଗିଥିଲେ। ରାତିସାରା ଛାତ ଉପରେ ଧୀରେନ ରହି ତିନିଥର ନିଜ ବେକରେ ଦଉଡ଼ି ଲଗାଇ ଥିଲେ। ପରେ କୌଶଳପୂର୍ବକ ଗ୍ରାମର ଲୋକେ ଧୀରେନ ହାତ ଓ ଗୋଡ଼ରେ ବେଡ଼ି ପକାଇଥିଲେ। ଖବରପାଇ ବସ୍ତା ଅଗ୍ନିଶମ ବାହିନୀ ସହିତ ପୁଲିସ ପହଞ୍ଚି ଦଉଡ଼ି ସାହାଯ୍ୟରେ ଧୀରେନଙ୍କୁ ଛାତରୁ ତଳକୁ ଆଣିବାରେ ସକ୍ଷମ ହୋଇଥିଲେ। ପରେ ତାଙ୍କୁ ସାମାନ୍ୟ ଚିକିତ୍ସା କରି କଟକ ବଡ଼ ଡ଼ାକ୍ତରଖାନାକୁ ପଠାଯାଇଥିବା ଜଣାଯାଇଛି।