ସୋର: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ତଳିକିଆ ଗ୍ରାମର ଜଣେ ନାବାଳିକା ନିକଟସ୍ଥ କେନାଲ ପାଖକୁ ଛେଳି ଚରାଇବାକୁ ଯାଇଥିବା ବେଳେ ବିଦ୍ୟୁତ ଆଘାତରେ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହି ଗ୍ରାମର ଗଙ୍ଗାଧର ବେହେରାଙ୍କ ନାବାଳିକା ଝିଅ ଗାୟତ୍ରୀ ବେହେରା ଆଜି ସକାଳେ ଘର ନିକଟସ୍ଥ କେନାଲ ପାଖକୁ ଛେଳି ଚରାଇବାକୁ ଯାଇଥିଲେ। ଏହି ସମୟରେ ବିଦ୍ୟୁତ ବିଭଗର ଖାମଖିଆଲି ପାଇଁ କେନାଲ ନିକଟରେ ଏକ ତାର ଓହଳି ମାଟିରେ ଲାଗିଥିବାରୁ ନାବାଳିକା ଜଣଙ୍କ ବିଦ୍ୟୁତ ଆଘାତର ଶିକାର ହୋଇ ଗୁରୁତର ଆହତ ହୋଇଥିଲେ। ଏଥିରେ ତାଙ୍କ ମୁଣ୍ଡ ହାତ ଓ ଛାତି କ୍ଷତ ସୃଷ୍ଟି ହୋଇଥିଲା।

Advertisment

ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସମାଜସେବୀ ପ୍ରହଲ୍ଲାଦ ବେହେରାଙ୍କ ଗାଡ଼ିରେ ପ୍ରଥମେ ଔପଦା ଓ ପରେ ସୋର ଡାକ୍ତରଖନାରେ ଭର୍ତି କରିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ୱର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ତେବେ ବିଦ୍ୟୁତ ବିଭାଗର ଏହିଭଳି ଅବହେଳା ପାଇଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।