ବସ୍ତା-୨/ଗାନ୍ଧିଛକ/ବୋଳଂ: ବର୍ଷକ ତଳେ ବାପା କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ବେଳେ ଏବେ ଏକମାତ୍ର ପୁଅ ସାପ କାମୁଡ଼ାରେ ଆଖି ବୁଜିଛନ୍ତି। ସିଂଲା ଥାନା ଛୟାଳିଆ ଗ୍ରାମର ସ୍ବର୍ଗତ ଲଛମନ ମାଝୀଙ୍କର ବର୍ଷକ ତଳେ କୁକୁର କାମୁଡ଼ାରେ ମୃତ୍ୟୁ ହୋଇଥିଲା। ଗତକାଲି ପୁଅ ଖୁଦୀରାମ (୫)ଙ୍କ ସାପ କାମୁଡ଼ାରେ ମୃତ୍ୟୁ ହୋଇଛି। ଖୁଦୀରାମ ସାଙ୍ଗମାନଙ୍କ ​ସହ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ଏକ ବିଷଧର ସାପ ତାଙ୍କୁ କାମୁଡ଼ି ଦେଇଥିଲା। ପରିବାର ଲୋକ ଖୁଦୀରାମଙ୍କୁ ବସ୍ତା ଡାକ୍ତରଖାନା ନେଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ସିଂଲା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Advertisment

ତେବେ ସ୍ବାମୀ ଓ ଏକମାତ୍ର ପୁଅକୁ ହରାଇ ଏବେ ବେସାହାରା ହୋଇପଡ଼ିଛନ୍ତି ସୀତା ମାଝୀ। ​ସେହିପରି ଗାଁ’ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ସ୍ବାମୀଙ୍କ ମୃତ୍ୟୁ ପରେ ମୂଲମଜୁରି କରି ପେଟ ପୋଷୁଥିବା ଅସହାୟ ସୀତାଙ୍କର ମୁଣ୍ଡ ଗୁଞ୍ଜିବାକୁ ଭଲ ଘର ଖଣ୍ଡେ ନାହିଁ। ତେଣୁ ସୀତାଙ୍କୁ ତୁରନ୍ତ ଆବାସ ଯୋଜନାରେ ଘର, ରାସନ୍‌ ଓ ଭତ୍ତା ପ୍ରଦାନ କରିବାକୁ ସାଧାରଣରେ ଦାବି ହୋଇଛି।