ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ : ଲୁଟି ନେଲେ ୫ ଲକ୍ଷ

ଜଳେଶ୍ୱର/ଭୋଗରାଇ/କମର୍ଦ୍ଦା : ବାଲେଶ୍ୱର ଜିଲ୍ଲା କମର୍ଦ୍ଦା ଥାନା ଅଧୀନ ଖଳାବାଡ଼ିଆ ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ଜଣେ ଔଷଧ ବ୍ୟବସାୟୀଙ୍କୁ ଏକ ଲୁହା ଶାବଳରେ ଆକ୍ରମଣ କରି ୪ ଜଣ ଦୁର୍ବୃତ୍ତ ୫ ଲକ୍ଷ ଟଙ୍କା ସହ ଏକ ବୁଲେଟ୍‌ ମୋଟର ସାଇକଲ ଲୁଟି ନେଇଛନ୍ତି। ବ୍ୟବସାୟୀଜଣକ ସେହି ଗାଁର ପ୍ରଦୀପ ରଂଜନ ଦାସ(୩୪)। ଆକ୍ରମଣରେ ତାଙ୍କର ୨ ହାତ ଭାଙ୍ଗିଯିବା ସହ ମୁହଁରେ ଗଭୀର ଆଘାତ ଲାଗିଛି। ତାଙ୍କୁ ପରିବାର ଲୋକେ ଜଳେଶ୍ୱର ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରୁ ସଂକଟାପନ୍ନ ଅବସ୍ଥାରେ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଆଜି ଏ ନେଇ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ ହେବାପରେ ପୁଲିସ ଛାନ୍‌ଭିନ୍‌ ଚଳାଇଛି।

ସୂଚନା ଅନୁଯାୟୀ, ଜଳେଶ୍ୱର-ଚନ୍ଦନନେଶ୍ୱର ରାସ୍ତାର ନହରା ଛକରେ ପ୍ରଦୀପଙ୍କର ଏକ ଔଷଧ ଦୋକାନ ରହିଛି। ଗତକାଲି ଦୋକାନରେ ଖାତାପୂଜା ଥିଲା। ପ୍ରଦୀପ ରାତିରେ ଦୋକାନ ବନ୍ଦକରି ବୁଲେଟ୍‌ରେ ଘରକୁ ଫେରିବା ବେଳେ ଘରଠାରୁ ମାତ୍ର ୪ ଶହ ମିଟର ଦୂରରେ ଥିବା ଆକାଶୀ ଜଙ୍ଗଲ ନିକଟରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ୪ ଜଣ ଦୁର୍ବୃତ୍ତ ତାଙ୍କୁ ଏକ ଶାବଳରେ ଅତର୍କିତ ଆକ୍ରମଣ କରିଥିଲେ। ପ୍ରଦୀପ ତଳେ ପଡ଼ିଯିବାରୁ ତାଙ୍କଠାରୁ ଟଙ୍କା ଲୁଟ୍‌ କରିବାକୁ ଉଦ୍ୟମ କରିଥିଲେ। ସେ ଏହାର ବିରୋଧ କରିବାରୁ ତାଙ୍କୁ ଶାବଳରେ ପିଟି ଲହୁଲୁହାଣ କରି ପକାଇଥିଲେ। ଏଥିରେ ତାଙ୍କର ୨ ହାତ ଭାଙ୍ଗିଯିବା ସହ ମୁହଁରେ ଗଭୀର ଆଘାତ ଲାଗିଥିଲା। ଦୁର୍ବୃତ୍ତମାନେ ତାଙ୍କଠାରୁ ନଗଦ ୫ ଲକ୍ଷ ୪୦ ହଜାର ଟଙ୍କା ଓ ବୁଲେଟ୍‌ ଗାଡ଼ିକୁ ଲୁଟି ନେଇଥିଲେ। ବହୁ ବିଳମ୍ବରେ ପ୍ରଦୀପ ଘରେ ପହଞ୍ଚିବା ପରେ ପରିବାର ଲୋକେ ତାଙ୍କୁ ଜଳେଶ୍ୱର ଡାକ୍ତରଖାନାକୁ ନେଇଥିିଲେ। ସେଠାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।

ଦୁର୍ବୃତ୍ତମାନେ ୨ଟି ପଲ୍‌ସର ଗାଡ଼ିରେ ଆସିଥିବା ଜଣାପଡ଼ିଛି। ଘଟଣାସ୍ଥଳରୁ ପୁଲିସ ଏକ ଚାଉଳ ଭର୍ତ୍ତି ବ୍ୟାଗ୍‌ ଓ ଶାବଳ ଉଦ୍ଧାର କରିଛି। ଆଜି ଏ ନେଇ ପ୍ରଦୀପଙ୍କ ସମ୍ପର୍କୀୟ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। କମର୍ଦ୍ଦା ଥାନାଧିକାରୀ ପିକେ ମୁର୍ମୁ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ କରିବା ସହ ନହରା ଛକସ୍ଥିତ ସମ୍ପୃକ୍ତ ଦୋକାନର ସିସିଟିଭି ଫୁଟେଜ୍‌ ଯାଞ୍ଚ୍‌ କରିଛନ୍ତି। ଫୁଟେଜ୍‌ ଆଧାରରେ ଦୋକାନକୁ ଯାଇଥିବା କିଛି ଗ୍ରାହକଙ୍କୁ ଥାନାକୁ ଆଣି ଜେରା କରାଯାଇଛି। ଏହି ଲୁଟ୍‌ ଘଟଣା ପଛର ମାଷ୍ଟରମାଇଣ୍ଡ କିଏ ଓ ଏଥିରେ ପଶ୍ଚିମବଙ୍ଗ ଲୁଟେରାଙ୍କ ସମ୍ପର୍କ ଅଛିକି ନାହିଁ ଏନେଇ ପୁଲିସ ତଦନ୍ତ କରୁଛି। ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳର କେହି ସମ୍ପୃକ୍ତ ଥାଇପାରନ୍ତି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ଦୁର୍ବୃତ୍ତମାନେ ବ୍ୟବହାର କରିଥିବା ପଲ୍‌ସର ଗାଡ଼ିର ନମ୍ବର ଜାଣିବା ପାଇଁ ଓଡ଼ିଶା-ପଶ୍ଚିମବଙ୍ଗ ସୀମାନ୍ତର ବିଭିନ୍ନ ପଲ୍‌ସର ଗାଡ଼ି ସମ୍ପର୍କରେ ପୁଲିସ ସୂଚନା ସଂଗ୍ରହ କରୁଛି।

ସମ୍ବନ୍ଧିତ ଖବର