କୋଟିଏ ଟଙ୍କାର ପୁରାତନ ମୂର୍ତ୍ତି ଚୋରି

ଅଯୋଧ୍ୟା ମା’ ମାରୀଚି ମନ୍ଦିରରେ ଅଘଟଣ

ନୀଳଗିରି : ନୀଳଗିରି ବ୍ଲକର ଅଯୋଧ୍ୟା ଠାରେଥିବା ବହୁ ପୁରାତନ ମା’ ମାରୀଚି ମନ୍ଦିରରୁ ଏକ ମୂଲ୍ୟବାନ ମୂର୍ତ୍ତି ଗତକାଲି ରାତିରେ ଚୋରି ହୋଇ ଯାଇଛି। ଷୋଡ଼ଶ ଶତାବ୍ଦୀର ଏହି ମୂର୍ତ୍ତିର ଆନୁମାନିକ ମୂଲ୍ୟ ୧ କୋଟିରୁ ଊର୍ଦ୍ଧ୍ୱ ହେବ ବୋଲି କୁହାଯାଉଛି। ଖବର ପାଇ ପୁଲିସ ତଦନ୍ତ ଆରମ୍ଭ କରିଥିଲେ ବି କିଛି ସୁରାକ ମିଳିନି। ଏସ୍‌ଡିପିଓ ସୁଦାମ ଚରଣ ସାହୁ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ମନ୍ଦିରର ମୁଖ୍ୟ ଫାଟକର ତାଲା ଭାଙ୍ଗି ମନ୍ଦିରରେ ପଶିଥିଲେ। ପରେ ମୁଖଶାଳାର ଗ୍ରୀଲ୍‌ ତାଲା ଭାଙ୍ଗି ମନ୍ଦିରରେ ଥିବା ପୁରାତନ ମୂର୍ତ୍ତିକୁ ଚୋରି କରି ନେଇଥିଲେ। ଆଜି ସକାଳେ ପୂଜକ ସର୍ବେଶ୍ୱର ପଣ୍ଡା ମନ୍ଦିରକୁ ପୂଜା କରିବାକୁ ଆସି ମନ୍ଦିରର ତାଲା ଭଙ୍ଗା ଯାଇଥିବା ଦେଖିଥିଲେ। ସୂଚନା ପାଇ ଅଯୋଧ୍ୟା ଫାଣ୍ଡି ଅଧିକାରୀ ବିଶ୍ୱନାଥ ପଣ୍ଡା ମନ୍ଦିରକୁ ଯାଇ ତଦନ୍ତ କରିଥିଲେ। ତଦନ୍ତ ବେଳେ ମନ୍ଦିର ବାହାରେ ରୁପାର ଏକ ମୁକୁଟ ପଡ଼ିଥିବା ଦେଖାଯାଇଥିଲା। ଗତକାଲି ଅଯୋଧ୍ୟାରେ ଏସ୍‌ପି ନୀତିଶେଖର ନୂଆ ଫାଣ୍ଡି ଉଦ୍‌ଘାଟନ କରିଥିଲେ। ସେହି ରାତିରେ ମୂର୍ତ୍ତି ଚୋରି ହେବା ଘଟଣା ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଘଟଣାର ସିବିଆଇ ତଦନ୍ତ ପାଇଁ ନୀଳଗିରି ରାଜାସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଦାବି କରିଛନ୍ତି।

ସୂଚନାଯୋଗ୍ୟ ଯେ, ଅଯୋଧ୍ୟା ଫାଣ୍ଡିଠାରୁ ଅନତିଦୂରରେ ୧୫୪୦ ମସିହାରେ ରାଜା ବିରାଟ ଭୁଜଙ୍ଗ ମାନ୍ଧାତା ମା’ ମାରୀଚି ମନ୍ଦିରରେ ‘ବରାହୀ’ ମୂର୍ତ୍ତି ସ୍ଥାପନ କରିଥିଲେ। ଏହି ମୂର୍ତ୍ତିଟି କଳାମୁଗୁନି ପଥରରେ ନିର୍ମାଣ ହୋଇଥିବା ବେଳେ ଉଚ୍ଚତା ୨.୫ ଫୁଟ୍‌। ଏହାର ଆନୁମାନିକ ମୂଲ୍ୟ ୧କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ମନ୍ଦିରର ପୂଜକ ଓ ନୀଳଗିରି ରାଜାସାହେବ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର