ଚାନ୍ଦିପୁର : ବୁଧବାର ବାଲେଶ୍ୱର ଚାନ୍ଦିପୁରସ୍ଥିତ କ୍ଷେପଣାସ୍ତ୍ର ଘାଟି (ଆଇଟିଆର୍)ରୁ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର ପୃଥ୍ବୀ-୨ର ସଫଳ ପରୀକ୍ଷଣ କରାଯାଇଛି। ଆଇଟିଆର୍ ୩ ନମ୍ବର ଲଞ୍ଚ ପ୍ୟାଡ୍ରୁ ଆଜି ରାତି ୭ଟା ୬ ମିନିଟ୍ରେ ଏହାକୁ ଉତ୍କ୍ଷେପଣ କରାଯାଇଥିବା ବେଳେ ନିର୍ଦ୍ଧାରିତ ଟାର୍ଗେଟ୍କୁ ଏହା ଲକ୍ଷ୍ୟଭେଦ କରିଥିବା ଜଣାପଡ଼ିଛି।
ବିଗତ ଦିନମାନଙ୍କ ଭଳି ପୃଥ୍ବୀ-୨ର ରାତ୍ରିକାଳୀନ ପରୀକ୍ଷଣ ଏକ ଚଳମାନ ଯାନରୁ କରାଯାଇଥିଲା। ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ତଥା ଭୂପୃଷ୍ଠରୁ ଭୂପୃଷ୍ଠକୁ ନିକ୍ଷେପ ହୋଇ ପାରୁଥିବା ପୃଥ୍ବୀ-୨ କ୍ଷେପଣାସ୍ତ୍ର ୩୫୦ କିଲୋମିଟର ଦୂରରେ ଅବସ୍ଥିତ ଶତ୍ରୁପକ୍ଷର ଅଶେଷ କ୍ଷତି କରିପାରିବାର କ୍ଷମତା ରଖିଛି। ୫୦୦ରୁ ୧୦୦୦ କିଲୋଗ୍ରାମ୍ ଓଜନର ଉଭୟ ଆଣବିକ ଓ ପାରମ୍ପରିକ ଯୁଦ୍ଧାସ୍ତ୍ର ବହନ କରିପାରିବାର ସାମର୍ଥ୍ୟ ରଖିଛି ପୃଥ୍ବୀ-୨ କ୍ଷେପଣାସ୍ତ୍ର।