ଜଳେଶ୍ଵର: ବାଲେଶ୍ବର ଜିଲ୍ଲା ଚନ୍ଦନେଶ୍ଵର ୫୭ ନମ୍ବର ରାଜ୍ୟ ରାଜପଥର ଆମ୍ବଳିଅଠା ନିକଟରେ ବିଳମ୍ବିତ ରାତିରେ ବଜରଙ୍ଗ ଦଳର ଶତାଧିକ କର୍ମୀ ୫ଟି ଗୋ ବୋଝେଇ ପିକପ୍ ଭ୍ୟାନ୍ କୁ ଅଟକ ରଖିଥିବା ଜଣାପଡ଼ିଛି। ତେବେ ଖବର ପାଇ ଘଟଣାସ୍ଥଳରେ ଜଳେଶ୍ଵର ପୁଲିସ ପହଞ୍ଚିବା ବେଳକୁ ସ୍ଥାନୀୟ ଲୋକେ ୬୦ରୁ ଉର୍ଦ୍ଧ୍ବ ଗୋରୁଗାଈଙ୍କୁ ନେଇଯାଇଛନ୍ତି।
ବିବରଣୀରୁ ପ୍ରକାଶ ଯେ ରାତି ପ୍ରାୟ ଦୁଇଟା ପରେ ପଶ୍ଚିମବଙ୍ଗକୁ ଗୋଚାଲାଣ ହେଉଥିବାର ସୂଚନା ପାଇ ଜଳେଶ୍ଵର- ଚନ୍ଦନେଶ୍ଵର ରାସ୍ତାର ଆମ୍ବଳିଅଠା ନିକଟରେ ଜଳେଶ୍ଵର,ବାଲିଆପାଳ ଓ ବସ୍ତା ଅଞ୍ଚଳର ବଜରଙ୍ଗ ଦଳର କର୍ମୀ ଶତାଧିକ ସଂଖ୍ୟାରେ ସମବେତ ହୋଇଥିଲେ। ଏହାପରେ ୫ଟି ପିକପ ଆଗପଛ ହୋଇ ଆସୁଥିବା ବେଳେ ସେଗୁଡ଼ିକୁ ଅଟକାଇ ଟାୟାର ଗୁଡ଼ିକୁ ଚିରି ଦେଇଥିଲେ। ପିକପ୍ ର ଚାଳକ ଓ ହେଲପରକୁ ତଳକୁ ଓହ୍ଲାଇବାକୁ କହି ପିକପ୍ ର ଡାଲା ଖୋଲିଦେବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ମାତ୍ର କିଛି ମିନିଟ୍ ମଧ୍ୟରେ ବଜରଙ୍ଗ ଦଳର ଶତାଧିକ କର୍ମୀ ଏହି କାଣ୍ଡ ଭିଆଇ ସେଠାରୁ ଖସି ପଳାଇଥିଲେ। ଟାୟାର ଚକ ଫାଟି ଯିବାରୁ ଗାଡ଼ି ଗୁଡ଼ିକ ଆଗକୁ ଗଡ଼ି ନପାରି ସେଠାରେ ଅଟକି ରହିଥିଲା।

Advertisment

publive-image

ଖବରପାଇ ଜଳେଶ୍ଵର ପୁଲିସ ଘଟଣାସ୍ଥଳରେ ପହଞ୍ଚି ଥିଲା। ତେବେ ପିକପ୍ ରେ ଥିବା ଗୋରୁଗାଈ ଗୁଡିକୁ ଅତି ନିର୍ଦ୍ଦୟ ଭାବେ ବନ୍ଧା ଥିବା ଅବସ୍ଥାରେ ନିଆ ଯାଉଥିବାରୁ ସେଗୁଡିକ ଯନ୍ତ୍ରଣାରେ ଛଟପଟ ହେଉଥିଲେ। ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ୬୦ରୁ ଉର୍ଦ୍ଧ୍ବ ଗୋରୁଗାଈକୁ ଉଦ୍ଧାର କରିବା ସହ ଭିଡି ନେଇଯାଇଥିଲେ। ଏହି ସମୟରେ ପୁଲିସ ସେଠାରେ ଉପସ୍ଥିତ ଥିଲେ ମଧ୍ୟ ନିରବଦ୍ରଷ୍ଟା ସାଜିଥିଲା। ତେବେ ପାଞ୍ଚଟି ପିକପ ମଧ୍ୟରୁ ଗୋଟିଏ ପିକପ୍ ଦୁର୍ଘଟଣାଗ୍ରସ୍ତ ହୋଇ ନୟନଜୋରୀ ଭିତରେ ଫସି ରହିଥିବା ବେଳେ ସେଥିରୁ ୧୨ଟି ଗୋରୁଙ୍କୁ ଉଦ୍ଧାର କରାଯାଇ ଗୋଶାଳା ପଠାଇଥିବା ଜଣାଯାଇଛି। ସେହିପରି ଏହିସବୁ ପିକପ୍ ରୁ ୫ଟି ମୃତ ଗୋରୁର ଉଦ୍ଧାର କରାଯାଇଛି। ପୁଲିସ ପିକପ୍ ଗୁଡ଼ିକୁ ଜବତ କରିଛି।