ନୀଳଗିରି: ‘ମୁଁ ସରପଞ୍ଚ ହୋଇଥିଲେ ପିଇଓଙ୍କୁ କାନ ଧରି ଉଠବସ୍‌ କରାଇଥା’ନ୍ତି। ଅସହାୟ ହିତାଧିକାରୀଙ୍କ ପାଖରେ ପହଞ୍ଚି ଭତ୍ତା ଦେବାକୁ ସରକାର ନିୟମ କରିଥିଲେ ମଧ୍ୟ ବ୍ଲକ୍‌ର ସରକାରୀ କର୍ମଚାରୀ ଓ ଅଧିକାରୀମାନେ ନିଜକୁ ରାଜକୁମାର ବୋଲି ଭାବୁଛନ୍ତି।’ ଏଭଳି କିଛି କହି ପଞ୍ଚାୟତ ପିଇଓଙ୍କୁ ତାଗିଦ୍‌ କରିବା ସହ ଆଜି ଅସହାୟ ବୃଦ୍ଧାଙ୍କ ଭତ୍ତା ବ୍ୟବସ୍ଥା କରାଇଛନ୍ତି ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ।
ଘଟଣା ମୁତାବକ; ୨୦୨୩ ମସିହା ଅକ୍ଟୋବର ମାସ ୨୧ ତାରିଖ ଦିନ ସାଂସଦ ଶ୍ରୀ ଷଡ଼ଙ୍ଗୀ ଧୋବଶିଳା ପଞ୍ଚାୟତ ଧୋବଶିଳା ଗ୍ରାମକୁ ଯାଇଥିଲେ। ସେଠାରେ ଅସହାୟ ତୁଳସୀ ସିଂ (୭୬) ବହୁ ଦୁଃଖକଷ୍ଟରେ ରହୁଥିବା ବେଳେ ଭତ୍ତା ଓ ରାସନ୍‌ ସହ ଅନ୍ୟ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଜାଣିବାକୁ ପାଇଥିଲେ। ଫଳରେ ବୃଦ୍ଧାଙ୍କୁ ନିଜ ଗାଡ଼ିରେ ବସାଇ ଶ୍ରୀ ଷଡ଼ଙ୍ଗୀ ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇଥିଲେ। ସେଠାରେ ସେ ବିଡିଓ ରାହୁଲ ମଣ୍ଡଳଙ୍କ ସହ ଆଲୋଚନା କରିବା ସହ ଭତ୍ତା ବାବଦ ଆବଶ୍ୟକ କାଗଜପତ୍ର ଦାଖଲ କରିଥିଲେ। ପର ମାସଠାରୁ ତୁଳସୀଙ୍କୁ ଭତ୍ତା ମିଳିବ ବୋଲି ବିଡିଓ ଶ୍ରୀ ମଣ୍ଡଳ ପ୍ରତିଶ୍ରୁତି ଦେଇଥିଲେ। ହେଲେ ୪ ମାସ ବିତିଯାଇଥିଲେ ବି ତୁଳସୀଙ୍କୁ ଭତ୍ତା ମିଳି ନଥିଲା। ଏନେଇ ସାଂସଦ ଶ୍ରୀ ଷଡ଼ଙ୍ଗୀ ଆଜି ଜାଣିବାକୁ ପାଇଥିଲେ। ଫଳରେ ସେ ସଂଗେ ସଂଗେ ଧୋବଶିଳାସ୍ଥିତ ତୁଳସୀଙ୍କ ଘରକୁ ଯାଇଥିଲେ। ଫୋନ୍‌ କରି ପଞ୍ଚାୟତର ପିଇଓ ଭଗବାନ ପାତ୍ର ଏବଂ ସ‌ାମାଜିକ ସୁରକ୍ଷା ଅଧିକାରୀ ମୁକୁଲ ସେଠୀଙ୍କୁ ଡାକିଥିଲେ। ଶ୍ରୀ ପାତ୍ର ଓ ଶ୍ରୀ ସେଠୀ ସେଠାରେ ପହଞ୍ଚିଥିଲେ। ସାଂସଦ ଶ୍ରୀ ଷଡ଼ଙ୍ଗୀ ଭତ୍ତା କାହିଁକି ଦିଆଯାଇନି ବୋଲି ପିଇଓ ଶ୍ରୀ ପାତ୍ରଙ୍କୁ ତାଗିଦ୍‌ କରିଥିଲେ। ଫଳରେ ପିଇଓ ଶ୍ରୀ ପାତ୍ର ସଂଗେ ସଂଗେ ୩ ମାସର ବକେୟା ଭତ୍ତା ୧୫୦୦ ଟଙ୍କା ତୁଳସୀଙ୍କୁ ପ୍ରଦାନ କରିଥିଲେ ଏବଂ ଆସନ୍ତା ମାସରୁ ତାଙ୍କୁ କେମିତି ନିୟମିତ ଭତ୍ତା ମିଳିବ, ସେନେଇ ବ୍ୟବସ୍ଥା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏ ସମ୍ପର୍କରେ ପିଇଓ ଶ୍ରୀ ପାତ୍ରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ କହିଛନ୍ତି, ବାରମ୍ବାର ପିଇଓମାନଙ୍କ ବଦଳି ହେଉଛି। ଫଳରେ ତୁଳସୀଙ୍କୁ ଭତ୍ତା ଦିଆଯିବାରେ ସମସ୍ୟା ହୋଇଥିଲା। ଅନ୍ୟପଟେ ସାଂସଦ ଶ୍ରୀ ଷଡ଼ଙ୍ଗୀ ପିଇଓଙ୍କ ପ୍ରତି ଦେଇଥିବା ମନ୍ତବ୍ୟକୁ କିଛି ବୁଦ୍ଧିଜୀବୀ ନାପସନ୍ଦ କରିଛନ୍ତି।