ଜଳେଶ୍ବର,: ଜଳେଶ୍ବର-ଅଗ୍ରଓ୍ବାଲା ରାସ୍ତାର ଶିରିଡ଼ି ସାଇ ମନ୍ଦିର ସନ୍ନିକଟ ଧୂବଲା ଖାଇ ନିକଟରେ ଆଜି ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଭାରସାମ୍ୟ ହରାଇ ଏକ ଟ୍ରାକ୍ଟର ନୟନଜୋରୀକୁ ଓଲଟି ପଡ଼ିବାରୁ ଟ୍ରାକ୍ଟର ଚାଳକଙ୍କ ସମେତ ଦୁଇ ଜଣକର ମୃତ୍ୟୁ ଘଟିଛି। ତେବେ ଏହି ଦୁର୍ଘଟଣାରେ ଦୁଇ ଭାଇ ଅଳ୍ପକେ ବର୍ତ୍ତିଯାଇଛନ୍ତି।
ସ୍ଥାନୀୟ ନଛିମପୁର ଗାଁର ନରେନ୍ଦ୍ର ପ୍ରଧାନଙ୍କ ପୁଅ ଚିତ୍ତରଞ୍ଜନ(୪୭) ନିଜ ଟ୍ରାକ୍ଟର ଚଳାଇ ପାଖ ଏକ ଇଟାଭାଟିକୁ ଇଟା ଆଣିବା ପାଇଁ ବାହାରିଥିଲେ। ତାଙ୍କ ସହ ପାଖ ସାହାଡ଼ାପଡ଼ା ଗ୍ରାମର ତ୍ରଲୋକ୍ୟ ସେଣଙ୍କ ପୁଅ ସୁଶୀଲ(୪୦) ଏବଂ ସୁଶୀଲଙ୍କ ଦୁଇ ପୁଅ ବଳିଆ ଓ କାଳିଆ ମଧ୍ୟ ସେହି ଟ୍ରାକ୍ଟରରେ ଯାଉଥିଲେ। ତେବେ ଶିରିଡ଼ି ସାଇ ମନ୍ଦିର ସନ୍ନିକଟରେ ଜଳେଶ୍ବର ପଟୁ ଆସୁଥିବା ଏକ ଗାଡ଼ିକୁ ସାଇଡ ଦେବାକୁ ଯାଇ ନିରଞ୍ଜନ ଟ୍ରାକ୍ଟରକୁ ରାସ୍ତା କଡ଼କୁ ନେଇ ଯାଇଥିଲେ। ଏହି ସମୟରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ରାସ୍ତାର ଡାହାଣ ପାର୍ଶ୍ବରେ ଥିବା ଖାଇ ଭିତରକୁ ଓଲଟି ପଡ଼ିଥିଲା। ଫଳରେ ଚିତ୍ତରଞ୍ଜନ ଓ ସୁଶୀଲ ଖାଇ ଭିତରକୁ ଓଲଟିଯାଇ ପାଣି ଓ ଦଳ ଭିତରେ ଟ୍ରାକ୍ଟର ଇଞ୍ଜିନ ତଳେ ଫସି ଯାଇଥିଲେ। ତେବେ ଟ୍ରାକ୍ଟରର ଡାଲାରେ ଛିଡ଼ାହୋଇ ଯାଉଥିବା ବଳିଆ ଓ କାଳିଆ ଟ୍ରାକ୍ଟରଟି ଓଲଟିବା ପୂର୍ବରୁ ତଳକୁ ଡିଆଁ ମାରି ଜୀବନ ବଞ୍ଚାଇଥିଲେ। ବଳିଆ ଓ କାଳିଆଙ୍କ ପାଟି ଶୁଣି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଜେସିବି ସାହାଯ୍ୟରେ ଟ୍ରାକ୍ଟରକୁ ଉପରକୁ ଉଠାଇଥିଲା। ମାତ୍ର ସେତେବେଳେକୁ ଚିତ୍ତରଞ୍ଜନ ଓ ସୁଶୀଲଙ୍କର ମୃତ୍ୟୁ ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି। ଉଭୟଙ୍କୁ ଜଳେଶ୍ବରସ୍ଥିତ ଜିକେ ଭଟ୍ଟର ହସପିଟାଲ ଅଣାଯାଇଥିବା ବେଳେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପ୍ରଚାରିତ ହେବା ପରେ ହସ୍ପିଟାଲ ଲୋକାରଣ୍ୟ ହେବା ସହ ଆତ୍ମୀୟସ୍ବଜନଙ୍କ କାନ୍ଦବୋବାଳିରେ ପରିବେଶ ଫାଟି ପଡ଼ିଥିଲା। ଜଳେଶ୍ବର ବ୍ଲକ ଉପାଧ୍ୟକ୍ଷ ବ୍ରଜମୋହନ ପ୍ରଧାନ, ବାମପନ୍ଥୀ ନେତା ସୁଦାମ ପାତ୍ର ପ୍ରମୁଖ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।
ନୟନଜୋରୀକୁ ଓଲଟିଲା ଟ୍ରାକ୍ଟର: ଟ୍ରାକ୍ଟର ତଳେ ଚାପିହୋଇ ଚାଳକଙ୍କ ସହ ୨ ମୃତ
ଅଳ୍ପକେ ବଞ୍ଚିଗଲେ ଦୁଇ ଭାଇ
/sambad/media/post_attachments/wp-content/uploads/2019/01/BLS.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)