ବାଲେଶ୍ବର/ଚାନ୍ଦିପୁର: ବାଲେଶ୍ବର ଚାନ୍ଦିପୁର ହିଡ଼ିଗାଁ ପଞ୍ଚାୟତରେ ହିଡ଼ିଗାଁ ଗ୍ରାମର ରାସ୍ତା ପାଇଁ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ହିଡ଼ିଗାଁରୁ ଝୁମ୍ପୁରା ହାଟକୁ ୨ କିମି ରାସ୍ତା ସଂଯୋଗ ହୋଇଥିବା ବେଳେ ବର୍ଷସାରା ଲୋକେ ଏହି ରାସ୍ତା ପାଇଁ ହଇରାଣ ହୋଇଥାନ୍ତି। ବିଶେଷକରି ବର୍ଷା ଦିନରେ ରାସ୍ତାରେ ପାଣିରେ ବୁଡ଼ିଯାଏ। ଏହି ପାଣିରେ ଲୋକେ ଯାତାୟାତ କରିଥାନ୍ତି। ହିଡ଼ିଗାଁ ସ୍କୁଲକୁ ଯାତାୟାତ କରିବା ପାଇଁ ଛାତ୍ରଛାତ୍ରୀ ଏହି ପାଣି ଭିତରେ ପଶି ଯାଇଥାନ୍ତି। ଅଣଓସାରିଆ ରାସ୍ତାରେ ଚାରିଚକିଆ ଗାଡ଼ି ଯିବା ସ୍ବପ୍ନ ହୋଇଥିବା ବେଳେ ଲୋକେ ସାଇକେଲରେ ଯିବା ବି ସମ୍ଭବପର ନୁହେଁ। ବାରମ୍ବାର ରାସ୍ତା ମରାମତି ନେଇ ଅଞ୍ଚଳବାସୀ ରାଜନେତା ଓ ପ୍ରଶାସନ ପାଖରେ ଶୁଣାଇଥିଲେ ବି ଆଜିଯାଏଁ ରାସ୍ତାରେ ମାଟି ମୁଠେ ପଡ଼ିପାରିଲା ନାହିଁ। ଏବେ ରାସ୍ତା ଧୀରେ ଧୀରେ ସଂକୋଚିତ ହୋଇ ବିପର୍ଯ୍ୟସ୍ତ ପାଲଟିଛି।

Advertisment

ହିଡ଼ିଗାଁର ଏହି ରାସ୍ତା ଉପରେ ୧ ହଜାରରୁ ଅଧିକ ଲୋକେ ନିର୍ଭର କରିଥାନ୍ତି। ଏହି ରାସ୍ତାରେ ପାଣି ବୁଡ଼ି ରହିବାରୁ ଅଞ୍ଚଳବାସୀ ବାଉଁଶରେ ଏକପ୍ରକାର ପୋଲ ନିର୍ମାଣ କରିଛନ୍ତି। ରାସ୍ତାରେ କାହିଁ କେତେ ବର୍ଷ ତଳେ ନାଲି ଗୁଡ଼ି ପଡ଼ିଥିଲା। ଏବେ ଗୁଡ଼ି ସବୁ କୁଆଡ଼େ ଗଲାଣି। ରାସ୍ତାର ଅଧିକାଂଶ ସ୍ଥାନରେ କାଦୁଅ ହୋଇଛି। ଗାଁକୁ କେବେ ଜରୁରୀକାଳୀନ ଗାଡ଼ି ଯାଇପାରେ ନାହିଁ। ଆମ୍ଭୁଲାନ୍ସ ଆସି ଛକରେ ଅଟକି ରହିଥାଏ। ଗାଁ ଲୋକେ ରୋଗୀଙ୍କୁ ଖଟିଆ, ବାଇକ୍‌ରେ ନେଇ ଯାଇଥାନ୍ତି। ସେହିପରି ରାସ୍ତା ପାର୍ଶ୍ବରେ ଥିବା କେନାଲ ବା ବଡ଼ ନାଳ ବି ପୁନଃରୁଦ୍ଧାର ନହେବାରୁ ପୋତି ଗଲାଣି। ଏହି ନାଳ ବୁଢ଼ାବଳଙ୍ଗ ନଦୀକୁ ସଂଯୋଗ ହୋଇଥିବା ବେଳେ ପୂର୍ବରୁ ପଞ୍ଚାୟତର ସବୁ ପାଣି ଏଥିରେ ନିଷ୍କାସିତ ହେଉଥିଲା। ହେଲେ ଦୀର୍ଘ ବର୍ଷ ହେଲା ନାଳ ସଫା ନହେବାରୁ ଏହା ପୋତି ରାସ୍ତା ସହିତ ସମାନ ହେବାକୁ ବସିଲାଣି। ଏନେଇ ଅଞ୍ଚଳବାସୀ ସ୍ଥାନୀୟ ଲୋକ ପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିବା ବେଳେ ଆଜିଯାଏ ‌କଂକ୍ରିଟ୍‌ ରାସ୍ତାଟିଏ ହୋଇପାରିଲା ନାହିଁ।

ପଞ୍ଚାୟତର ବିକାଶ ପାଇଁ ସରକାର ‌କୋଟି କୋଟି ଟଙ୍କା ପ୍ରଦାନ କରୁଥିବା ବେଳେ ହିଡ଼ିଗାଁ ଅଞ୍ଚଳବାସୀଙ୍କ ପାଇଁ ବିକାଶ ସ୍ବପ୍ନ ପାଲଟିଛି। ଏନେଇ ସ୍ଥାନୀୟ ସରପଞ୍ଚ ପିତାମ୍ବର ବେହେରାଙ୍କୁ ଯୋଗାଯୋଗ କରାଯାଇଥିଲେ ବି ତାଙ୍କ ସହିତ ଯୋଗାଯୋଗ ହୋଇପାରିନଥିଲା। ତେବେ ସମିତି ସଭ୍ୟ ରବୀନ୍ଦ୍ର ସିଟ୍‌ଙ୍କୁ ପଚାରିବାରୁ ସେ କହିଛନ୍ତି, ହିଡ଼ିଗାଁରୁ ଝୁମ୍ପୁରା ହାଟ ମଧ୍ୟରେ ପ୍ରାୟ ୬୦ ପ୍ରତିଶତ କାମ ପୂର୍ବରୁ କରାଯାଇଥିଲା। ଗତବର୍ଷ ବାକି ଥିବା ରାସ୍ତା କାମ ପାଇଁ ଟଙ୍କା ମଞ୍ଜୁର ହୋଇଥିଲା। ହେଲେ ରାସ୍ତା ଠିକ୍‌ରେ ନହୋଇ କାମଚଳା ଭାବେ କାମ କରିଦିଆଗଲା। ଯାହାଫଳରେ ରାସ୍ତାରେ ଏବେ ବଡ଼ ବଡ଼ ଘାଇ ସବୁ ସୃଷ୍ଟି ହୋଇଛି। ଲୋକେ ଯାତାୟତ ପାଇଁ ବାଉଁଶ ବାନ୍ଧିଛନ୍ତି।