ପ୍ରଥମ ପ୍ରୟାସରେ ଓଜେଏସ୍‌ ଦ୍ୱିତୀୟ ଟପ୍ପର ହେଲେ ବାଲେଶ୍ଵରର ନୀଲିଶା

ବାଲେଶ୍ଵର: ଓଡ଼ିଶା ବିଚାର ବିଭାଗୀୟ ସେବା (ଓଜେଏସ୍‌) ପରୀକ୍ଷାଫଳ ପ୍ରକାଶ ପାଇଛି। ଓଡ଼ିଶା ଲୋକସେବା ଆୟୋଗ (ଓପିଏସ୍‌ସି) ଦ୍ବାରା ପରିଚାଳିତ ଏହି ପରୀକ୍ଷାରେ ୫୫ ଜଣ ପ୍ରାର୍ଥୀ ସିଭିଲ ଜଜ୍ ପଦବିରେ ନିଯୁକ୍ତି ପାଇଁ ମନୋନୀତ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୯ ଜଣ ମହିଳା ଅଛନ୍ତି। କୃତକାର୍ଯ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ପ୍ରଥମ ୮ଟି ସ୍ଥାନ ମହିଳାମାନେ ଦଖଲ କରି ନେଇଛନ୍ତି। ସୁଶ୍ରିତା ମିଶ୍ର ପରୀକ୍ଷାରେ ଟପର୍ ହୋଇଥିବା ବେଳେ ନୀଲିଶା ପଟ୍ଟନାୟକ ଦ୍ବିତୀୟ ସ୍ଥାନରେ ଏବଂ ଅନନ୍ୟା ମିଶ୍ର ତୃତୀୟ ସ୍ଥାନରେ ରହିଛନ୍ତି।

ଦ୍ୱିତୀୟ ଟପ୍ପର ହୋଇଥିବା ବାଲେଶ୍ଵରର ନୀଲିଶା ପଟ୍ଟନାୟକଙ୍କର ଏହା ଥିଲା ତାଙ୍କର ପ୍ରଥମ ପ୍ରୟାସ। ଝିଅ ଜଜ ହେବ ସେଥିପାଇଁ ବାପା କୃତିବାସ ପଟ୍ଟନାୟକ ଓ ମା ରାଜଶ୍ରୀ ପଟ୍ଟନାୟକ ବେଶ୍ ଖୁସି ଥିବା କହିଛନ୍ତି। ମା ଜଣେ ଶିକ୍ଷୟତ୍ରୀ ଓ ବାପା ଜଳସେଚନ ବିଭାଗରେ ଚାକିରି କରନ୍ତି। ଦଶମ ପରେ ଜୁଡିସିଆରି କ୍ଷେତ୍ରକୁ ଯିବାର ଲକ୍ଷ୍ୟ ରଖି ଅକ୍ଲାନ୍ତ ପରିଶ୍ରମ କରି ସଫଳ ହୋଇପାରିଛନ୍ତି।

ସୂଚନାଯୋଗ୍ୟ, ୨୦୨୨ ଫେବ୍ରୁଆରିରେ ମୋଟ ୫୭ଟି ଓଜେଏସ୍ ପଦ ପୂରଣ ପାଇଁ ଓପିଏସ୍‌ସି ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଡିସେମ୍ବର ୫ ତାରିଖରେ ମୁଖ୍ୟ ଲିଖିତ ପରୀକ୍ଷାଫଳ ପ୍ରକାଶ ପାଇଥିବା ବେଳେ ଡିସେମ୍ବର ୧୮ରୁ ୨୨ ତାରିଖ ପର୍ଯ୍ୟନ୍ତ ସାକ୍ଷାତକାର ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଆଜି ନିଯୁକ୍ତି ପାଇଁ ଚୂଡାନ୍ତ ଯୋଗ୍ୟ ତାଲିକା ପ୍ରକାଶ ପାଇଥିବା ବେଳେ ୫୫ ଜଣ ଯୋଗ୍ୟ ପ୍ରାର୍ଥୀଙ୍କ ମଧ୍ୟରେ ଏସ୍‌ଇବିସି ବର୍ଗର ୬ ଜଣ, ଏସ୍‌ସି ବର୍ଗର ୪ ଜଣ, ଏସ୍‌ଟି ବର୍ଗର ଜଣେ ଏବଂ ୨ ଜଣ ଦିବ୍ୟାଙ୍ଗ ବର୍ଗର ରହିଛନ୍ତି। କିନ୍ତୁ ୫୫ ଜଣଙ୍କ ମଧ୍ୟରୁ ୩୯ ଜଣ ମହିଳା ଚୂଡାନ୍ତ ଯୋଗ୍ୟ ତାଲିକାରେ ସ୍ଥାନ ପାଇବା ଏକପ୍ରକାର ରେକର୍ଡ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର