କାଠଫାଳିଆରେ ବୃଦ୍ଧାଙ୍କୁ ପିଟିପିଟି ହତ୍ୟା, ଅଭିଯୁକ୍ତ ଗିରଫ

ବାଲିଆପାଳ: ବାଲେଶ୍ବର ଜିଲ୍ଲା ବାଲିଆପାଳ ଥାନା ଅନ୍ତର୍ଗତ ଚୌମୁଖ ଗ୍ରାମର ଜଣେ ବୃଦ୍ଧାଙ୍କୁୁ ପୂର୍ବ ଶତ୍ରୁତାରୁ କାଠଫାଳିଆରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ଥାନାରେ ଏକ ମାମଲା ରୁଜ୍ଜୁ ହୋଇଛି। ପୁଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି।
ଅଭିଯୋଗ ଅନୁଯାୟୀ, ଶନିବାର ରାତିରେ ଚୌମୁଖ ଗ୍ରାମର ଝାଡ଼େଶ୍ବର ବେହେରାଙ୍କ ଘରେ ପଡ଼ୋଶୀ ରଞ୍ଜନ ବେହେରା ଏବ˚ ତାଙ୍କ ଝିଅ ଖାଉଥିଲେ। ଏହି ସମୟରେ ରଞ୍ଜନଙ୍କ ପତ୍ନୀ ସୁଶ୍ରୀବାଳା, ତାଙ୍କ ବାପା ସେହି ଗ୍ରାମର ଗୌରାଙ୍ଗ ଦାସ ଏବ˚ କକା ନୃସି˚ହ ଦାସ ସେଠାରେ ପହଞ୍ଚିଥିଲେ। ଝାଡ଼େଶ୍ବରଙ୍କ ଭାଇବୋହୂଙ୍କ ନାମରେ ନାନା କଟୁ କଥା କହି ଗାଳିଗୁଲଜ କରିଥିଲେ। ଏହି ସମୟରେ ଝାଡ଼େଶ୍ବରଙ୍କ ଭାଇବୋହୂ ତଥା ମୁକ୍ତେଶ୍ବରଙ୍କ ପତ୍ନୀ ଆରତୀ ଘରୁ ବାହାରି ସେମାନଙ୍କୁ ବିରୋଧ କରିଥିଲେ। ଏଥିରେ ଉତ୍ୟକ୍ତ ହୋଇ ସୁଶ୍ରୀବାଳା, ତାଙ୍କର ବାପା ଓ କାକା ମିଶି ଆରତୀଙ୍କୁ ମାଡ଼ ମାରିଥିଲେ। ଆରତୀ ଗୁରୁତର ଅବସ୍ଥାରେ ପାଟି କରିବାରୁ ଆରତୀଙ୍କ ଶାଶୂ ବାସନ୍ତୀ(୬୫) ସେଠା‌କୁ ଧାଇଁ ଆସିଥିଲେ। ଏହି ସମୟରେ ଅଭିଯୁକ୍ତମାନେ ଏକ କାଠ ଫାଳିଆରେ ବାସନ୍ତୀଙ୍କ ମୁଣ୍ତରେ ଜୋରରେ ଆଘାତ କରିଥିଲେ। ଆରତୀ ଏବ˚ ବାସନ୍ତୀ ଗୁରୁତର ଅବସ୍ଥାରେ ତଳେ ପଡ଼ିଥିବା ବେଳେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଝାଡ଼େଶ୍ବର ଘରେ ପହଞ୍ଚି ଉଭୟଙ୍କୁ ଗୁରୁତର ଅବସ୍ଥାରେ ବାଲିଆପାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପରେ ଆହତଙ୍କୁ ବାଲେଶ୍ବର ସ୍ଥାନାନ୍ତର କରାଯାଇଥିଲା। ବାଲେଶ୍ବରରେ ଡାକ୍ତର ବାସନ୍ତୀଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ଝାଡ଼େଶ୍ବରଙ୍କ ଅଭିଯୋଗ କ୍ରମେ ଥାନାରେ କେସ ନମ୍ବର ୩୧୫/୧୮ ମୂଳେ ଏକ ମାମଲା ରୁଜ୍ଜୁ ହୋଇଛି। ପୁଲିସ ଚୌମୁଖ ଗ୍ରାମକୁ ଯାଇ ନୃସି˚ହକୁ ଗିରଫ କରି ଥାନାକୁ ଆଣିଥିଲା ବେଳେ ଅନ୍ୟ ଦୁଇଜଣ ଫେରାର ହୋଇଯାଇଛନ୍ତି। ପୁଲିସ ଘଟଣା ପଛର କାରଣ ଅନୁଧ୍ୟାନ କରୁଥିବା ଆଇଆଇସି ପ୍ରଭୁ କଲ୍ୟାଣ ଆଚାର୍ଯ୍ୟ କହିଛନ୍ତି।

ସମ୍ବନ୍ଧିତ ଖବର