ବାଲେଶ୍ୱର : ବାଲେଶ୍ବରରୁ ଭଦ୍ରକ, ଯାଜପୁରରୋଡ, କଟକ, ଭୁବନେଶ୍ବର ହେଉ କି ପୁରୀ। ଟ୍ରେନ୍ ଗଡ଼ୁ ନ ଥିବାରୁ ଏସବୁ ସ୍ଥାନକୁ ବସ୍ କିମ୍ବା ବ୍ୟକ୍ତିଗତ ବ୍ୟବସ୍ଥାରେ ଯିବାକୁ ବାଧ୍ୟ ହେଉଛନ୍ତି ଯାତ୍ରୀ। ଏଥିପାଇଁ ସେମାନଙ୍କର ଅଧିକ ସମୟ ଅପଚୟ ହେଉଥିବା ବେଳେ ଅଯଥା ଖର୍ଚ୍ଚାନ୍ତ ହେଉଛନ୍ତି। ପୂର୍ବରୁ ଟ୍ରେନ୍ ଟିକେଟ୍ ମୂଲ୍ୟ ବସ୍ ଭଡ଼ା ତୁଳନାରେ ବହୁତ କମ୍ ରହୁଥିଲା। ବାଲେଶ୍ବରରୁ ଭଦ୍ରକକୁ ମାତ୍ର ୨୦ ଟଙ୍କା ଭଡ଼ା ପଡୁଥିବା ବେଳେ କଟକ ଓ ଭୁବନେଶ୍ବକୁ ୧୦୦ ଟଙ୍କା ଖର୍ଚ୍ଚରେ ପହଞ୍ଚି ହୁଏ। ଏହି କ୍ଷେତ୍ରରେ ବାଲେଶ୍ବରରୁ କଟକ ଓ ଭୁବନେଶ୍ବରକୁ ବସ୍ରେ ଯିବାକୁ ହେଲେ ଭଡ଼ା ୩୦୦ ଟଙ୍କା ଗଣିବାକୁ ପଡୁଛି।
ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବାଲେଶ୍ବର ଷ୍ଟେସନରୁ ସକାଳ ୭ଟାରୁ ଖଡ଼ଗପୁର-ଭଦ୍ରକ, ୯ଟା ୧୫ରେ ବାରିପଦା-ଭୁବନେଶ୍ବର, ୧୨ଟାରେ ଖଡ଼ଗପୁର-ବାଲେଶ୍ବର, ୨ଟା ୩୦ରେ ବାଲେଶ୍ବର-ଭଦ୍ରକ ପାସେଞ୍ଜର ଟ୍ରେନ ଚଳାଚଳ କରୁଥିଲା। ସଂଧ୍ୟାରେ ବି ୪ରୁ ୫ଟି ପାସେଞ୍ଜର ଟ୍ରେନ୍ ଡାଉନରେ ବାଲେଶ୍ବର ଦେଇ ଚଳାଚଳ କରୁଥିଲା। ଏହିପରି ଭାବେ ଚଳାଚଳ କରୁଥିବା ୧୩ଟି ପାସେଞ୍ଜର ଟ୍ରେନ୍ରେ ରୁପସା, ବସ୍ତା, ଜଳେଶ୍ବର, ସୋର, ନୀଳଗିରି, ମାର୍କୋଣା ଆଦି ଷ୍ଟେସନରୁ ଯାତ୍ରୀମାନେ ଉଠୁଥିଲେ। କଟକ, ଭୁବନେଶ୍ବର ଓ ଅନ୍ୟ ସ୍ଥାନରେ ସରକାରୀ ଓ ବେସରକାରୀ ଚାକିରି କରିଥିବା କର୍ମଚାରୀ ଟ୍ରେନ୍ରେ ଯାଇ ସଂଧ୍ୟାରେ ଫେରି ପାରୁଥିଲେ। ଏବେ ସେମାନଙ୍କୁ ହଇରାଣ ହେବାକୁ ପଡ଼ୁଛି। ବସ୍ରେ ଯାଇ ଘରକୁ ଗୋଟିଏ ଦିନରେ ଫେରିବା ସମ୍ଭବପର ହେଉନାହିଁ। ଏବେ ମାତ୍ର ଗୋଟିଏ ପାସେଞ୍ଜର ଟ୍ରେନ୍ ଚଳାଚଳ କରୁଛି। ତାହା ପୁଣି ଖଡ଼ଗପୁର ଭାୟା ବାଲେଶ୍ବରରୁ ଭଦ୍ରକ ପର୍ଯ୍ୟନ୍ତ। ଯାହାକୁ ନେଇ ଯାତ୍ରୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବାଲେଶ୍ବର ବସଷ୍ଟାଣ୍ଡରେ ଭୁବନେଶ୍ବର ଯିବାକୁ ଅପେକ୍ଷା କରିଥିବା ଯାତ୍ରୀ ମନମୋହନ ମଲ୍ଲିକ ଓ କବିତା ମଲ୍ଲିକ କୁହନ୍ତି ପାସେଞ୍ଜର ଟ୍ରେନ୍ ଚଳାଚଳ କରୁ ନ ଥିବାରୁ ବାଧ୍ୟ ହୋଇ ବସରେ ଯାତ୍ରା କରିବାକୁ ପଡୁଛି। ତୁରନ୍ତ ପାସେଞ୍ଜର ଟ୍ରେନ୍ ଚଳାଚଳ କରିବାକୁ ଓଡ଼ିଶାରୁ ରାଜ୍ୟସଭାକୁ ଯାଇ ରେଳମନ୍ତ୍ରୀ ହୋଇଥିବା ଅଶ୍ବିନୀ ବୈଷ୍ଣବ ଦୃଷ୍ଟି ଦେବା ଉଚିତ୍। ଆଉ ଜଣେ ବସ୍ ଯାତ୍ରୀ ମମତାମୟୀ ଖିଲାର ମଧ୍ୟ ସମାନ ଭାବେ ନିଜର ଉଦ୍ବେଗ ପ୍ରକାଶ କରିଛନ୍ତି। ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ଯୋଗୁ କେବଳ ଯାତ୍ରୀ ନୁହଁନ୍ତି, ଏହା ଉପରେ ଜୀବନଜୀବିକା ପାଇଁ ନିର୍ଭର କରୁଥିବା ଶ୍ରମିକ ଓ ବୁଲା ବିକାଳି ବି ହାଇରାଣ ହେଉଛନ୍ତି। ପାସେଞ୍ଜର ଟ୍ରେନ୍ ଚାଲୁ ନ ଥିବାରୁ ବଞ୍ଚିବା ପାଇଁ ବିକଳ୍ପ ବ୍ୟବସ୍ଥା ଆପଣାଇବାକୁ ବାଧ୍ୟ ହେଉଛନ୍ତି। କରୋନା ସଂକ୍ରମଣ କମିଥିବାରୁ ବର୍ତ୍ତମାନ ଅନ୍ତତଃ ପାସେଞ୍ଜର ଟ୍ରେନ୍ ଚଳାଚଳ ଦିଗରେ ରେଳମନ୍ତ୍ରୀ ଦୃଷ୍ଟି ଦେବାକୁ ଯାତ୍ରୀମାନେ ଦାବି କରିଛନ୍ତି।