ଏକମାତ୍ର ପୁଅ ପର କରିଦେଲା :୨୦ ବର୍ଷ ହେଲା ଗଛମୂଳେ ପଡ଼ିଛନ୍ତି ୭୦ ବର୍ଷର ବୃଦ୍ଧା

ଜଳେଶ୍ବର: ୫୦ ବର୍ଷ ତଳେ ସ୍ବାମୀ ଆରପାରିକୁ ଚାଲି ଯାଇଥିଲେ। ସେତେବେଳେ କୋଳରେ ଥିଲେ ୨ଟି କୁନି କୁନି ପୁଅଝିଅ। ଲାଳନପାଳନ କରି ସେମାନଙ୍କୁ ମଣିଷ କଲେ। ହେଲେ ଝିଅ ବାହାଘର ପରେ ଏକମାତ୍ର ପୁଅ ତାଙ୍କୁ ପର କରିଦେଲା। ସେହିଦିନଠାରୁ ଦୀର୍ଘ ୨୦ ବର୍ଷ ଧରି କେତେବେଳେ ପରପିଣ୍ଡା ତ ଆଉ କେତେବେଳେ ଗଛ ମୂଳେ ଆଶ୍ରୟ ନେଇଛନ୍ତି ୭୦ ବର୍ଷିଆ ଅସହାୟ ବୃଦ୍ଧା ପାନ।
ବାଲେଶ୍ବର ଜିଲ୍ଲା ଜଳେଶ୍ବର ବ୍ଲକ ଅଧୀନ ମହମ୍ମଦନଗର ପାଟଣା ପଞ୍ଚାୟତ ଜଳେଶ୍ବରପୁର ଗ୍ରାମର ସ୍ବର୍ଗତ ପରେଶ ମୁର୍ମୁଙ୍କ ପତ୍ନୀ ପାନ। ପାନଙ୍କ ହାତ ଧରିବାର ମାତ୍ର ବର୍ଷ କେଇଟା ମଧ୍ୟରେ ପରେଶ ଆର ପାରିକୁ ଚାଲିଯାଇଥିଲେ। ସେତେବେଳେ ପାନଙ୍କ କୋଳରେ ଥିଲେ ମାତ୍ର ୬ ବର୍ଷର ଜଣେ ପୁଅ ଓ ସାଢ଼େ ୪ ବର୍ଷର ଝିଅ। ପର ଘରେ ମୂଲ ଲାଗି ଭୂମିହୀନ ପାନ ନିଜ ଦୁଇ ଝିଅପୁଅକୁ ମଣିଷ କଲେ। ହେଲେ ନିଜ ଝିଅ ବାହାଘର ପରେ ପାନଙ୍କର ଦୁଃଖ ବଢ଼ିଗଲା। ପୁଅ ଓ ବୋହୂଙ୍କ ନିର୍ଯାତନା ସହିବା ତାଙ୍କ ପ‌େକ୍ଷ ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା। ସେମାନେ ପାନଙ୍କୁ ଖାଇବାକୁ ଓ ଘରେ ଶୋଇବା ପାଇଁ ବି ଦେଉ ନ ଥିଲେ। ଶେଷରେ ନିଜ ଘର ଛାଡ଼ି ପାନ ଝିଅ ଘରେ କିଛିଦିନ ଆଶ୍ରୟ ନେଇଥିଲେ। ସେଠାରେ ମଧ୍ୟ ତାଙ୍କୁ ଯନ୍ତ୍ରଣା ବଢ଼ିଯିବାରୁ ଶେଷରେ ସେ ଗଛମୂଳରେ ଆଶ୍ରୟ ନେବାକୁ ନିଷ୍ପତ୍ତି ନେଲେ। ପାନଙ୍କ ପାଖରେ ଏବେ କେବଳ ଗୋଟିଏ ଖଟିଆ, ମଶାରୀ, ହାଣ୍ଡି ଓ ୨ଟି କଢ଼େଇ ରହିଛି। ବର୍ଷାଦିନେ ସେ ‌େକତେବେଳେ କାହା ପିଣ୍ଡାରେ ମୁଣ୍ଡ ଗୁଞ୍ଜନ୍ତି ତ ଖରା କାକରରେ ସେ ଗଛ ମୂଳେ ମଶାରି ଭିତରେ ଦିନ କାଟନ୍ତି। ବାର୍ଦ୍ଧକ୍ୟ ଯୋଗୁ ରୋଷେଇ କରିବା ଖାଇବା ତାଙ୍କ ପକ୍ଷେ ସମ୍ଭବ ହୁଏନାହିଁ। ତେଣୁ ସେ ବାଧ୍ୟହୋଇ ପରଘରେ ମୂଲ ଲାଗି ଚଳନ୍ତି। ପେଟପାଇଁ ତାଙ୍କୁ ଏହି ବୟସରେ ମୂଲ ଲାଗିବାକୁ ପଡ଼ୁଛି। ପାନଙ୍କୁ ବାର୍ଦ୍ଧକ୍ୟ ଭତ୍ତା ଛଡ଼ା ଅନ୍ୟ କୌଣସି ସରକାରୀ ସହାୟତା ମିୁଳନି। ସ୍ବାମୀଙ୍କୁ ହରାଇବାର ଦୁଃଖ ଅପେକ୍ଷା ବାର୍ଦ୍ଧକ୍ୟ ଅବସ୍ଥାର ଦୁଃଖ ବଳିଯାଇଛି ବୋଲି ପାନ କୁହନ୍ତି।
୩ ଶହ ଟଙ୍କା ଭତ୍ତାକୁ ଛାଡ଼ିଦେଲେ ବାସଘର ଓ ରେସନ କାର୍ଡ ପ‌ାଇବା ପାଇଁ ପାନ କେତେ କାହା ପାଖରେ ନେହୁରା ହୋଇଛନ୍ତି। ହେଲେ ତାଙ୍କୁ ଏସବୁ ମିଳିପାରୁନି। ଆଜି ସ୍ଥାନୀୟ ଯୁବନେତା ଅରୁଣ କୁମାର ସେନାପତି ଏହି ବୃଦ୍ଧାଙ୍କ ସମ୍ପର୍କରେ ଜାଣିବା ପରେ ଅଖଣ୍ଡଳମଣି ଜେନା, ରବି ମାରାଣ୍ଡି, ସରୋଜ ନନ୍ଦ, କୃଷ୍ଣ ମାରାଣ୍ଡି ପ୍ରମୁଖଙ୍କୁ ଧାରି ନିଜ ଖର୍ଚ୍ଚରେ ଏକ ଛୋଟ ଚାଳଘର ତିଆରି କରିବା ଆରମ୍ଭ କରିଛନ୍ତି। ସେଇ ଚାଳଘରେ ପାନ ରହିବେ ବୋଲି ଶ୍ରୀ ସେନାପତି କହିଛନ୍ତି। ଆମ ପ୍ରତିନିଧି ମଧ୍ୟ ସମ୍ପୃକ୍ତ ଗାଁକୁ ଯାଇ ବୃଦ୍ଧାଙ୍କୁ ଭେଟିଲା ପରେ ସେ କାନ୍ଦି କାନ୍ଦି ତାଙ୍କ ଦୟନୀୟ ଅବସ୍ଥା ସମ୍ପର୍କରେ ବଖାଣିଛନ୍ତି। ଏହିପରି ଦୁଃଖଦ ଜୀବନ ଅପେକ୍ଷା ମୃତ୍ୟୁ ତାଙ୍କ ପାଇଁ ଶତ ଗୁଣେ ଭଲ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର