ବାଲେଶ୍ବର, (ବଟକୃଷ୍ଣ ବିହାରୀ) : ପଞ୍ଚାୟତ ଭୋଟ୍ ଘୋଷଣା ପରେ ବାଲେଶ୍ବର ଜିଲ୍ଲା ରାଜନୀତି ସରଗରମ ହୋଇଉଠିଛି। ବିଶେଷକରି କୋଭିଡ୍ କଟକଣା ଭିତରେ କିଭଳି ଭୋଟରଙ୍କ ପାଖରେ ପହଞ୍ଚି ହେବ, ସେ ସଂକ୍ରାନ୍ତରେ ସବୁ ଦଳର ନେତା ଓ କର୍ମୀଙ୍କ ମଧ୍ୟରେ ଚାଲିଛି ବିଚାର ବିମର୍ଶ। ହାତରେ ଅଳ୍ପ ସମୟ। ସମସ୍ତେ ଅପେକ୍ଷା କରିଛନ୍ତି ପ୍ରାର୍ଥୀ ଚୟନକୁ। ବାଲେଶ୍ବର ଜିଲ୍ଲା ପରିଷଦ ସଭାପତି ପଦ ଉପରେ ଏବେ ସବୁ ଦଳର ଫୋକସ୍। କାରଣ ପୂର୍ବ ସଂରକ୍ଷଣ ତାଲିକା ଅନୁଯାୟୀ, ସଭାପତି ପଦ କେବଳ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଥିଲା। ବହୁ ଆଶାୟୀ ଏଥିପାଇଁ ନିରାଶ ମଧ୍ୟ ହୋଇଥିଲେ। ତେବେ ନିଷ୍ପତ୍ତିର ପୁନର୍ବିଚାର ଲାଗି ରାଜନୈତିକ ଦଳଗୁଡ଼ିକ ଦାବି କରିବାପରେ ହାଇକୋର୍ଟ ଏହା ଉପରେ ଆଗତ ଜନସ୍ବାର୍ଥ ମାମଲାର ବିଚାର କରି ସଂଶୋଧିତ ତାଲିକା ପ୍ରକାଶ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସାନି ତାଲିକାରେ ବାଲେଶ୍ବର ଜିଲ୍ଲା ପରିଷଦ ସଭାପତି ପଦ ଅସଂରକ୍ଷିତ ରହିଥିବାବେଳେ ଆଶାୟୀଙ୍କ ସଂଖ୍ୟା ପୂର୍ବାପେକ୍ଷା ବୃଦ୍ଧି ପାଇଛି। ସଭାପତି ପଦ ଅଣସଂରକ୍ଷିତ ରହିବାରୁ ସବୁ ଦଳର ନେତା ବି ଗୋଟିଚାଳନା ଆରମ୍ଭ କରି ଦେଇଛନ୍ତି।
୨୦୧୨ ଓ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜିଲ୍ଲା ପରିଷଦ ସଭାପତି ପଦକୁ ଅକ୍ତିଆର କରିଥିଲା ବିଜେଡି। ଚଳିତ ନିର୍ବାଚନରେ ପୁଣି ବାଜିମାତ୍ କରି ହାଟ୍ରିକ୍ ଲକ୍ଷ୍ୟରେ ରହିଛି ଶାସକ ଦଳ। ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବ ବାଲେଶ୍ବରକୁ ଏହାମଧ୍ୟରେ ଘନଘନ ଗସ୍ତ କରି ନେତା ଓ କର୍ମୀଙ୍କ ସହ ଆଲୋଚନା କରିଛନ୍ତି। ଅପରପକ୍ଷେ ଆଗ ଅପେକ୍ଷା ସଙ୍ଗଠନକୁ ସଜାଡ଼ି ବଳଶାଳୀ କରିଥିବା ବିଜେପି ଏଥର ବିଜେଡିକୁ ଚକ୍ମା ଦେବାକୁ ଲକ୍ଷ୍ୟ ରଖିଛି। ଦଳର ରାଜ୍ୟ ନେତୃବୃନ୍ଦ ମଝିରେ ମଝିରେ ଆସି ନେତା ଓ କର୍ମୀଙ୍କ ସହ ବିଚାରମନ୍ତ୍ରଣା ଚଳାଇଛନ୍ତି। ନିକଟରେ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ ଓ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ବାଲେଶ୍ବର ଆସିବା ପରେ ବିଜେପିର ଦଳୀୟ କର୍ମୀମାନେ ବେଶ ଉତ୍ସାହିତ ଓ ଆଶାବାଦୀ ଅଛନ୍ତି। ସେପଟେ କଂଗ୍ରେସର ରାଜ୍ୟ ପ୍ରଭାରୀ ଚେଲା କୁମାର, ବରିଷ୍ଠ ନେତା ନବଜ୍ୟୋତି ପଟ୍ଟନାୟକ, ମୁଖପାତ୍ର ସୁଦର୍ଶନ ଦାସ ବାଲେଶ୍ବରରେ ବଡଧରଣର ସମାବେଶ କରି ଲୋକଙ୍କୁ ନିଜ ସପକ୍ଷକୁ ଆଣିବା ନିମନ୍ତେ ଉଦ୍ୟମ କରିଛନ୍ତି। ସବୁ ଦଳ ଜିଲ୍ଲା ପରିଷଦ ସଭାପତି ପଦ ଉପରେ ନଜର ରଖିଥିବା ବେଳେ କିଏ ବାଜିମାତ୍ କରିବ ତାହା ଅବଶ୍ୟ ସମୟ କହିବ। ତେବେ ଲଗାତାର ୩ ଥର ବିଜୟ ହୋଇ ହ୍ୟାଟ୍ରିକ୍ ଲକ୍ଷ୍ୟରେ ଥିବା ବିଜେଡିକୁ ରୋକିବାକୁ ଏଥର ବିଜେପି ଓ କଂଗ୍ରେସର ରଣନୀତି କେତେ ସଫଳ ହେଉଛି, ତାହା ଦେଖିବାର କଥା।
ଉଲ୍ଲେଖଯୋଗ୍ୟ ଯେ ୨୦୧୭ ନିର୍ବାଚନରେ ବିଜେଡି ୩୧ ଆସନ ପାଇ ପୁଣି ଜିଲ୍ଲା ପରିଷଦ ଦଖଲ କରିଥିଲା। ପୂର୍ବ ସଫଳତାକୁ ଦୋହରାଇ ପାରିନଥିଲା କଂଗ୍ରେସ। ମାତ୍ର ଗୋଟିଏ ଆସନରେ ଦଳକୁ ସନ୍ତୁଷ୍ଟ ରହିବାକୁ ପଡ଼ିଥିବାବେଳେ ୧୩ଟି ଆସନରେ ବିଜୟୀ ହୋଇଥିଲା ବିଜେପି। ଏଥର ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ୧୬ ଲକ୍ଷ ୯୨ ହଜାର ୨୯୨ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ। ସେଥିମଧ୍ୟରୁ ପ୍ରଥମଥର ପାଇଁ ୩୯ ହଜାର ୫୮୧ ଜଣ ନୂଆ ଭୋଟର ସେମାନଙ୍କ ପସନ୍ଦର ପ୍ରାର୍ଥୀ ବାଛିବେ।