ପଡ଼ିଶା‌ରେ ଚାଲୁଛି ପାସେଞ୍ଜର ଟ୍ରେନ୍‌, ଓଡ଼ିଶାରେ ନାହିଁ

କୁହୁଳିଲାଣି ଅସନ୍ତୋଷ, ରାସ୍ତାକୁ ଓହ୍ଲାଇବେ ଜନତା

ବାଲେଶ୍ବର : ଗୋଟିଏ ପଟେ ଆକାଶଛୁଆଁ ତେଲ ଦର, ସେପଟେ ବର୍ଦ୍ଧିତ ବସଭଡ଼ା। ତା ସହିତ ଖାଉଟି ଜିନିଷ ଓ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି। ଦହଗଞ୍ଜ ହୋଇଗଲେଣି ସାଧାରଣ ଜନତା। ଗରିବ ଶ୍ରମଜୀବୀ ଦୂରେ ଥାଉ, ସାଧାରଣ ଲୋକଟିଏ କୌଣସି କାମରେ ବାହାରକୁ ଗଲେ ବସ୍‌ଭଡ଼ା ଗଣି ନୟାନ୍ତ ହୋଇଯାଉଛି।

ଇତିମଧ୍ୟରେ ପଡ଼ୋଶୀ ରାଜ୍ୟଗୁଡ଼ିକରେ ପାସେଞ୍ଜର ଟ୍ରେନ୍‌ ସେବା ଆରମ୍ଭ ହୋଇ ଯାଇଥିବା ବେଳେ ଓଡ଼ିଶାରେ ଯାତ୍ରୀବାହୀ ଟ୍ରେନ୍‌ ସେବା କେବେ ଆରମ୍ଭ ହେବ, ସେ ନେଇ ସରକାରଙ୍କ ପକ୍ଷରୁ କିଛି ସ୍ପଷ୍ଟ ସୂଚନା ମିଳୁନାହିଁ। ଯାହାକୁ ନେଇ ଜନଅସନ୍ତୋଷ କୁହୁଳିବାରେ ଲାଗିଲାଣି। ସାଧାରଣତଃ ଭଡ଼ା କମ୍ ଯୋଗୁଁ ଗରିବଙ୍କଠୁ ଆରମ୍ଭ କରି ଅଧିକାଂଶ ଲୋକ ପାସେଞ୍ଜର ଟ୍ରେନ୍‌କୁ ଭରସା କରିଥାନ୍ତି। କରୋନା ପୂର୍ବରୁ ବାଲେଶ୍ବର ଜିଲ୍ଲା ଦେଇ ପ୍ରତିଦିନ ଗଡୁଥିଲା ୧୪ଟି ପାସେଞ୍ଜର ଟ୍ରେନ୍‌। ସେଥିମଧ୍ୟରୁ ଭୋର୍‌ ୫ଟା ୪୦ରେ ବାଲେଶ୍ବର ଷ୍ଟେସନରୁ ଛାଡ଼ୁଥିବା ହାୱଡ଼ା-ପୁରୀ ପାସେଞ୍ଜର ଓ ସକାଳ ୬ଟା ୩୦ରେ ପହଞ୍ଚୁଥିବା ଖଡ଼ଗପୁର-ଖୋର୍ଦ୍ଧାରୋଡ୍‌ ପାସେଞ୍ଜର ଟ୍ରେନ୍‌ ଉପରେ ବହୁ ଯାତ୍ରୀ ନିର୍ଭର କରନ୍ତି। କଟକ, ଭୁବନେଶ୍ବରରେ ବିଭିନ୍ନ ସରକାରୀ, ବେସରକାରୀ କାମଠାରୁ ଆରମ୍ଭ କରି କଟକ ବଡ଼ ଡାକ୍ତରଖାନା, କୋର୍ଟ ତଥ୍ୟା ଅନ୍ୟାନ୍ୟ କାମ ପାଇଁ ଲୋକମାନଙ୍କୁ ଏହି ଟ୍ରେନ୍‌ ବେଶ ସୁବିଧା ହେଉଥିଲା। ଖାଲି ସେତିକି ନୁହେଁ, ଶହଶହ ଛାତ୍ରଛାତ୍ରୀ, ଦିନ ମଜୁରିଆ, ବୁଲା ବିକାଳି ପାସେଞ୍ଜର ଟ୍ରେନ୍‌ ସେବା ଉପରେ ନିର୍ଭରଶୀଳ ଥିଲେ।

ସୂଚନ ମୁତାବକ, ପ୍ରତିଦିନ ଜିଲ୍ଲାରୁ ପାଖାପାଖି ୩ରୁ ୪ ହଜାର ଲୋକ ପାସେଞ୍ଜର ଟ୍ରେନ୍‌ରେ ଯିବାଆସିବା କରୁଥିଲେ। ଯଦିଓ ଏବେ ବାଲେଶ୍ବର ଷ୍ଟେସନ୍‌ ଦେଇ ସକାଳ ୬ଟା ୪୫ରେ ବାଙ୍ଗିରିପୋଷି-ଭୁବ‌ନେଶ୍ବର ଟ୍ରେନ୍‌ ଯାଉଛି, ତାହା କିନ୍ତୁ ସୁପରଫାଷ୍ଟ୍‌ ହୋଇଥିବାରୁ ଭଡ଼ା ଅଧିକ ରହିଛି। ଅନଲାଇନ୍ ଟିକେଟ୍‌ ବୁକିଂ, ଅଧିକ ଭଡ଼ା, କରୋନା କଟକଣା ପାଇଁ ଯେତିକି ସିଟ୍‌, ସେତିକି ଯାତ୍ରୀ ଆଦି କାରଣରୁ ଉକ୍ତ ଟ୍ରେନ୍‌ରେ ଯାତ୍ରୀ ସଂଖ୍ୟା ସୀମିତ ରହିଛି। ଅନେକ ଯାତ୍ରୀ ସେଥିରେ ଯିବାକୁ ଚାହିଁ ମଧ୍ୟ ନିରାଶ ହେଉଛନ୍ତି ଏବଂ ଶେଷରେ ବସ୍‌ରେ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଏପଟେ ହୁ ହୁ ହୋଇ ଦୈଳ ଦର ବଢ଼ୁଥିବାରୁ ବସ୍‌ ଏବଂ ଅନ୍ୟାନ୍ୟ ଯାନବାହନ ଯାତ୍ରା ବ୍ୟୟବହୁଳ ହୋଇଯାଇଛି।

ସୂଚନାଥାଉକି, ଜିଲ୍ଲାର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ନିକଟରେ ରେଳ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରି ଜଳେଶ୍ବରରୁ ହାୱଡ଼ା ପର୍ଯ୍ୟନ୍ତ ମେମୁ ଟ୍ରେନ୍‌କୁ ପୁନଃଚଳନ କରାଇଛନ୍ତି। ହେଲେ ବାଲେଶ୍ବର ଦେଇ ଗଡ଼ୁଥିବା ଅନ୍ୟ ପାସେଞ୍ଜର ଟ୍ରେନ୍‌ଗୁଡ଼ିକ ସଂପର୍କରେ ନିରବ। ସାଧାରଣ ଲୋକଙ୍କ ଜୀବନରେଖା ସାଜିଥିବା ପାସେଞ୍ଜର ଟ୍ରେନ୍‌ ବନ୍ଦ ରହିବା ନେଇ ପ୍ରବଳ ଜନଅସନ୍ତୋଷ ଦେଖାଦେଇଛି। ଏହାର ପ୍ରତିବାଦରେ ବିଭିନ୍ନ ଗଣ ସଂଗଠନ ରାଜରାସ୍ତାକୁ ଓହ୍ଲାଇବାକୁ ସଜବାଜ ହେଲେଣି।

ସମ୍ବନ୍ଧିତ ଖବର