ସୋର: କିଛିଦିନ ତଳେ ଯାଜପୁର ଜିଲ୍ଲାର ବିରୁପା ନଦୀରେ ଏକ କୁମ୍ଭୀର ଜଣେ ମହିଳାଙ୍କୁ ଟାଣି ନେବା ସହ ଖାଇଯାଇଥିଲା। ଯେଉଁ ଘଟଣା ରାଜ୍ୟବାସୀଙ୍କୁ ସ୍ତବ୍ଧ କରିଦେଇଥିଲା। ଏବେ ବାଲେଶ୍ବର ଜିଲ୍ଲା ସୋର ବ୍ଲକ୍‌ ଦେଇ ପ୍ରବାହିତ କାଂଶବଂଶ ନଦୀରେ କୁମ୍ଭୀର ଆତଙ୍କ ଦେଖାଦେଇଛି। ନଦୀକୂଳିଆ ଲୋକମାନେ ଦୁଇ ଦୁଇଥର କୁମ୍ଭୀର ଦେଖିବା ପରେ ଭୟଭୀତ ଅବସ୍ଥାରେ ରହୁଛନ୍ତି।
ଗତ ୧୧ ତାରିଖ ଦିନ ସୋର ବ୍ଲକ୍‌ କେଦାରପୁର ପଞ୍ଚାୟତ ବାଣିସିଆ କୁରୁବାଙ୍କ ନିକଟ କାଂଶବାଂଶ ନଦୀରେ ଲୋକମାନେ ଏକ କୁମ୍ଭୀର ପହଁରୁଥିବା ଦେଖିଥିଲେ। ଯାହାକୁ ନେଇ ସେମାନେ ଭୟଭୀତ ହୋଇପଡ଼ିଥିଲେ। ତେବେ ପରେ କୁମ୍ଭୀରଟିକୁ ଲୋକେ ଆଉ ଦେଖିବାକୁ ପାଇ ନଥିଲେ। ଏପରି ସମୟରେ ଗତକାଲି ସାଜନପୁର ପଞ୍ଚାୟତ ଚପରପଦା ଗ୍ରାମ ନିକଟ କାଂଶବାଂଶ ନଦୀର ଶାଖା ନଦୀ ପିତାକାଳିଆରେ ଏକ ୯ ଫୁଟିଆ ଲମ୍ବର କୁମ୍ଭୀର ଦେଖାଯାଇଥିଲା। କୁମ୍ଭୀରଟି ନଦୀକୂଳରେ ଶୋଇଥିଲା। କୁମ୍ଭୀର ଦେଖି ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ଏହା ୧ ଘଣ୍ଟା ଧରି ଶୋଇ ରହିବା ପରେ ନଦୀ ଭିତରକୁ ଚାଲିଯାଇଥିଲା। ବନ ବିଭାଗ ପହଞ୍ଚି ସୋର ଅଗ୍ନିଶମ ଓ ଓଡ୍ରାଫ୍‌ ଟିମ୍‌ ସହାୟତାରେ କୁମ୍ଭୀରଟିକୁ ଠାବ କରିବାକୁ ଚେଷ୍ଟା କରାଯାଇଥିଲା। ହେଲେ ଏଯାଏ ତା’ର କୌଣସି ସନ୍ଧାନ ମିଳିପାରି ନାହିଁ। ଫଳରେ ଗତକାଲିଠାରୁ ବନ ବିଭାଗର କର୍ମଚାରୀମାନେ ନଦୀକୂଳରେ ଜଗିରହିଛନ୍ତି।
ତେବେ କୁମ୍ଭୀର ଭୟରେ ଲୋକେ କି ଦିନ, କି ରାତି; ଘର ଭିତରୁ ବାହାରିବାକୁ ସାହସ ଜୁଟାଇ ପାରୁନାହାନ୍ତି। ତେଣୁ ସେମାନେ ତୁରନ୍ତ କୁମ୍ଭୀରକୁ ଧରିବା ପାଇଁ ଦାବି କରିଛନ୍ତି। ନଚେତ୍‌ କିଛି ଅଘଟଣ ଘଟିଲେ ସେଥିପାଇଁ ବନ ବିଭାଗ, ପ୍ରଶାସନ ତଥା ସରକାର ଦାୟୀ ରହିବେ ବୋଲି କୁହାଯାଇଛି।