ଧରାପଡ଼ିଲା ୧୦୦୦ କିଲୋ ବିସ୍ଫୋରକ : ଓଡ଼ିଶାରୁ ପଶ୍ଚିମବଙ୍ଗ ଯାଉଥିଲା

ଜବତ କଲା ପୁଲିସ, ଦୁଇ ଅଟକ, ଆତଙ୍କବାଦୀ ସଂପୃକ୍ତି ସନ୍ଦେହ

ବାଲେଶ୍ବର : ଓଡ଼ିିଶାରୁ ପଶ୍ଚିମ ବଙ୍ଗକୁ ଚାଲାଣ ହେଉଥିବା ବେଳେ ଆଜି ୧୦୦୦ କିଲୋ ବିସ୍ଫୋରକ ଜବତ ହୋଇଛି। ପଶ୍ଚିମ ବଙ୍ଗ ପୁଲିସ ବିସ୍ଫୋରକ ସହିତ ଗାଡ଼ିକୁ ଜବତ କରିଛି ଏବଂ ଦୁଇ ଜଣଙ୍କୁ ଅଟକ ରଖିଛି। ଏହି ବିସ୍ଫୋରକ କିଏ ପଠାଇଥିଲା ଏବଂ କାହା ପାଖକୁ ଯାଉଥିଲା ତାହାର ଖୋଳତାଡ଼ ଆରମ୍ଭ ହୋଇଛି। ଏଥିପାଇଁ ପଶ୍ଚିମ ବଙ୍ଗ ପୁଲିସର ଏକ ଟିମ୍ ବାଲେଶ୍ବର ଆସିବ ବୋଲି ଜଣାପଡ଼ିଛି।

ମିଳିଥିବା ଖବର ଅନୁଯାୟୀ ଏକ ଟାଟା ଏସିଇ ଗାଡ଼ି (ଓଡି-୦୧-ବି-୫୦୮୯) ବାଲେଶ୍ବର ଜିଲ୍ଲା ବସ୍ତା ଅଞ୍ଚଳରୁ ବିସ୍ଫୋରକ ନେଇ ଯାଉଥିବା ସଂପର୍କରେ ପଶ୍ଚିମବଙ୍ଗ ପୁଲିସ ସୂଚନା ପାଇଥିଲା। ଫଳରେ ପ୍ରସ୍ତୁତ ହୋଇ ରହିଥିବା ଏସ୍‌ଟିଏଫ୍‌ (ସ୍ବତନ୍ତ୍ର ଟାସ୍କଫୋର୍ସ)ର ଏକ ଟିମ୍‌ ଗତକାଲି ବିଳମ୍ବିତ ରାତିରେ ଗାଡ଼ିଟିକୁ ପଶ୍ଚିମବଙ୍ଗ ଉତ୍ତର ଚବିଶପ୍ରଗଣା ଜିଲ୍ଲା ଅଧୀନ ଚିତପୁର ଥାନା ବିଟି ରୋଡ୍‌ର ତଳପୋଲ ନିକଟରେ ଅଟକାଇ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଡ଼ିରେ ପ୍ରାୟ ୧୦୦୦ କିଲୋଗ୍ରାମ୍‌ (୨୭ ପ୍ୟାକେଟ୍‌) ବିସ୍ଫୋରକ ଥିବା ଜଣାପଡ଼ିଥିଲା। ଏତେ ପରିମାଣର ବିସ୍ଫୋରକ ଦେଖି ଟିମ୍‌ କାବା ହୋଇଯାଇଥିଲା। ଗାଡ଼ିର ଚାଳକ ବସ୍ତା ଥାନା ମେଳକ ଗ୍ରାମର ଇନ୍ଦ୍ରଜିତ ଭୋଇ ଏବଂ ମଥାନୀ ଗ୍ରାମର ପଦ୍ମଲୋଚନ ଦେଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ବି‌ସ୍ଫୋରକ ବସ୍ତା ଅଞ୍ଚଳରୁ ଯାଉଥିଲା ନା ଆଉ କେଉଁଠୁ ଯାଉଥିଲା। ବିସ୍ଫୋରକ ସମ୍ପର୍କରେ ଇନ୍ଦ୍ରଜିତ ଜାଣିଥିଲେ କି ନାହିଁ ଏବଂ ଏହା ବାଣ ନିର୍ମାଣ ପାଇଁ ନା କୌଣସି ଆତଙ୍କବାଦୀ ସଂଗଠନ ପାଖକୁ ଯାଉଥିଲା; ସେନେଇ ଖୋଳତାଡ଼ ଚାଲିଛି। ତେବେ ଘଟଣାକୁ କେନ୍ଦ୍ର ଗୁଇନ୍ଦା ବିଭାଗ ଗୁରୁତ୍ବର ଭାବେ ନେବା ସହ କୋଲକାତା ପୁଲିସକୁ ସତର୍କତା ଅବଲମ୍ବନ କରି ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛି। ସେହିପରି ଅଟକ ଦୁଇ ଯୁବକଙ୍କ ଅପରାଧିକ ପୃଷ୍ଠଭୂମି ତଥା ସେମାନଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ ଜାଣିବା ପାଇଁ ପଶ୍ଚିମବଙ୍ଗ ପୁଲିସ ଦିନେ କି ଦୁଇଦିନ ମଧ୍ୟରେ ବସ୍ତାକୁ ଯିବ ବୋଲି ଜଣେ ବରିଷ୍ଠ ପଦାଧିକାରୀ ସୂଚନା ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ; ଇନ୍ଦ୍ରଜିତ ଜଣେ ଟ୍ରକ୍‌ ଡ୍ରାଇଭର ଭାବେ କାମ କରୁଥିବା ବେଳେ ଗତ ୭ ତାରିଖ ଦିନ ସେ ପଦ୍ମଲୋଚନଙ୍କୁ ଘରୁ ଡାକି ନେଇଥିଲେ। ସେହିପରି ଏହି ଘଟଣା ପରେ ଇନ୍ଦ୍ରଜିତ ଘରକୁ ଫେରିନଥିବା ଦର୍ଶାଇ ତାଙ୍କ ବାପା ସୁଶାନ୍ତ ଭୋଇ ଆଜି ପୁଅକୁ ଫେରାଇ ଆଣିବା ନେଇ ବସ୍ତା ଥାନାରେ ଏକ ଏତଲା ଦେଇଛନ୍ତି।

ସମ୍ବନ୍ଧିତ ଖବର