ଏମିତି ବି ଆସେ ମୃତ୍ୟୁ: ରାସ୍ତାରେ ପଡ଼ିଯାଇ ଆଖି ବୁଜିଲେ ଗର୍ଭବତୀ

ସୋର: ଏମିତି ବି ମୃତ୍ୟୁ ଆସେ। ଚାଲିଚାଲି ଯାଉଥିବା ସମୟରେ ଜଣେ ଗର୍ଭବତୀ ମହିଳାଙ୍କ ଗୋଡ଼ ଖସିଯିବାରୁ ରାସ୍ତାରେ ପଡ଼ିଯାଇ ମୃତ୍ୟୁ ହୋଇଥିବା ଜଣାଯାଇଛି। ବାଲେଶ୍ବର ଜିଲ୍ଲା ସୋର ବ୍ଲକ ଦହିସଡା ପଞ୍ଚାୟତ ନୂଆଗାଁ ଗ୍ରାମର ପ୍ରଫୁଲ୍ଲ ମହାନ୍ତିଙ୍କ ସ୍ତ୍ରୀ କନକଲତା ମହାନ୍ତି (୩୧) ମୁଲିସିଂରେ ଥିବା ମିନିବ୍ୟାଙ୍କରୁ ଟଙ୍କା ଉଠାଣ କରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ଗୋଡ଼ ଖସିଯିବାରୁ ମୁହଁ ମାଡ଼ି ତଳେ ପଡ଼ିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ଖବର ଦେଇ ସୋର ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରକାଶ ଥାଉକି କନକଲତାଙ୍କର ଆଠ ବର୍ଷର ଦିବ୍ୟାଙ୍ଗ ଝିଅଟିଏ ଥିବା ବେଳେ ଚାରି ବର୍ଷର ପୁଅଟିଏ ଅଛି। କନକଲତା ଚାରିମାସର ଗର୍ଭବତୀ ଥିବା ଜଣାଯାଇଛି। ଖବର ପାଇ ସୋର ପୁଲିସ ଡାକ୍ତରଖାନାରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ଏପରି ଏକ ଦୁଃଖଦ ଘଟଣା ଜାଣିବାପରେ କନକଲତାଙ୍କ ବାପଘର ଶରସଙ୍ଖ ଲୋକେ ଏବଂ ଶଶୂର ଘର ନୂଆଗାଁ ମୁଲିସିଂର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ସେଠାରେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର